କିମ୍ବଦନ୍ତୀ କହେ ଯେ, ଶ୍ରୀକୃଷ୍ଣ ବଡ ହୋଇଯିବା ପରେ ଥରେ ତାଙ୍କ ଜନନୀ ଦେବକୀ ତାଙ୍କୁ ଶିଶୁ ରୂପେ ଦେଖିବାକୁ ଭାରି ମନ କଲେ । ତେଣୁ ସ୍ୱର୍ଗର ବିନ୍ଧାଣୀ ବିଶ୍ୱକର୍ମା ବାଳକୃଷ୍ଣଙ୍କର ଏକ ମୂର୍ତ୍ତି ଗଢି ତାଙ୍କୁ ଦେଲେ । ସମୟ କ୍ରମେ ସେହି ମୂର୍ତ୍ତି ଅର୍ଜୁନଙ୍କ ହାତରେ ପଡିଲା । ପ୍ରଭାସ ଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ଉତାରୁ ଅର୍ଜୁନ ସେ ମୂର୍ତ୍ତିକୁ ଗୋଟିଏ ବାଲୁକାସ୍ତୁପ ତଳେ ଲୁଚାଇ ଦେଲେ । ସେଠିକା ମାଟି ଉଜ୍ଜ୍ୱଳ ଦେଖାଗଲା । ଏହି ଭିତରେ ହଜାର ହଜାର ବର୍ଷ ବିତିଗଲା । ଚତୁର୍ଦ୍ଦଶ ଶତାଦ୍ଦୀରେ ସେଠି ଗୋଟିଏ ବୋଇତ ଆସି ପହଁଚିଲା । ସେ ବୋଇତର ମାଲିକ କୂଳରେ ବିଶ୍ରାମ ନେଇ ବୋଇତକୁ ଫେରିବା ବେଳକୁ ସେ ଉଜ୍ଜ୍ୱଳ ମାଟି ପ୍ରତି ଆକୃଷ୍ଟ ହେଲେ । ତେଣୁ ସେ ମାଟିତକ ଉଠାଇ ନେଇ ସେ ନିଜ ବୋଇତରେ ରଖିଲେ ।
ଆଧୁନିକ କର୍ଣ୍ଣାଟକର ଉଡୁପି ନିକଟରେ ଥିବା ସମୁଦ୍ର କୂଳରେ ଭାରତର ଜଣେ ମହାନ୍ ବିଷ୍ଣୁଭକ୍ତ ମାଧ୍ୱାଚାର୍ଯ୍ୟ ବସିଥିଲେ । ସେ ଧ୍ୟାନରେ ଥାଇ ଜାଣି ପାରିଲେ ଯେ ଗୋଟିଏ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି । ଅଳ୍ପ ସମୟ ଭିତରେ ସେ ଅଦୂରରେ ଏକ ବୋଇତ ଦେଖିଲେ । ହଠାତ୍ ସମୁଦ୍ରରେ ଝଡ ଉଠିଲା । ମାଧ୍ୱାଚାର୍ଯ୍ୟ ବୋଇତ ଦେଖିପାରୁଥାନ୍ତି, କିନ୍ତୁ ନାବିକମାନେ କୂଳ ଦେଖିପାରୁ ନଥାନ୍ତି । ବୋଇତ ବିପର୍ଯ୍ୟସ୍ତ ହୋଇ ପଡିଥାଏ । ଏଭଳି ପରିସ୍ଥିତିରେ ସେ ବୋଇତର ମାଲିକ ପ୍ରାଣର ଆଶା ସୁଧା ଛାଡିଦେଇଥିଲେ । ମାଧ୍ୱାଚାର୍ଯ୍ୟ ତାଙ୍କ ଗୈରିକ ଚଦର ଉଡାଇବାକୁ ଲାଗିଲେ । ଭୀଷଣ ବର୍ଷା ଭିତର ଦେଇ ନାବିକମାନେ କେବଳ ସେହି ଗୋଟିଏ ମାତ୍ର ବସ୍ତ୍ର ଦେଖିପାରୁଥାନ୍ତି । ବୋଇତକୁ ସେହି ଦିଗରେ ଆଣିବା ଫଳରେ ତାହା ନିରାପଦରେ ଆସି କୂଳରେ ଲାଗିଲା ।
ସେ ବୋଇତର ମାଲିକ ମାଧ୍ୱାଚାର୍ଯ୍ୟଙ୍କୁ ପ୍ରଣାମ କଲେ । ତା’ପରେ ମାଲିକ କହିଲେ “ଆପଣ ଆମମାନଙ୍କୁ ତଥା ଆମ ବୋଇତକୁ ରକ୍ଷା କଲେ । ତେଣୁ ଏ ସାରା ବୋଇତ ମୁଁ ଆପଣଙ୍କୁ ଦେଇଦିଲି ।” ଏହା ଶୁଣି ସାଧୁ କହିଲେ “ଆଚ୍ଛା, ତାହେଲେ ଏଥର ଚାଲ ତମ ବୋଇତ ଦେଖିବା । କାଳେ କିଛି ମୂଲ୍ୟବାନ ବସ୍ତୁ ହୁଏତ ମିଳିଯିବ ।” ମାଧ୍ୱାଚାର୍ଯ୍ୟ ବୋଇତ ଭିତରକୁ ଯିବା ମାତ୍ରେ ବୋଇତ ମାଲିକ ତାଙ୍କୁ କେତେ ଧନରତ୍ନ ଦେଖାଇଲେ । କିନ୍ତୁ ମାଧ୍ୱାଚାର୍ଯ୍ୟ ସେସବୁ ପ୍ରତି ଖାଲି ଥରେ ମାତ୍ର ଅନାଇ ଦେଲେ, ହେଲେ ସେ ସେସବୁ କିଛି ବି ଆଦୌ ଛୁଇଁଲେ ନାହିଁ । ହଠାତ୍ ତାଙ୍କ ଆଖି ସେ ମାଟି ଭର୍ତ୍ତି ଥଳି ଉପରେ ପଡିଗଲା । ତା’ପରେ ସେ ତାକୁ ଜାବୁଡି ଧରିଲେ । ଏହା ଦେଖି ମାଲିକ କହିଲେ “ସେଟା ତ ତୁଚ୍ଛା ମାଟି ଆଜ୍ଞା! ଆପଣ ତାକୁ ନେଇ କ’ଣ କରିବେ? ବରଂ ଆପଣଙ୍କର ଯେତେ ଇଚ୍ଛା ଧନରତ୍ନ ନେଇଯା’ନ୍ତୁ ।” କିନ୍ତୁ ମାଧ୍ୱାଚାର୍ଯ୍ୟ ସେ ମାଟି ଓଜାଡି ଦେଲେ । ତହିଁ ଭିତରୁ ବାଳକୃଷ୍ଣଙ୍କ ମୂର୍ତ୍ତି ବାହାରିଲା ।
ଗୋଟିଏ ମନ୍ଦିର ତୋଳି ମୂର୍ତ୍ତିକୁ ଅଭିଷିକ୍ତ କରାଗଲା । ମାଧ୍ୱାଚାର୍ଯ୍ୟ ଆଠଜଣ ତରୁଣଙ୍କୁ ଦୀକ୍ଷା ଦେଲେ । ସେମାନେ ଦିଅଁଙ୍କ ପୂଜା କରିବା ସଙ୍ଗେ ସଙ୍ଗେ ମାଧ୍ୱଙ୍କ ଆଦର୍ଶରେ ବ୍ୟୁତ୍ପତି ଲାଭ କଲେ । ସେହି ଦିନରୁ ଯଥାବିଧି ପୂଜା ଚଳି ଆସୁଛି । ମାଧ୍ୱାଚାର୍ଯ୍ୟ ଜାଳିଥିବା କେତୋଟି ଦୀପ ଏଯାଏଁ ମଧ୍ୟ ଅନିର୍ବାଣ ରହିଛି ବୋଲି କୁହାଯାଏ । ଉଡୁପିର କୃଷ୍ଣ ମନ୍ଦିର ବିଖ୍ୟାତ ତୀର୍ଥ ସ୍ଥଳ । ସେ ଆଠ ଶିଷ୍ୟଙ୍କର ଆଠଟି ମଠ । ପ୍ରତି ମଠ ଦୁଇ ବର୍ଷ ପାଇଁ ମନ୍ଦିର ପରିଚାଳନା କରନ୍ତି । ଜଣେ ମଠାଧୀଶ ଅନ୍ୟ ଜଣଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ଉପଲକ୍ଷ୍ୟେ ଯେଉଁ ବିଶେଷ ଉତ୍ସବ ଓ ଶୋଭାଯାତ୍ରା ହୁଏ, ତାହାକୁ ପର୍ଯ୍ୟାୟ ବୋଲି କୁହାଯାଏ ।