ଏହି ସମୟରେ ରାଜୀବ ନାମକ ଜଣେ ଯୁବକବି ଦଣ୍ଡାୟମାନ ହୋଇ କହିଲେ, “ରାଜନ୍, ମୁଁ ସ୍ୱୀକାର କରୁଛି ଯେ, ନରସିଂହ ଶର୍ମା ମହାଶୟଙ୍କ କଥନ ଅନୁଯାୟୀ କବିପ୍ରାଣରେ ସ୍ପନ୍ଦନ, ସ୍ୱତଃସ୍ଫୁର୍ତ ଭାବେ ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ଏହା ବ୍ୟତିରେକେ ଯେ କବିତା ସୃଷ୍ଟି ଅସମ୍ଭବ, ତାହା ମୁଁ ମୋଟେ ଗ୍ରହଣ କରିପାରୁ ନାହିଁ । ମୋ ବିଚାରରେ, କବିତା ରଚନା ନିମିତ, ନିଜ ପାଇଁ ଏକ ଅନୁକୂଳ ବାତାବରଣ କବି ସ୍ୱୟଂ ସୃଷ୍ଟି କରିବା ଉଚିତ୍ । ନିଜର ଆଳସ୍ୟ କିମ୍ବା ଅସାମର୍ଥ୍ୟକୁ ଗୋପନ ରଖିବା ପାଇଁ, କବିଙ୍କର ବହୁଳ ବ୍ୟବହୃତ ଶବ୍ଦ ହେଉଛି ସ୍ପନ୍ଦନ, ପ୍ରେରଣା । ମାନବର ମେଧାଶକ୍ତି, ବୌଦ୍ଧିକଶକ୍ତି ସହିତ ପକ୍ଷୀ ବା ପୁଷ୍ପ କେବେ ତୁଳନୀୟ କି?”
ନରସିଂହ ଶର୍ମାଙ୍କୁ ଈର୍ଷା କରୁଥିବା ବ୍ୟକ୍ତିମାନଙ୍କୁ ରାଜୀବଙ୍କ ଏପରି ଯୁକ୍ତି ବେଶ୍ ଆମୋଦିତ କଲା । ତେଣୁ ସେମାନେ ତାଳି ମାରି ଏହାକୁ ସମର୍ଥନ କଲେ । କିନ୍ତୁ ରାଜୀବଙ୍କ କଥା ଶର୍ମାଙ୍କୁ ଗଭୀର ଆଘାତ ଦେଲା । କ୍ରୋଧ ଓ ଅପମାନରେ ତାଙ୍କ ମୁହଁ ହଠାତ୍ ରଙ୍ଗା ପଡିଗଲା । ସେ ତୁରନ୍ତ ନିଜ ଆସନରୁ ଉଠିପଡି କହିଲେ, “ରାଜୀବ, ସମୟ ବିତେଇବା ପାଇଁ ସଉକିରେ ପ୍ରେମ କବିତା ଲେଖୁଥିବା ତୁମପରି ସାଧାରଣ କବିମାନେ ଉତ୍ତମ କବିତା ସମ୍ବନ୍ଧରେ ଜାଣନ୍ତି ବା କଣ? ଉତ୍ତମ କବିତା କବିର ମସ୍ତିଷ୍କ ନୁହେଁ, ତାର ହୃଦୟରୁ ହିଁ ଉତ୍ପନ୍ନ ହୁଏ ।”
ଏହା ଶୁଣି ରାଜୀବ ହସି ହସି କହିଲେ, “ତେବେ ଏହାର ଅର୍ଥ ହେଉଛି ଯେ, କବିତା ରଚନା ପାଇଁ ମସ୍ତିଷ୍କର କୌଣସି ଆବଶ୍ୟକତା ନାହିଁ । କେବଳ ହୃଦୟ ହିଁ ଯଥେଷ୍ଟ ।”
ଏପରି ବ୍ୟଙ୍ଗଭରା କଥାରେ ଅନ୍ୟ କବିମାନେ ଶ୍ଳେଷରେ ହସିଉଠିଲେ ଓ ତାଳିମାରିଲେ । ରାଜୀବଙ୍କ ବ୍ୟବହାରଠାରୁ ଶର୍ମା ମହାଶୟଙ୍କୁ ଅଧିକ ଆଘାତ ଦେଲା ଅନ୍ୟ କବିମାନଙ୍କର ବ୍ୟବହାର । ତା’ପରେ ସେ କ୍ରୋଧପରବଶ ହୋଇ ରାଜୀବଙ୍କୁ କହିଲେ, “ତେବେ ତୁମେ କଣ କହିବାକୁ ଚାହଁ? ଏକ ମାସ ମଧ୍ୟରେ ଉତ୍ତମ କାବ୍ୟ ରଚନା ସମ୍ଭବ ଅଟେ । ଏହା ତ?”
ତହୁଁ ରାଜୀବ ଦୃଢୋକ୍ତି କଲେ “ହଁ, ଏହା ନିଶ୍ଚୟ ସମ୍ଭବ ।” ତାଙ୍କ କଥା ଶୁଣି ନରସିଂହ ଶର୍ମା ପ୍ରଶ୍ନ କଲେ “ତୁମେ କଣ ଏହା ରଚନା କରିପାରିବ?” ଏତେବେଳ ଯାଏଁ ସେ ଦୁହିଁଙ୍କର ବାର୍ତ୍ତାଳାପକୁ ଧ୍ୟାନର ସହିତ ଶୁଣୁଥିବା ମହାରାଜ ହସ୍ତକ୍ଷେପ କରି କହିଲେ, “ହେ କବିଗଣ! ମୁଁ ଯେଉଁ ସମୟସୀମା ନିର୍ଦ୍ଧାରଣ କରିଛି, ସେହି ସମୟ ମଧ୍ୟରେ କେହି ଉତ୍ତମ କାବ୍ୟ ରଚନା କରିବାରେ ସମର୍ଥ ହେଲେ, ମୁଁ ତାଙ୍କୁ ପୂର୍ଣ୍ଣ ଦରବାରରେ ସମ୍ମାନିତ କରିବା ସହିତ ରାଜସିଂହାସନର ସମୀପବର୍ତ୍ତୀ ଆସନ ପ୍ରଦାନ କରିବ ।”
ରାଜାଙ୍କର ଏହି ଆହ୍ୱାନକୁ ସେ ଦୁଇକବି ବିନୟପୂର୍ବକ ସ୍ୱୀକାର କଲେ ।
ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପରେ ପତ୍ନୀ ଶାନ୍ତିଦେବୀଙ୍କୁ ପତିଙ୍କ ମୁଖର ଅପ୍ରସନ୍ନତା ଆଉ ଗୋପନ ରହିଲା ନାହିଁ । ରାତ୍ରିଭୋଜନ ସମୟରେ ମଧ୍ୟ ନରସିଂହ ଶର୍ମା ଅନ୍ୟମନସ୍କ ରହିଲେ । କାହିଁକିନା ସେତେବେଳେ ତାଙ୍କର କାନ ପାଖରେ ବାରମ୍ବାର ରାଜୀବଙ୍କର ବ୍ୟଙ୍ଗ ପୂର୍ଣ୍ଣ ବାକ୍ୟମାନ ଗୁଂଜରି ଉଠୁଥାଏ । ପତିଙ୍କର ଏପରି ମାନସିକ ସ୍ଥିତି ଦେଖି ତାଙ୍କ ପତ୍ନୀ ପରିଚର୍ଯ୍ୟା ଉଦ୍ଧେଶ୍ୟରେ ନିକଟରେ ବସି ଏକ ପଂଖା ଚଳେଇ ପଚାରିଲେ, “ମନେ ହେଉଛି, ତୁମର ମନ ବିଚଳିତ ରହୁଛି । ରାଜସଭାରେ କେହି ତୁମକୁ କିଛି ଆଘାତ ପ୍ରଦାନକାରୀ କଥା କହିଲେ କି?”