ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉତ୍ତମ କାବ୍ୟ

                ସେହି ସମୟରେ କନ୍ୟା ମାଧବୀ ସେଠାରେ ଉପସ୍ଥିତ ହୋଇ ମା’ଙ୍କ କଥା ଶୁଣିନେଇ ହସିଉଠି କହିଲେ, “ପିତାଶ୍ରୀଙ୍କୁ ଦୁଃଖ ଦେବାପରି କଥା କହିବା ପାଇଁ ରାଜସଭାରେ ଏପରିକି ମହାରାଜ ମଧ୍ୟ ସାହସ କରିବେ କି? କାହିଁକିନା ତାଙ୍କର ପ୍ରତ୍ୟେକ କଥା ଗୋଟିଏ କବିତା, ପ୍ରତ୍ୟେକ ରଚନା ଏକ କାବ୍ୟ ସମ୍ଭାର ।”

                ସୁବର୍ଣ୍ଣ ପ୍ରତିମା ପରି ଝଟକୁଥିବା ଅଲିଅଳୀ କନ୍ୟାକୁ ବଡଆଦରରେ ପାଖକୁ ନେଇ ଶର୍ମା ମହାଶୟ କହିଲେ, “ତୁମର କଥା, ସଂପୂର୍ଣ୍ଣ ସତ୍ୟ । କିନ୍ତୁ ଆଜି ରାଜୀବ ନାମକ ଜଣେ ଯୁବକବି ମୋର କାବ୍ୟ ପ୍ରତିଭାକୁ ଆହ୍ୱାନ ଦେଇ, ମୋ ସହିତ ସମତାଳରେ କାବ୍ୟରଚନା କରିବା ପାଇଁ ଚୁକ୍ତିବଦ୍ଧ ହୋଇଛି ।” ଏହାପରେ ରାଜସଭାର ଘଟଣା ସେ ସବିସ୍ତାର ବର୍ଣ୍ଣନା କଲେ ।

                ରାଜୀବଙ୍କ ନାମ ଶୁଣୁ ଶୁଣୁ ମାଧବୀଙ୍କ ମୁହଁରେ ହଠାତ୍ ମଧୁରିମା ଖେଳିଗଲା । ପିତାଙ୍କ ସହ ଯେତେଥର ବି ସେ ରାଜସଭାକୁ ଯାଇଛନ୍ତି, ରାଜୀବଙ୍କ ଆଶୁକବିତା ରଚନା ଶୁଣି ସେ ମୁଗ୍ଧ ହୋଇଛନ୍ତି । ତାଙ୍କ ସୁନ୍ଦର ରୂପ ମଧ୍ୟ ତାଙ୍କୁ ବେଶ୍ ଆକର୍ଷିତ କରିଛି । କିନ୍ତୁ ତାଙ୍କ ପିତାଙ୍କ ପରି ଜଣେ ମହାନ କବିଙ୍କୁ ରାଜୀବଙ୍କ ପରି ଜଣେ ଯୁବକବି ଏପରି ଆହ୍ୱାନ ଦେବା ବିଷୟ ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ । ତାଙ୍କର ଏହି ଦୁଃସାହସ ପ୍ରତି କ୍ରୋଧିତ ହୋଇ ସେ କହିଲେ, “ଆପଣଙ୍କ ସମ୍ମୁଖରେ ତାର ବା ସ୍ଥିତି କାହିଁ? ମନେ ହେଉଛି, ମହିଷ ତା ଶିଙ୍ଗରେ ପର୍ବତ ଟାଳିବା ପାଇଁ ସାହସ କରୁଛି ।”

                ନରସିଂହ ଶର୍ମା ଗମ୍ଭୀରତାପୂର୍ବକ ମୁଣ୍ଡ ହଲାଇଲେ । ଭୋଜନ ଉପରାନ୍ତେ ତାଳ-ପତ୍ର ଧାରଣ କରି କାବ୍ୟ ରଚନା କାର୍ଯ୍ୟର ଶ୍ରୀଗଣେଶ କଲେ । କାବ୍ୟର ନାମକରଣ କଲେ, “ଜୀବନ ବଳୟ” । କାବ୍ୟରେ ମାନବଜୀବନର ବିବିଧ ଘଟଣାବଳୀକୁ ପ୍ରକୃତି ସହିତ ତୁଳନା କରି, ଉଦୟ ସମୟକୁ ବାଲ୍ୟାବସ୍ଥା, ମଧ୍ୟାହ୍ନ ସହିତ ଯୌବନ ଓ ସାୟଂକାଳକୁ ଜରା ସହିତ ଉପମା ଦେଇ ଅନୁପମ ଶୈଳୀରେ ସେ ଚିତ୍ରିତ କଲେ ଜୀବନର ପ୍ରତ୍ୟେକ ଛନ୍ଦକୁ ।

                ଦିବାରାତ୍ର ପରିଶ୍ରମ କରି ସେ ନିର୍ଦ୍ଧାରିତ ଅବଧି ମଧ୍ୟରେ କାବ୍ୟ ରଚନା ସଂପୂର୍ଣ୍ଣ କଲେ । ଏବେ ସେ ଖୁବ୍ ସଂତୃପ୍ତ ଅନୁଭବ କଲେ ।

                ଶିବରାତ୍ରୀ ଦିନ ନରସିଂହ ଶର୍ମା ତାଙ୍କ ପତ୍ନୀ ଓ କନ୍ୟା ଗହଣରେ ରାଜସଭାରେ ଆସି ଉପସ୍ଥିତ ହେଲେ  । ତତ୍ପୂର୍ବରୁ ସେଠାରେ ପହଁଚି ସାରିଥାଆନ୍ତି ରାଜୀବ, ଅନ୍ୟ ପଣ୍ଡିତ, କବି ମଣ୍ଡଳୀ ତଥା ନଗରର ଅନେକ ପ୍ରମୁଖ ବ୍ୟକ୍ତି । ମାଧବୀଙ୍କୁ ଦେଖି ରାଜୀବଙ୍କ ମୁଖରେ ସ୍ମିତ ହସ ଖେଳିଗଲା । ମାଧବୀ ମଧ୍ୟ ସଂକେତରେ ତାର ପ୍ରତ୍ୟୁତ୍ତର ଦେଲେ ।

ଠିକ୍ ଏହି ସମୟରେ ମହାରାଜ ସଭାସ୍ଥଳରେ ବିଜେ ହେବାରୁ ସମସ୍ତେ ନିଜ ନିଜ ଆସନରୁ ଉଠି ତାଙ୍କୁ ସମ୍ଭାଷଣ ଜଣାଇଲେ । ମହାରାଜ ଆସନ ଗ୍ରହଣ କରି ସମସ୍ତଙ୍କର ଅଭିବାଦନ ସ୍ୱୀକାର କରି କହିଲେ, “ଆଜି ଶିବରାତ୍ରୀ ଉତ୍ସବ । ଏବେ ନରସିଂହ ଶର୍ମା ଓ ରାଜୀବ ମହାଶୟ ସେମାନଙ୍କର କାବ୍ୟ ପଠନ ଦ୍ୱାରା ଆମକୁ ଆହ୍ଲାଦିତ କରିବେ ।”

ନରସିଂହ ଶର୍ମା ଆପଣା କଣ୍ଠ ପରିଷ୍କାର କରି ଅତି ମଧୁର ସ୍ୱରରେ ତାଙ୍କର କାବ୍ୟପଠନ ଆରମ୍ଭ କଲେ । ପ୍ରତ୍ୟେକ ପଦର ଭାବାର୍ଥ ସେ ବୁଝାଉଥିବା ସମୟରେ, ସେଠାରେ ଉପସ୍ଥିତ ଥିବା କବି, ପଣ୍ଡିତ, ନଗର-ପ୍ରମୁଖ ଓ ସ୍ୱୟଂ ମହାରାଜ ମନ୍ତ୍ରମୁଗ୍ଧ ହୋଇ ବସିରହିଥାନ୍ତି । କାବ୍ୟମାନ ସମାପ୍ତି ପରେ ସାରା ସଭାଗୃହ କରତାଳିରେ ପ୍ରତିଧ୍ୱନିତ ହୋଇଉଠିଲା ।

ତା’ପରେ ରାଜୀବଙ୍କ ପାଳି । ନିଜର ଥଳୀରୁ ଏକ ତାଳ ପତ୍ର ବିଡା ବାହାର କରି ସେ ମହାରାଜଙ୍କୁ ସମର୍ପଣ କଲେ । ମହାରାଜ ତାଳପତ୍ର ବିଡାଟି ଖୋଲି ଦେଖିଲେ, ସେଥିରେ ଗୋଟିଏ ହେଲେ ଅକ୍ଷର ମଧ୍ୟ ଲିଖିତ ହୋଇନାହିଁ । ତା’ପରେ ବିସ୍ମୟରେ ସେ ରାଜୀବଙ୍କୁ ପ୍ରଶ୍ନ କଲେ, “ଏହା କଣ ଆପଣଙ୍କ ବିରଚିତ ମହା କାବ୍ୟ?”


ଗପ ସାରଣୀ

ତାଲିକାଭୁକ୍ତ ଗପ