ରାଜାଙ୍କ ପ୍ରଶ୍ନ ଶୁଣି ରାଜୀବ ନିରୁତ୍ତର ରହି ହସିବାରେ ଲାଗିଲେ । ଏହା ଦେଖି ରାଜା କିଛି ସମୟ ଚିନ୍ତାରେ ପଡିଗଲେ । କିନ୍ତୁ ପରକ୍ଷଣରେ ତାଙ୍କମନରେ ଏକ ଚିନ୍ତାଧାରା ଖେଳିଉଠିଲା ଓ ଅତି ଆଦରରେ ରାଜୀବଙ୍କୁ ସେ କହିଲେ, “ସେ ଯାହା ବି ହେଉ, ନରସିଂହ ଶର୍ମାଙ୍କ ଦ୍ୱାରା ଏତେ ସୁନ୍ଦର କାବ୍ୟଟିଏ ରଚନା କରେଇ ପାରିବାର ଶ୍ରେୟ ଆପଣଙ୍କର ପ୍ରାପ୍ୟ ଅଟେ ।”
ଏସବୁ ଘଟଣା ଦେଖି ମନ୍ତ୍ରୀ ଧୀରମତି ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ପ୍ରଭୁ, ଆପଣଙ୍କ କଥା ମୋର ବୋଧଗମ୍ୟ ହେଉନାହିଁ । ନରସିଂହ ଶର୍ମାଙ୍କର ଏହି ମହାନ କାବ୍ୟ ରଚନାର କାରଣ ରାଜୀବ, ଏହା କିପରି ସମ୍ଭବ ହେବ?”
ଏହାପରେ ଅଳ୍ପହସି ମହାରାଜ କହିଲେ, “ଶ୍ରୀମାନ ରାଜୀବ ନିଜର କାବ୍ୟ ରଚନା ଶକ୍ତି ସମ୍ବନ୍ଧରେ ଖୁବ୍ ସଚେତନ । ତେବେ ମଧ୍ୟ ନରସିଂହ ଶର୍ମାଙ୍କ ପରି ମହାନ୍ କବିଙ୍କୁ ଏପରି ଆହ୍ୱାନ ଦେବା ପଛରେ ଥିବା ରହସ୍ୟ ସରସ୍ୱତୀଙ୍କୁ ଜାଗ୍ରତ କରିବା ପାଇଁ । ଏପରି ତାଙ୍କର କବିତା-ଶକ୍ତି ରୂପକ ସାଗରରେ ଯେଉଁ ଆଲୋଡନ ସୃଷ୍ଟି ହେଲା, ସେହି ଆଲୋଡନରୁ ସୃଷ୍ଟି ରସ ସମ୍ଭାର ଏବେ ଆମେ ସମସ୍ତେ ଆସ୍ୱାଦନ କରି ଆନନ୍ଦିତ ହେଉଅଛୁ ।”
ନରସିଂହ ଶର୍ମା ତତ୍କ୍ଷଣାତ୍ ରାଜୀବଙ୍କ ପାଖକୁ ଯାଇ ତାଙ୍କୁ ଧନ୍ୟବାଦ ଜଣେଇ କହିଲେ, “ପୁତ୍ର, ମୁଁ ତୁମକୁ ଭୁଲ୍ ବୁଝିଥିଲି । ତୁମେ ଏହା ପାଶୋରି ଦେବ ।”
ସେହିକ୍ଷଣି ରାଜୀବ ବିନୟ ପୂର୍ବକ କହିଲେ, “ଉତ୍ତମ କାବ୍ୟ ରଚନା ପାଇଁ ଆପଣଙ୍କୁ ଅନୁପ୍ରେରିତ କରିବା ପାଇଁ ମୁଁ ଯେପରି ଆହ୍ୱାନ ଦେଇଥିଲି, ସେଥିପାଇଁ ଏହି ରାଜଦରବାର ମାଧ୍ୟମରେ ମୁଁ ଆପଣଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି ।”
ମହାରାଜ ବଡ ଆଡମ୍ବର ସହକାରେ ନରସିଂହ ଶର୍ମାଙ୍କୁ ରାଜଦରବାରରେ ସମ୍ମାନିତ କଲେ ଓ ରାଜସିଂହାସନର ସମୀପବର୍ତ୍ତୀ ଆସନ ପ୍ରଦାନ କଲେ ।
ଦରବାରରେ ପ୍ରବେଶ କରିବା ସମୟରେ ମହାରାଜ ତ ମାଧବୀ ଓ ରାଜୀବଙ୍କ ସ୍ମିତହାସ୍ୟ ଓ ସଙ୍କେତ ଦେଖି ପାରିଥିଲେ । ସେମାନେ ଯେ ପରସ୍ପର ପ୍ରତି ଆକୃଷ୍ଟ ଏହା ହୃଦୟଙ୍ଗମ କରି ସେ ନରସିଂହ ଶର୍ମାଙ୍କୁ ସେହି ଶୁଭ ଅବସରରେ ଆଉ ଏକ ଶୁଭ ନିର୍ଣ୍ଣୟ ନେବାପାଇଁ ଅନୁରୋଧ କଲେ ।
ନରସିଂହ ଶର୍ମା ତାହା ଜାଣିବାକୁ ଚାହିଁବାରୁ ମହାରାଜ ହସହସ ମୁଖରେ କହିଲେ, “ରାଜୀବଙ୍କୁ ଆପଣଙ୍କର ଜାମାତା ରୂପେ ବରଣ କରନ୍ତୁ । ତାହେଲ ଯାଇ ସେ ଆପଣଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସର୍ବଦା ରହିବେ ।”
ନରସିଂହ ଶର୍ମା ଏହି ପ୍ରସ୍ତାବରେ ଖୁବ୍ ଆନନ୍ଦିତ ହେଲେ ମଧ୍ୟ ପ୍ରଥମେ ସେ ନିଜ କନ୍ୟାର ମତାମତ ଜାଣିବାକୁ ଚାହିଁଲେ ।
“ଯାହା ଆପଣଙ୍କ ଇଚ୍ଛା”କହି ମାଧବୀ ଲଜ୍ଜାରେ ମନ୍ଦ ମନ୍ଦ ହସିଲେ । ତତ୍ପରେ ଶର୍ମା ରାଜୀବଙ୍କୁ ତାଙ୍କର ସମ୍ମତି ବିଷୟରେ ପ୍ରଶ୍ନ କଲେ ।
ଏହା ଶୁଣି ଆନନ୍ଦ ଆତିଶଯ୍ୟରେ ରାଜୀବ ପ୍ରକାଶ କଲେ “ମୁଁ ତ ଜଣେ ସାଧାରଣ କବି । ଆପଣଙ୍କ ଜାମାତା ହେବାର ସୌଭାଗ୍ୟକୁ କଣ କେବେ ମୁଁ ନାସ୍ତି କରିପାରେ?”
ଭାବୀ ବର-ବଧୂଙ୍କୁ କବି ଓ ପଣ୍ଡିତ ମଣ୍ଡଳୀ କର ତାଳି ମାଧ୍ୟମରେ ସହର୍ଷ ଅଭିନନ୍ଦନ ଜଣାଇଲେ ।