ଘରେ ଅନେକ ଦୁଧିଆଳୀ ଗାଈ ରଖିବାକୁ ଜଣେ ଜମିଦାରଙ୍କର ଭାରି ସଉକ୍ ଥାଏ । ତେଣୁ ସେ ତାଙ୍କ ଗୁମାସ୍ତାକୁ ସାଙ୍ଗରେ ଧରି ହାଟକୁ ଯାଇ ଗାଈସବୁ ବାଛି କିଣନ୍ତି ।
ଥରେ ସେ ହାଟକୁ ଯାଇ ବହୁତ ଖୋଜି ଖୋଜି ଭଲ ଗାଈ ପାଇଲେ ନାହିଁ । ସେ ଫେରି ଯିବାକୁ ବସିଛନ୍ତି । ଠିକ୍ ଏହି ସମୟରେ ସେ ଦେଖିଲେ ଜଣେ ଚାଷୀ ଗାଈଟିଏ ବାଛୁରୀ ସହିତ ଧରି ବିକ୍ରି କରିବାକୁ ଯାଉଛି । ସେ ଗାଈଟିକୁ ଦେଖି ଜମିଦାରଙ୍କୁ ଭାରି ଭଲ ଲାଗିଲା । ତେଣୁ ସେ ଚାଷୀକୁ ପ୍ରଶ୍ନକଲେ, “ଗାଈଟି ବିକ୍ରି କରିବ ନା କ’ଣ?” ଚାଷୀଟି ପ୍ରତ୍ୟୁତ୍ତରରେ କହିଲା “ବିକ୍ରି କରିବାକୁ ତ ମୁଁ ଏହାକୁ ଏତେ ଦୂରରୁ ଅଡେଇ ଆଣିଛି ହଜୁର୍ ।”
ଜମିଦାର ପଚାରିଲେ “ତୁମ ଗାଈଟି କ’ଣ ଭଲ ଗାଈ?
ତହୁଁ ସେ ଚାଷୀ କହିଲା “ହଜୁର୍ ମୋ ଗାଈଟି ବହୁତ ଭଲ ।”
ଜମିଦାର ପୁଣି ପଚାରିଲେ “ଠିକ୍ ଅଛି । ତେବେ ଆଉ ଗୋଟିଏ କଥା ତୁମର ଏହି ଗାଈ ସିଙ୍ଗରେ ଭୂଷେ ନାହିଁ?”
ଚାଷୀଟି ଚଟାପଟ ଉତ୍ତର ଦେଲା “ତାକୁ ହଇରାଣ କଲେ ସେ ଭୂଷିବ ନାହିଁ କାହିଁକି? ମଣିଷକୁ କଷ୍ଟ ହେଲେ ସେ ତ ପୁଣି ତା’ ହାତ ଉଠାଉଛି । ହେଲେ ବିଚାରୀ ପଶୁ କ’ଣ କରିବ? ସିଙ୍ଗରେ ମାରିବ ।”
ଜମିଦାର ପୁନଃ ପଚାରିଲେ “ଆଚ୍ଛା ଆଉ ଗୋଟିଏ କଥା । ତୁମର ଏ ଗାଈଟି ପ୍ରତିଦିନ କେତେ ଦୁଧ ଦିଏ?”
ଜମିଦାରଙ୍କ କଥାରେ ଚାଷୀଟି କହିଲା “ସେ କଥା କହିବା ତ ଭାରି କଷ୍ଟ ହଜୁର୍ । ହଁ ଗୋଟିଏ କଥା ମୁଁ ନିଶ୍ଚିତ ରୂପେ କହିପାରେ ଯେ ମୋ ଗାଈ ଟୋପାଏ ବି ଦୁଧ ନିଜ ପାଖରେ ରଖେ ନାହିଁ । ତା’ପାଖରେ ଯେତେ ଥାଏ ସବୁତକ ସେ ଦେଇ ଦିଏ ।”
ଏହି ଉତ୍ତରଟି ଶୁଣି ଜମିଦାର ହସି ଉଠିଲେ । ସେ ଚାଷୀ ସହିତ ଆଉ ବେଶି କିଛି ପ୍ରଶ୍ନୋତ୍ତର ନକରି ଗାଈଟିର ଦାମ୍ ସିଧା ଦେଇ ଦେଲେ । ଖୁସିରେ ଗାଈଟିକୁ ଧରି ଘରକୁ ଫେରିଲେ ।