ଏକଥା ଶୁଣିଲାପରେ ଶିକ୍ଷକ ପିଲାଟି ଉପରେ ବିରକ୍ତ ନ ହୋଇ କହିଲେ ଯେ, “ଅନ୍ୟର ଲେଖାକୁ ନିଜର ଲେଖା କହିବା ଚୋରି କରିବା ସହିତ ସମାନ । ସୁତରାଂ ଏହାକୁ ପାପ ବୋଲି ବିବେଚନା କରାଯାଇଥାଏ । ସୁତରାଂ ତୁ ଅନ୍ୟର ଲେଖାକୁ ଚୋରି କରିଥିବା ଓ ମିଥ୍ୟା କହିଥିବାରୁ ଦଣ୍ଡପାଇବୁ । ଆଉ ତୋ ପାଇଁ ସେହି ଦଣ୍ଡହେଲା, ତୋ ଅକ୍ଷର ଭାରିସୁନ୍ଦର ହୋଇଥିବାରୁ ଏଥର ପୂରା ପତ୍ରିକାର ସବୁଗଳ୍ପ ଓ କବିତା କେବଳ ତୋ ଅକ୍ଷରରେ ହିଁ ଲେଖାଯିବ । ପନ୍ଦର ଦିନ ଭିତରେ ଏହି ଲେଖା କାର୍ଯ୍ୟ ଶେଷହେଲେ ବହି ଛପାଯିବ ।”
ପିଲାଟି ଦଣ୍ଡପାଇବ ବୋଲି ଆତଙ୍କିତ ହୋଇ ପଡିଥିଲା ବେଳେ ଶିକ୍ଷକଙ୍କ ମୁହଁରୁ ଏଭଳି କଥା ଶୁଣି ଦଣ୍ଡ ବଦଳରେ ସେ ପୁରସ୍କାର ପାଇଗଲା ବୋଲି ମନରେ ଭାବି କେତେ ଖୁସିହୋଇଗଲା । ତେବେ ଶିକ୍ଷକଙ୍କର ପିଲାଟି ପ୍ରତି ଏଭଳି ଦୟା କାହିଁକି ବୋଲି ଆଶ୍ଚର୍ଯ୍ୟ ବି ହେଉଥିଲା । ଏଥର ସେ ଖୁସିମନରେ ପତ୍ରିକା ଲେଖା କାମରେ ଲାଗିଯାଇ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିଦେଲା ଓ ତା’ ହାତର କମାଲ୍ ବି ଦେଖାଇ ଦେଲା । ଆଉ ଯେତେବେଳେ ପିଲାଟିର ହାତ ଲେଖା ଅକ୍ଷରରେ ପତ୍ରିକାଟି ଛପା ହୋଇ ବାହାରିଲା, ସେତେବେଳେ ତା’ର ଆନନ୍ଦ କହିଲେ ନ ସରେ, ଯିଏ ପଢିଲା ପିଲାଟିର ଅକ୍ଷରକୁ ପ୍ରଶଂସା ନ କରି ରହିପାରିଲା ନାହିଁ । ଫଳରେ ତା’ର ଉତ୍ସାହ ଶତଗୁଣରେ ବଢିଗଲା । ଏବେ ପିଲାଟି ପାଇଁ ଶିକ୍ଷକଙ୍କର ଦଣ୍ଡ ପୁରସ୍କାରରେ ପରିଣତ ହୋଇଗଲା ।
ପତ୍ରିକାର ପ୍ରଥମ ପୃଷ୍ଠାରେ ପିଲାଟି ହାତରୁ ସୁନ୍ଦର ଅକ୍ଷରରେ ତା’ର ନାମ ପ୍ରକାଶିତ ହୋଇଥିବା ଦେଖି ସିଏତ ବିସ୍ମିତ ହେଲା, ତା’ ଛଡା ଯିଏ ପଢିଲା ବି ସିଏ ଆଶ୍ଚର୍ଯ୍ୟ ହୋଇଗଲା । ସେହିଦିନଠାରୁ ପିଲାଟିର ଆଚରଣ ବଦଳିଗଲା । ଏଣିକି ସେ ମିଛ କହିଲା ନାହିଁ କି ଚୋରି ଭଳି ଖରାପ କାମ କଲା ନାହିଁ । ଶେଷରେ ପିଲାଟିର ସମସ୍ତ କୁ-ପ୍ରବୃତି ଦୂରେଇଗଲା ଓ ସେ ଭଲପିଲା ହୋଇଗଲା ।