ଶିବପୁରୀର ରାଜା ଧର୍ମନନ୍ଦନଙ୍କର ଦୁଇ ରାଣୀ ଥିଲେ । ବଡ ରାଣୀଙ୍କ ପୁଅର ନାମ ବିଜୟସେନ ଓ ସାନ ରାଣୀଙ୍କ ପୁଅର ନାମ ସତ୍ୟସେନ ।
ରାଜାଙ୍କ ଅନ୍ତେ ଯିଏ ବି ରାଜା ହେବ, ପୂର୍ବରୁ ତ ତାକୁ ଯୁବରାଜ ପଦରେ ଅଭିଷିକ୍ତ କରା ହେବା କଥା । ଦୁଇ ପୁଅଯାକ ଯୋଗ୍ୟ । ରାଜା କାହାକୁ ଯୁବରାଜ କରିବେ, ତାହା ସେ ଠିକ୍ କରିପାରୁ ନଥିଲେ । ସେଥିରେ ପୁଣି କିଛି ସମସ୍ୟା ବି ଥିଲା । ବଡ ରାଣୀଙ୍କ ପୁଅ ବିଜୟସେନ ସାନରାଣୀଙ୍କ ପୁଅ ସତ୍ୟସେନ ଅପେକ୍ଷା ବୟସରେ ଟିକିଏ ସାନ । ବଡ ରାଣୀ ଚାହୁଁଥିଲେ ଯେ ତାଙ୍କ ପୁଅ ବିଜୟସେନ ହିଁ ରାଜା ହେବ – ଯେହେତୁ ସିଏ ବଡ ରାଣୀଙ୍କ ପୁଅ । ସାନରାଣୀ ବି ଚାହୁଁଥିଲେ ତାଙ୍କ ପୁଅ ସତ୍ୟସେନ ରାଜା ହେବ – ଯେହେତୁ ସିଏ ବୟସରେ ବଡ ।
ରାଜା ତାଙ୍କ ଦୁଇ ରାଣୀଙ୍କ ମଧ୍ୟରୁ କାହାରି ମନରେ ବି କଷ୍ଟ ଦେବାକୁ ଚାହୁଁ ନଥିଲେ ସତ, କିନ୍ତୁ ସେ ଚାହୁଁ ଥିଲେ କି ବିଜୟସେନ ରାଜା ହୁଅନ୍ତୁ ।
ଶିବପୁରୀକୁ ଲାଗି ଗଙ୍ଗାପୁର ରାଜ୍ୟ । ସେଠାକାର ରାଜା ଅମରେନ୍ଦ୍ର ହେଲେ ଶିବପୁରୀର ସାନରାଣୀଙ୍କ ଭାଇ । ସେ ନିଃସନ୍ତାନ ଥିଲେ । ତେଣୁ ସେ ନିଜ ଭଣଜା ସତ୍ୟସେନଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିବାକୁ ଚାହୁଁଥିଲେ । ତା’ ସଙ୍ଗେ ସଙ୍ଗେ ସେ ଏହାବି ଚାହୁଁଥିଲେ କି ଶିବପୁରୀର ଜ୍ୟେଷ୍ଠ ରାଜକୁମାର ହିସାବରେ କେବଳ ସତ୍ୟସେନ ହିଁ ଶିବପୁରୀ ରାଜ୍ୟ ପାଇବାକୁ ହକ୍ଦାର । ଏହିଭଳି ଭାବେ ତାଙ୍କ ଭଣଜା ଦୁଇରାଜ୍ୟର ରାଜା ହେବେ – ଏହାହିଁ ଥିଲା ତାଙ୍କ ଇଚ୍ଛା ।
ସେତେବେଳେ ସେ ଖଣ୍ଡମଣ୍ଡଳରେ ଦେଶିକାଚାର୍ଯ୍ୟ ନାମକ ଜଣେ ପଣ୍ଡିତଙ୍କଠୁଁ ବଳି ଆଉ ବଡ ପଣ୍ଡିତ କେହି ବି ନଥିଲେ । ଦେଶିକାଚାର୍ଯ୍ୟ ରାଜନୀତି, ଦର୍ଶନ, ପରମ୍ପରା, ନୀତିଶାସ୍ତ୍ର – ଏସବୁ ବିଷୟରେ ଖାଲି ଯେ ଅଗାଧ ଜ୍ଞାନର ଅଧିକାରୀ ଥିଲେ, ତାହା ନୁହେଁ, ବରଂ ସେ ରାଜାମାନଙ୍କୁ ବି ତାଙ୍କ ଜ୍ଞାନ ଅନୁସାରେ ଯଥାର୍ଥ ପରାମର୍ଶ ଦେଇ ପାରୁଥିଲେ । ତାଙ୍କ ପରାମର୍ଶ ବା ସିଦ୍ଧାନ୍ତକୁ କେହି ମଧ୍ୟ ଅବଜ୍ଞା କରୁନଥିଲେ ।