ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉତ୍ତରାଧିକାରୀ

ପରଦିନ ରାଜପୁରୋହିତ ମଧ୍ୟ ସେ ଫୁଲଟିକୁ ଭଲଭାବରେ ପରୀକ୍ଷା କରି କହିଲେ, “ମହାରାଜ, ଦେବଲୋକରେ ଗନ୍ଧର୍ବ ଓ କିନ୍ନର ସ୍ତ୍ରୀମାନଙ୍କର ଏହା ଏକ ପ୍ରିୟ ପୁଷ୍ପ । ଏହାର ନାମ ହେଉଛି ଅମୃତ ବର୍ଦ୍ଧନୀ । ଆୟୁର୍ବେଦ ଅନୁସାରେ ଏହି ପୁଷ୍ପ ବୃଦ୍ଧକୁ ମଧ୍ୟ ଯୌବନ ଦାନ କରିପାରେ; କୌଣସି ଯୁବକ ବା ଯୁବତୀ ଏହି ପୁଷ୍ପକୁ ଧ୍ୟାନ କରି ଜପିଲେ ବୃଦ୍ଧକୁ ନିଜ ଯୌବନ ଦାନ କରିପାରେ । ଏହା କେବଳ ଜଣକ ପାଇଁ କାର୍ଯ୍ୟ କରିବ ।”

                ରାଜ ପୁରୋହିତଙ୍କ କଥା ଶୁଣି ରାଜା ଖୁସି ହୋଇ ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀ, ରାଜ୍ୟରେ ଘୋଷଣା କରିଦିଅ ଯେ ଯେଉଁ ଯୁବକ ରାଜାଙ୍କୁ ତାର ଯୌବନ ଦାନ କରିବ, ତାଙ୍କୁ ଯଥେଷ୍ଟ ପୁରସ୍କାର ମିଳିବ ।”

                ରାଜ୍ୟସାରା ଘୋଷଣା ତ କରାଗଲା । କିନ୍ତୁ ଏକ ସପ୍ତାହ ପର୍ଯ୍ୟନ୍ତ କେହିବି ଆସିଲେ ନାହିଁ । ରାଜା ବଡ ନିରାଶ ହୋଇ ପଡିଲେ । ମନ୍ତ୍ରୀଙ୍କର ମଧ୍ୟ ମନଦୁଃଖ ହେଲା । ସେ କେତେକ ସୈନିକ ସାଥିରେ ନେଇ କୌଣସି ଯୁବକକୁ ପାଇବା ଆଶାରେ ନିଜ ରାଜ୍ୟ ଛାଡି ଅନ୍ୟରାଜ୍ୟରେ ଯାଇ ପ୍ରବେଶ କଲେ । ଦେଖିଲେ ଗୋଟିଏ ଅତିଥିଶାଳାର ବାହାରେ ଗଛ ତଳେ ଥିବା ଚଉତରା ଉପରେ ଦି’ଜଣ ଭିକାରୀ ବସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅନ୍ଧ ଓ ଅନ୍ୟଟି କୌଣସି ଚର୍ମରୋଗରେ ପୀଡିତ । ମନ୍ତ୍ରୀ ସେମାନଙ୍କ ପାଖକୁ ଯାଇ କହିଲେ, “ସପ୍ତାହକ ପୂର୍ବରୁ ମହାରାଜ ଘୋଷଣା କରିଥିଲେ କି ଯିଏ ତାର ଯୌବନ ରାଜାଙ୍କୁ ଅର୍ପଣ କରିବ, ସେ ତାକୁ ରାଜ୍ୟର କିଛି ଅଂଶ ଦେବେ ଓ ବହୁତ ଧନସମ୍ପତ୍ତି ଉପହାର ସ୍ୱରୂପ ଦେବେ । ଏବେ ଆସ ରାଜାଙ୍କ ପ୍ରସ୍ତାବ ସ୍ୱୀକାର କରିବ ତୁମର ବାକିତକ ଜୀବନ ବଡ ଆନନ୍ଦରେ ଓ ଆରାମରେ କାଟିବ ।”

                ମନ୍ତ୍ରୀଙ୍କ କଥା ଶୁଣି ସେମାନଙ୍କ ମନରେ କୌଣସି ଉତ୍ସାହ ଦେଖାଦେଲା ନାହିଁ । ମନ୍ତ୍ରୀ ପଚାରିଲେ, “ଏ ପ୍ରସ୍ତାବ ତୁମର କ’ଣ ପସନ୍ଦ ନୁହେଁ?” ଅନ୍ଧଟି କହିଲା, “ମହାଶୟ ମୁଁ ତ ଆଜନ୍ମ ଅନ୍ଧ; ଏତେ ଧନସମ୍ପତ୍ତି ପାଇବାରେ କି ଲାଭ? ସେସବୁ ନେଇ ମୁଁ କ’ଣ ବା କରିବି?”

                ଅନ୍ୟ ଭିକାରୀଟି କହିଲା, “ମୁଁ ବରଂ ମୋ ଜୀବନ ମହାରାଜାଙ୍କୁ ଦେଇ ଦେଉଛି । କିନ୍ତୁ ବୁଢା ହୋଇ ଧନ ନେଇ ମୁଁ ବା କ’ଣ କରିବି?” ଚର୍ମରୋଗ ତ ରହିଛି । ପୁଣି ବାର୍ଦ୍ଧକ୍ୟ ହେବ । ମୋ କଷ୍ଟର କ’ଣ ଆଉ ସୀମା ରହିବ?”

                ମନ୍ତ୍ରୀ ରାଗିଗଲେ ଓ ସେମାନଙ୍କୁ ଛାଡି ଆଗକୁ ଚାଲିଲେ । ବହୁସ୍ଥାନ ବୁଲି ବୁଲି ନିରାଶ ହୋଇ ମନ୍ତ୍ରୀ ପୁଣି ରାଜନଅରକୁ ଲେଉଟି ଆସିଲେ । ଦେଖିଲେ ମହାରାଜା ଡାକୁ ରାମସିଂହର ବିଚାର କରୁଛନ୍ତି । ସେ ବହୁ ଦିନରୁ ବହୁ ଚୋରି ଡକାଏତି ଘଟଣାରେ ସଂପୃକ୍ତ ଥିଲା । ଡାକୁ ଯୁବକ, ବୟସ ତା’ର କୋଡିଏ ପାଖାପାଖି । ରାମସିଂହ କହିଲା, “ମହାରାଜ, ମୁଁ ଧନବାନ ଲୋକଙ୍କଠାରୁ ଚୋରୀକରେ; ଅସତ୍ ଉପାୟରେ ଟଙ୍କା ରୋଜଗାର କରେ ଏହି ଧନୀ ଲୋକଙ୍କ ଠାରୁ; ତାପରେ ସେସବୁ ନେଇ ମୁଁ ଗରୀବଙ୍କ ମଧ୍ୟରେ ବାଂଟିଦିଏ । ମୁଁ ସ୍ତ୍ରୀ, ଶିଶୁ ବା ବୃଦ୍ଧ ଲୋକଙ୍କର କେବେବି କୌଣସି କ୍ଷତି କରେ ନାହିଁ । କେହି ଯଦି ମୋତେ ମାରିବାକୁ ଚେଷ୍ଟା କରେ ମୁଁ ପାରିଲେ କେବଳ ତାକୁହିଁ ମାରେ ।”

                ଏସବୁ କଥା ରାମସିଂହ ବଡ ନିର୍ଭୀକ ହୋଇ କହିବାରୁ ରାଜା ବହୁତ ଖୁସି ହେଲେ । କିନ୍ତୁ ତାକୁ ସମ୍ପୂର୍ଣ୍ଣ ମୁକ୍ତ କରି ପାରୁନାହାଁନ୍ତି, କି ଦଣ୍ଡ ମଧ୍ୟ ଦେଇ ପାରୁନାହାଁନ୍ତି । ରାଜା ମହା ଅସୁବିଧାରେ ପଡିଲେ ।

                ସେତିକିବେଳେ ମନ୍ତ୍ରୀ ରାଜାଙ୍କ ପରିସ୍ଥିତି ବୁଝିପାରି ତାଙ୍କ କାନରେ କହିଲେ, “ମୁଁ ସବୁ ଆଡେ ବୁଲିବୁଲି ଶେଷକୁ ନିରାଶ ହୋଇ ଫେରିଲି । କିନ୍ତୁ ଏହି ଡାକୁକୁ ଦେଖି ମୋ ମନରେ ଆଶାର ସଂଚାର ହେଉଛି । ଆପଣ କେବଳ ଅନୁମତି ଦେଲେ ମୁଁ ଅନ୍ୟସବୁ କିଛି ସମ୍ଭାଳି ନେବି ।”

                ରାଜାଙ୍କର ବଂଚିବାର ଇଚ୍ଛା ବଳବତୀ ଥିବାରୁ ସେ ସହଜରେ ମନ୍ତ୍ରୀଙ୍କ କଥାକୁ ମାନିନେଲେ । ମନ୍ତ୍ରୀ ତାପରେ ଡାକୁ ପାଖକୁ ଯାଇ କହିଲେ, “ରାମସିଂହ, ତୁମେ ଯେତେ ଯେତେ ଭୟଙ୍କର ଅପରାଧସବୁ କରିଛ ସେଥିପାଇଁ ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ । କିନ୍ତୁ…”

                ମନ୍ତ୍ରୀ ଆଉ କିଛି କହିବା ପୂର୍ବରୁ ଡାକୁ ରାମସିଂହ ହସି ହସି କହିଲା, “ମୁଁ ଯଦି ମୋ ଯୌବନ ମହାରାଜାଙ୍କୁ ଦେଇଦିଏ, ତେବେ ମୋର ପ୍ରାଣଦଣ୍ଡ ବନ୍ଦ ହେବ ଏବଂ ମୁଁ ଅନେକ ଧନ ସମ୍ପତ୍ତି ଓ ଏ ରାଜ୍ୟର କିଛି ଅଂଶ ପାଇବି । ଏଇ କଥା ନା?”

                ଡାକୁର ବୁଦ୍ଧି ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ ହେଲେ । ସେ ନିଜକୁ ସଂଯତ କରି କହିଲେ, “ତୁମେ ଠିକ୍ ମୋ ମନ କଥା କହିଦେଲ, ତୁମର ମଙ୍ଗଳ ହେଉ; ଏବେ କୁହ ତୁମର ଇଚ୍ଛା କ’ଣ? ଆମ ପ୍ରସ୍ତାବରେ ତୁମେ ରାଜି ତ?”

                ମନ୍ତ୍ରୀଙ୍କ କଥା ଶୁଣି ରାମସିଂହ ଜୋର୍ରେ ହସି ହସି କହିଲା, “ମହାରାଜ ଯଦି ନିର୍ମଳ  ହୃଦୟରେ ମୋତେ କ୍ଷମା କରିଦିଅନ୍ତି ତ ମୁଁ ତାଙ୍କ ନିକଟରେ ସାରାଜୀବନ ପାଇଁ କୃତଜ୍ଞ ରହିବି । ଯଦି ଆଇନ୍ ଅନୁସାରେ ଦଣ୍ଡ ଦେବେ ତ ତାଙ୍କର କର୍ତ୍ତବ୍ୟ ବୋଧକୁ ମୁଁ ବହୁତ ପ୍ରଶଂସା କରିବି । କିନ୍ତୁ ଏହି ଦୁଇଟିରୁ କୌଣସିଟି ନହେଲେ ମୋମନ ବଡ ଦୁଃଖ ହେବ କାରଣ ମୋର ଅନୁମାନ ଭୁଲ୍ ହୋଇଯିବ । ତାଙ୍କ ଘୋଷଣା ମୁଁ ମଧ୍ୟ ଶୁଣିଥିଲି ଏବଂ ମୋର ଯୌବନ ମହାରାଜାଙ୍କୁ ଦେବି ବୋଲି ମନସ୍ଥ କରି ବାହାରକୁ ଆସିବା ମାତ୍ରେ ସୈନିକଙ୍କ ହାତରେ ପଡି ମୁଁ ଧରା ହେଲି । କିନ୍ତୁ ଏ ପରିସ୍ଥିତିରେ ମୁଁ ମୋର ନିଷ୍ପତି ବଦଳାଇ ଦେଉଛି । କାରଣ ଚତୁର୍ଦ୍ଦିଗରେ ମୁଁ ଦେଖୁଛି ଖାଲି ସ୍ୱାର୍ଥହିଁ ସ୍ୱାର୍ଥ । ତେଣୁ କୌଣସି ପ୍ରୟୋଜନ ଯଦି ସ୍ୱାର୍ଥ ଯୋଗୁଁ ହୋଇଥାଏ, ତେବେ ମୁଁ ଏହାକୁ ଡାକୁର କାମ ଅପେକ୍ଷା ଅଧିକ ନୀଚ ବୋଲି କହିବି । ଆମର ମହାରାଜା ଏବେ ସେହି ପ୍ରବୃତ୍ତି ଦ୍ୱାରା ପ୍ରଭାବିତ ।”

                ଡାକୁର ଏଭଳି କଥା ଶୁଣି ରାଜା ରାଗିଯାଇ କହିଲେ, “ଏବେ ତୁମେ ଯେଉଁ ଅପରାଧ କଲ, ସେଥିପାଇଁ ମୁଁ ତୁମକୁ ଫାଶୀରେ ଝୁଲାଇବି ।”

                କିନ୍ତୁ ରାମସିଂହ ସେଥିରେ ମୋଟେ ବିଚଳିତ ନହୋଇ କହିଲା, “ଆପଣ ଯଦି ଏହାକୁ ନ୍ୟାୟ କହୁଛନ୍ତି, ତେବେ ଠିକ୍ ଅଛି । ଆପଣଙ୍କର ଯାହା ଇଚ୍ଛା କରନ୍ତୁ; କିନ୍ତୁ ମୃତ୍ୟୁକୁ ଭୟ କରି ମୁଁ ମନ୍ତ୍ରୀଙ୍କ କଥା କଦାପି ମଧ୍ୟ ସ୍ୱୀକାର କରି ପାରିବି ନାହିଁ ।”

                ଡାକୁର ଏପ୍ରକାର ସାହସ ଦେଖି ରାଜାଙ୍କ ଆଖି ଖୋଲିଗଲା । ରାଜା ସ୍ତବ୍ଧ ହୋଇ କିଛି ସମୟ ପାଇଁ ସିଂହାସନରେ ବସି ରହିଲେ ଓ ପରେ ଉଠି ଡାକୁ ପାଖକୁ ଯାଇ ତାକୁ ସେ ସ୍ନେହରେ କହିଲେ “ରାମସିଂହ ତୁମର ସାହସ ମୋ ଆଖି ଖୋଲି ଦେଇଛି । ତୁମେ ମହାନ୍, ଯିଏ ମୃତ୍ୟୁକୁ ମଧ୍ୟ ଭୟ କରେ ନାହିଁ । ମୋ ପୂର୍ବଜନ୍ମର ସୁକୃତରୁ ମୁଁ ତୁମ ପରି ଲୋକର ସଙ୍ଗଲାଭ କଲି । ମୋ ସିଂହାସନ ପାଇଁ ଏବେ ପର୍ଯ୍ୟନ୍ତ କେହି ଉତ୍ତରାଧିକାରୀ ନଥିଲେ । ମୁଁ ଆଜି ତୁମକୁହିଁ ସିଂହାସନରେ ବସାଇବି ଓ ନିଜେ ସନ୍ନ୍ୟାସୀ ହୋଇ ଏଠାରୁ ଚାଲିଯିବି ।”

                ବେତାଳ ତା’ର ଏହି ଗପଟି ଶୁଣାଇ ସାରି କହିଲା, “ରାଜନ୍, ବୃଦ୍ଧ ରାଜାଙ୍କର ଏପରି କଥା ତୁମକୁ ସ୍ୱାଭାବିକ ଲାଗୁଛି କି? ଲୁଟ ତରାଜ କରି ମଣିଷ ମାରି ଯିଏ ମୃତ୍ୟୁଦଣ୍ଡ ପାଇବାକୁ ଯାଉଛି, ତାକୁ ଏତେ ଶ୍ରଦ୍ଧା କରି ରାଜ୍ୟସିଂହାସନ ଦେବା ଘୋର ମୂର୍ଖତା ନୁହେଁ କି? ପୁଣି ସେ ନିଜେ କାହିଁକି ବା ସନ୍ନ୍ୟାସୀ ହେଲେ? ମୋର ଏ ସନ୍ଦେହ ଦୂର କରିବାକୁ ଉତ୍ତର ଦିଅ । ଆଉ ଯଦି ଉତ୍ତର ଜାଣିକିବି ନ ଦେବ ତେବେ ତୁମର ମଥା ସ୍କନ୍ଧଚ୍ୟୁତ ହେବ ।”

                ରାଜା ବିକ୍ରମ କହିଲେ, “ବେତାଳ, ରାଜା ଅନନ୍ତବର୍ମାଙ୍କ ବ୍ୟବହାର ଓ କଥାବାର୍ତ୍ତାରୁ ଲାଗେ ଯେ ସେ ଜଣେ କଳାପ୍ରିୟ ଓ ସଂସ୍କୃତି ସଂପନ୍ନ ରାଜା ଥିଲେ । କିନ୍ତୁ ତାଙ୍କର କ୍ଷଣିକ ଆବେଗକୁ ମତିଭ୍ରମ କରିବା ଠିକ୍ ହେବ ନାହିଁ । ଯୌବନର ଲାଳସାରେ ପଡି ସେ ସତ୍ୟକୁ ଚିହ୍ନିପାରି ନାହାଁନ୍ତି । କିନ୍ତୁ ରାମସିଂହର ନୀର୍ଭିକତା ତାଙ୍କ ଚେତନାରେ ସେ ସତ୍ୟକୁ ଜାଗ୍ରତ କରି ପାରିଲା । ସଂସାର ତ୍ୟାଗ ଓ ନିର୍ଭୀକ ଗୁଣସବୁ ଡାକୁର ଦେଖି ରାଜା ତା’ପ୍ରତି ଅତ୍ୟନ୍ତ ପ୍ରଭାବିତ ହୋଇ ପଡିଲେ ଓ ତାକୁ ଯଥାର୍ଥ ଉତ୍ତରାଧିକାରୀ ଭାବି ସିଂହାସନରେ ବସାଇଲେ । ସେ ଜାଣିଥିଲେ ବାର୍ଦ୍ଧକ୍ୟ ଆସିବା ପରେ ମୃତ୍ୟୁ ଅନିବାର୍ଯ୍ୟ, ତେଣୁ ମନ ଓ ଆତ୍ମାର ଶାନ୍ତି ପାଇଁ ସେ ସନ୍ନ୍ୟାସ ଗ୍ରହଣ କରିବା ଉଚିତ୍ ମନେ କଲେ ।”

                ରାଜା ବିକ୍ରମ ଉତ୍ତର ଦେବାରୁ ତାଙ୍କର ମୌନ ଭଙ୍ଗ ହେଲା ତେଣୁ ବେତାଳ ଶବ ସହିତ ଖସି ପୁନର୍ବାର ସେହି ବୃକ୍ଷଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ