ରାଜା ଅମରେନ୍ଦ୍ର ଦେଶିକାଚାର୍ଯ୍ୟଙ୍କୁ ଡକାଇ ତାଙ୍କ ପରାମର୍ଶ ଲୋଡିଲେ । ତହୁଁ ଦେଶିକାଚାର୍ଯ୍ୟ କହିଲେ, “ଆପଣଙ୍କ ଭଣଜା ସତ୍ୟସେନ ସାନ ରାଣୀଙ୍କ ପୁତ୍ର ହେବା ସତ୍ତ୍ୱେ ରାଜାଙ୍କ ଜ୍ୟେଷ୍ଠ ପୁତ୍ର ବି । ସେ ଦୃଷ୍ଟିରୁ ସେ ଶିବପୁରୀର ସିଂହାସନ ପାଇବାକୁ ଯୋଗ୍ୟ । ତେବେ ଏ ସମସ୍ୟାର ଅନ୍ୟଦିଗ ମଧ୍ୟ ରହିଛି । ଟିକିଏ ସମୟ ଦିଅନ୍ତୁ । ଏହାର ସମାଧାନ ପରେ କରିବା ।”
କେଇଦିନ ପରେ ଶିବପୁରୀ ରାଜ୍ୟର ମନ୍ତ୍ରୀ ବିଦ୍ୟାସାଗର ଯାଇ ରାଜା ଅମରେନ୍ଦ୍ରଙ୍କୁ କହିଲେ, “ମହାରାଜ! ଆପଣ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ମନସ୍ଥ କରିଛନ୍ତି ବୋଲି ଆମେ ଜାଣୁଁ । ସତ୍ୟସେନ ଯେପରି ଆପଣଙ୍କ ଭଣଜା, ବିଜୟସେନ ମଧ୍ୟ ଠିକ୍ ସେହିପରି ଆପଣଙ୍କ ଭଣଜା । ଆମର ଅନୁରୋଧ, ଆପଣ ବିଜୟସେନଙ୍କୁହିଁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରି ନିଅନ୍ତୁ । ଶିବପୁରୀ ରାଜ୍ୟ ତୁଳନାରେ ଗଙ୍ଗାପୁର ଛୋଟ, କିନ୍ତୁ ଆମେ ବଡ ରାଣୀଙ୍କୁ ବୁଝାଇ ଦେବୁଁ, ଯେପରି କି ସେ ଏ ବ୍ୟବସ୍ଥାରେ ଏକମତ ହେବେ ।”
ଏପରି କଥା ଶୁଣି ରାଜା ଅମରେନ୍ଦ୍ର ରୋକଠୋକ୍ କରି କହିଦେଲେ, “ନା, ଆପଣମାନଙ୍କ ପ୍ରସ୍ତାବ ମୁଁ କଦାପି ମଧ୍ୟ ଗ୍ରହଣ କରିପାରିବି ନାହିଁ । ମୁଁ ମୋ ନିଜ ଭଣଜା ବିଜୟସେନ୍ଙ୍କୁହିଁ ପୋଷ୍ୟପୁତ୍ର କରିନେବି । ଶିବପୁରୀର ଉତ୍ତରାଧିକାରୀ କିଏ ହେବ, ସେ ବିଷୟରେ ତ ନ୍ୟାୟ ଶାସ୍ତ୍ରର ସ୍ପଷ୍ଟ ନିର୍ଦ୍ଧେଶ ରହିଛି । କେବଳ ଜ୍ୟେଷ୍ଠପୁତ୍ରହିଁ ରାଜାଙ୍କ ଉତ୍ତରାଧିକାରୀ ହେବ!”
ରାଜା ଅମରେନ୍ଦ୍ର ଏକଥା କହିବା ସଙ୍ଗେ ସଙ୍ଗେ ପରଦିନହିଁ ଯାଇ ଶିବପୁରୀରେ ପହଁଚିଲେ ଓ ରାଜା ଧର୍ମନନ୍ଦନଙ୍କୁ କହିଲେ, “ମୋର ଏକାନ୍ତ ଇଚ୍ଛା, ମୋ ଭଣଜା ସତ୍ୟସେନଙ୍କୁ ମୁଁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ନେବି । ଏ ବିଷୟରେ ଆଉ ବିଳମ୍ବ କରିବାର ଉଦ୍ଧେଶ୍ୟ ମୋର ନାହିଁ ।”
ତା’ପରେ ରାଜା ମନ୍ତ୍ରୀ ବିଦ୍ୟାସାଗରଙ୍କ ପରାମର୍ଶ ଲୋଡିଲେ । ବିଦ୍ୟାସାଗର କହିଲେ, “ମହାରାଜ, ଆପଣ କୌଣସି ଦ୍ୱିଧା ନକରି ସତ୍ୟସେନଙ୍କୁ ହିଁ ତାଙ୍କ ପୋଷ୍ୟପୁତ୍ର କରିଦିଅନ୍ତୁ ।”
ରାଜା ଧର୍ମନନ୍ଦନ ରାଜା ଅମରେନ୍ଦ୍ରଙ୍କ ପ୍ରସ୍ତାବ ଗ୍ରହଣ କଲେ । ଫଳରେ ସତ୍ୟସେନ ଗଙ୍ଗାପୁର ରାଜ୍ୟର ଯୁବରାଜ ରୂପେ ଅଭିଷିକ୍ତ ହେଲେ ।
ଏହାର କିଛିଦିନ ପରେ ରାଜା ଧର୍ମନନ୍ଦନ ବିଜୟସେନଙ୍କୁ ଯୁବରାଜ ରୂପେ ଘୋଷିତ କରିବାର ଆୟୋଜନ କଲେ । ସେ ଖବର ପାଇ ରାଜା ଅମରେନ୍ଦ୍ର କହିଲେ, “ଏହା କିପରି କଥା? ମୋ ଭଣଜା ସତ୍ୟସେନ ଜ୍ୟେଷ୍ଠ ରାଜକୁମାର । ତେଣୁ ସେ ତ ଯୁବରାଜ ହେବା ଉଚିତ୍ । ଏ ବିଷୟରେ ମୁଁ ତ ପୂର୍ବରୁ ଦେଶିକାଚାର୍ଯ୍ୟଙ୍କ ସହ ମଧ୍ୟ ପରାମର୍ଶ କରିଛି । ସେ ବି କହିଛନ୍ତି କି ସତ୍ୟସେନ ନ୍ୟାୟତଃ ଆପଣଙ୍କ ଉତ୍ତରାଧିକାରୀ ।”
ମନ୍ତ୍ରୀ ବିଦ୍ୟାସାଗର କହିଲେ “ତେବେ ଦେଶିକାଚାର୍ଯ୍ୟଙ୍କୁ ଡକାଯାଉ ।”
ଏହାପରେ ଦେଶିକାଚାର୍ଯ୍ୟ ଆସିଲେ । ରାଜା ଅମରେନ୍ଦ୍ର ତାଙ୍କୁ ଅନୁରୋଧ କଲେ, “ମହାଶୟ, କିଏ ଶିବପୁରୀର ଯୁବରାଜ ହେବ, ସେ ସମସ୍ୟାର ସମାଧାନ ଦୟାକରି ଆପଣ କରିଦିଅନ୍ତୁ ।”
ଦେଶିକାଚାର୍ଯ୍ୟ ଏଥର କହିଲେ, “ସମସ୍ୟା? ସମସ୍ୟା ଆଉ କାହିଁ? ଦିନେ ସମସ୍ୟା ଥିଲା । ଆଜି ତ ବଳେ ବଳେ ତା’ର ସମାଧାନ ହୋଇ ଯାଇଛି! ସତ୍ୟସେନ ତ ଶିବପୁରୀର ଜ୍ୟେଷ୍ଠ ରାଜକୁମାର ହିସାବରେ ଯୁବରାଜ ହେବା କଥା । କିନ୍ତୁ ସେ ବର୍ତ୍ତମାନ ଆଉ ଶିବପୁରୀର ରାଜକୁମାରହିଁ ନୁହଁନ୍ତି । ପୋଷ୍ୟ ହୋଇଯିବା ପରେ କୌଣସି ପୈତୃକ ସମ୍ପଦ ଉପରେ ତାଙ୍କର ଆଉ ଅଧିକାର ନାହିଁ । ବର୍ତ୍ତମାନ ଶିବପୁରୀର ରାଜକୁମାର ମାତ୍ର ଜଣେ, ସେ ଜଣକ ହେଲେ ବିଜୟସେନ ।”
ଦେଶିକାଚାର୍ଯ୍ୟଙ୍କ ସିଦ୍ଧାନ୍ତ ସମସ୍ତେ ଗ୍ରହଣ କଲେ । ଏଣେ ରାଜା ଅମରେନ୍ଦ୍ର ଅନୁତାପ କଲେ । ସେ ଯଦି ବିଜୟସେନଙ୍କୁ ପୋଷ୍ୟ କରିଥାନ୍ତେ ତେବେ ତାଙ୍କ ଭଣଜା ସତ୍ୟସେନ ବିଶାଳ ଶିବପୁରୀ ରାଜ୍ୟର ରାଜା ହୋଇଥାନ୍ତେ! ଅତିଲୋଭରୁ ସେ ନିଜ ଭଣଜାର କ୍ଷତି କଲେ ।