ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉତ୍ତର ରାମାୟଣ

ତା’ପରେ ସେ ତିନିଭାଇଯାକ ସୈନ୍ୟସାମନ୍ତ ଧରି ଯୁଦ୍ଧ ବେଶରେ ଦେବତାମାନଙ୍କୁ ଆକ୍ରମଣ କରିବାକୁ ଗଲେ । ସେମାନେ ମଧ୍ୟ ପ୍ରାୟ ପ୍ରସ୍ତୁତ ଥିଲେ । ସ୍ୱୟଂ ବିଷ୍ଣୁ ଏସବୁ ଦେଖି ନିଜେ ଯୁଦ୍ଧ ବେଶରେ ସଜ୍ଜିତ ହୋଇ ଗରୁଡ ଉପରେ ବସି ଯୁଦ୍ଧ ସ୍ଥଳକୁ ଆସିଲେ । ଘୋର ଯୁଦ୍ଧ ହେଲା । ମାଳୀ ସେନାପତି ଥିଲା । ଭୟଙ୍କର ରଡି କରି ମାଳୀ ନିଜ ସୈନ୍ୟମାନଙ୍କୁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ ଅସ୍ତ୍ରଶସ୍ତ୍ର ପ୍ରବଳ ବେଗରେ ଚଳାଇବାକୁ ଲାଗିଲା । ତା’ ଭୀଷଣ ରୂପ ଦେଖି ଦେବଗଣ ସନ୍ତସ୍ତ ହେଲେ । କିନ୍ତୁ ବିଷ୍ଣୁଙ୍କର ସେଥିରେ କୌଣସି ଭାବାନ୍ତର ହେଲା ନାହିଁ । ସେ ତା’ ସମ୍ମୁଖକୁ ଆସି ତା’ ଆଡେ ଦୃଷ୍ଟିପାତ କଲେ ଓ ନିଜ ସୁଦର୍ଶନ ଚକ୍ର ପ୍ରେରଣ କଲେ । ପ୍ରଥମେ ସେହିଁ ବିଷ୍ଣୁଙ୍କ ଚକ୍ରରେ ପ୍ରାଣ ଦେଲା । ମାଳୀର ମୃତ୍ୟୁ ଦେଖି ଅନ୍ୟ ଦୁଇଭାଇ ସୈନ୍ୟସାମନ୍ତଙ୍କୁ ଧରି ରାଜଧାନୀକୁ ଫେରି ପଳାଇଗଲେ ।

ବିଷ୍ଣୁ ସେମାନଙ୍କୁ ଅନୁସରଣ କରି ଆକାଶ ମାର୍ଗରେ ଗରୁଡ ଉପରେ ବସି ଯାଉଥା’ନ୍ତି । ମାଲ୍ୟବନ୍ତ ରାଗିକରି କହିଲା, “ଆପଣ କ୍ଷତ୍ରିୟଧର୍ମ ମାନୁ ନାହାଁନ୍ତି । ଯୁଦ୍ଧ କ୍ଷେତ୍ରର ବାହାରେ କାହିଁକି ଆପଣ ଆମକୁ ଆକ୍ରମଣ କରୁଛନ୍ତି?”

ଏକଥା ଶୁଣି ବିଷ୍ଣୁ ହସିଲେ । ସେଥିରେ କୁପିତ ହୋଇ ମାଲ୍ୟବନ୍ତ କହିଲା, “ମୋ ପ୍ରଶ୍ନର ଉତ୍ତର କାହିଁକି ଦେଉନାହାଁନ୍ତି? ଆମ୍ଭେମାନେ ତ ଯୁଦ୍ଧ କ୍ଷେତ୍ରରେ ଯଥାସାଧ୍ୟ ଯୁଦ୍ଧ କରିଛୁ । ବର୍ତ୍ତମାନ ଆପଣ ଆମ୍ଭମାନଙ୍କୁ ଅନୁସରଣ କରିବା ଉଚିତ୍ ନୁହେଁ ।”

ବିଷ୍ଣୁ କହିଲେ, “ରାକ୍ଷସ! ଉଚିତ ଅନୁଚିତ କଥା ସିନା ବର୍ତ୍ତମାନ ଉଠାଉଛ, ପୂର୍ବରୁ ସେ ବିଷୟ କିପରି ପାଶୋରି ଦେଇଥିଲ? ନିରୀହ, ନିରସ୍ତ୍ର ଋଷିମାନଙ୍କ କୁଡିଆ ଉପରେ ଚଢଉ କରି ସେମାନଙ୍କୁ କଲବଲ କରିବା ବେଳେ ଏ ବିବେକ ଜ୍ଞାନ ତୁମର କେଉଁଠି ଥିଲା? ଜନପଦର ଅଧିବାସୀମାନଙ୍କୁ ହତ୍ୟା କରି, ଭୀତତ୍ରସ୍ତ କରି, ସେମାନଙ୍କ ଧନରତ୍ନ ଅପହରଣ କରିବା ବେଳେ ତମ ବିବେକବୋଧ ଥିଲା କେଉଁଠି?”

ମାଲ୍ୟବନ୍ତ ରାଗିଯାଇ କହିଲା, “ଆମେ ବେଶ୍ କରିଛୁ । ତୁମେ କ’ଣ କହୁଛ?”

ବିଷ୍ଣୁ କହିଲେ, “ଧାର୍ମିକ ଋଷିମାନଙ୍କୁ ଓ ଦେବତାମାନଙ୍କୁ ତମେମାନେ ବିନା କାରଣରେ ଆକ୍ରମଣ କରି ବହୁତ ଅତ୍ୟାଚାର କରିଛ । ତେଣୁ ତୁମମାନଙ୍କୁ ନିପାତ କରିବା ପାଇଁ ମୁଁ କଥା ଦେଇଛି । କେବଳ ଯୁଦ୍ଧକ୍ଷେତ୍ରରେ କ’ଣ ପୃଥିବୀ ଛାଡି ପାତାଳକୁ ଗଲେ ମଧ୍ୟ, ମୁଁ ତୁମକୁ ନିପାତ କରିବି ।”

ମାଲ୍ୟବନ୍ତ କହିଲା, “ଯଦି ନିଜକୁ ବୀର ବୋଲି ମନେ କରୁଛ, ତେବେ ଆସ ମୋ ସହିତ ଯୁଦ୍ଧ କରିବ ।”

ତା’ପରେ ସେ ଦୁହେଁ ଖୁବ୍ ଲଢିଲେ । ଇତିମଧ୍ୟରେ ସୁମାଳୀ ସେନାମାନଙ୍କୁ ନେଇ ପଳାଇଥାଏ । ବିଷ୍ଣୁଙ୍କ ଆୟୁଧ ଆଘାତ ସହ୍ୟ କରି ନପାରି ଦରମରା ଅବସ୍ଥାରେ ପ୍ରାଣ ନେଇ ମାଲ୍ୟବନ୍ତ ମଧ୍ୟ ସେଠାରୁ କୁଆଡେ ପଳାଇଗଲା । ସମସ୍ତେ ଲଙ୍କାରେ ଯାଇ ପହଁଚିଲେ । ତଥାପି ବି ବିଷ୍ଣୁ ସେମାନଙ୍କୁ ଛାଡିଲେ ନାହିଁ । ସେଠାରୁ ମଧ୍ୟ ସେମାନଙ୍କୁ ସେ ତଡି ଦେଲେ । ସେମାନେ ସମସ୍ତେ ପ୍ରାଣ ଘେନି ପାତାଳକୁ ପଳାଇ ଯାଇ ସେହିଠାରେ ସୁମାଳୀକୁ ରାଜା କରି ରହିଲେ । ତା’ପରେ ଲଙ୍କାରେ ବିଶ୍ରବସୁଙ୍କ ପୁତ୍ର କୁବେର ପୁଣି ଫେରି ଆସି ରାଜ୍ୟ କରି ରହିଲେ ।

ଏହାପରେ ଧରିତ୍ରୀ ପୃଷ୍ଠରେ ଓ ସ୍ୱର୍ଗ ରାଜ୍ୟରେ ଶାନ୍ତି ଫେରି ଆସିଲା । ଦେବଗଣ ଓ ମୁନିଋଷିମାନେ ସ୍ୱସ୍ତିରେ ନିଃଶ୍ୱାସ ନେଲେ । ବହୁଦିନ ଧରି ପୃଥିବୀର ଲୋକେ ସନ୍ତସ୍ତ ହୋଇ ରହିଥିଲେ । ଏଥର ପୁଣି ସ୍ୱଚ୍ଛନ୍ଦ ଜୀବନଯାତ୍ରା ଫେରି ଆସିଲା ।

ଏହିପରି କିଛିଦିନ ବିତିଗଲା । ଥରେ ସୁମାଳୀ ତାହାର ସୁନ୍ଦରୀ ଝିଅ କୈକେସୀକୁ ସାଙ୍ଗରେ ଧରି ପୃଥିବୀ ଭ୍ରମଣ କରୁଥିଲା । ବାଟରେ ସେ ଦେଖିଲା କୁବେର ଲଙ୍କା ନଗରୀରୁ ବାହାରି ପୁଷ୍ପକ ବିମାନରେ ବସି ତାଙ୍କ ପିତାମାତାଙ୍କୁ ଦେଖା କରିବାକୁ ଯାଉଛନ୍ତି । କୁବେରଙ୍କର ଏ ବୈଭବରେ ସେ ଈର୍ଷାନ୍ୱିତ ହେଲା । ତା’ପରେ ସେ ତା’ ଝିଅକୁ କହିଲା, “ଝିଅ, ଦେଖ, ବିଶ୍ରବସୁ ଋଷିଙ୍କର ପୁତ୍ର ବୋଲି ସେ ମହା ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ ଯାପନ କରୁଛି । ତୁ ଏବେ ସୁନ୍ଦରୀ ଓ ଅନେକ ଯୁବକ ତୋତେ ବିବାହ କରିବାକୁ ଚାହାଁନ୍ତି । ତୁ ଯଦି ଆମ ରାକ୍ଷସକୁଳର ହିତ ଚାହୁଁ ତେବେ କୌଣସି ମତେ ବିଶ୍ରବସୁଙ୍କୁ ସେବା କରି ପୁତ୍ର କାମନା କରିବୁ । ତେବେ ଯାଇ ସେ ପୁତ୍ର ଅତ୍ୟନ୍ତ ଶକ୍ତିଶାଳୀ ହେବ ଓ ଆମର ପୂର୍ବ ସୌଭାଗ୍ୟ ଓ ଐଶ୍ୱର୍ଯ୍ୟ ପୁଣି ଫେରି ଆସିବ ।”

କୈକେସୀ ପ୍ରଥମେ ସଙ୍କୋଚ ବୋଧ କଲା । କିନ୍ତୁ ସୁମାଳୀ ତାକୁ ବହୁତ କିଛି ବୁଝାଇଲା ।

କୈକେସୀ ଶେଷରେ ତା’ ପିତାଙ୍କ କଥାକୁ ସ୍ୱୀକାର କଲା । ସେ ଯାଇ ବିଶ୍ରବସୁଙ୍କ ଆଶ୍ରମରେ ପହଁଚିଲା । ଋଷି ବିଶ୍ରବସୁ ପଚାରିଲେ, “ତୁମେ କିଏ? ବୟସ କମ୍, ସୁନ୍ଦରୀ ପୁଣି ଏକାକୀ ଏ ଜନଶୂନ୍ୟ ଜଙ୍ଗଲରେ ଏଠାକୁ ଆସିବାର ଅଭିପ୍ରାୟ କ’ଣ?”

ସୁନ୍ଦରୀ କୈକେସୀ ବିନୟ ଭାବରେ ଉତ୍ତର ଦେଲା, “ମୁନିଶ୍ୱର! ଆପଣ ନିଜର ତପଃଶକ୍ତି ଦ୍ୱାରା ସବୁ କିଛି ଜାଣି ପାରିବେ । ମୋ ପିତାଙ୍କ କଥା ଅନୁସାରେ ମୁଁ ଏଠାକୁ ଆସିଛି । ମୋ ନାମ କୈକେସୀ । ମୁଁ ଆପଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ