ଋଷି ଅଳ୍ପ ସମୟ ଆଖି ବୁଜି ସବୁ କିଛି ଜାଣିନେଲେ । ତା’ପରେ ସେ କହିଲେ, “ବୁଝିଲି । ତୁମେ ପୁତ୍ରକାମନା ନେଇ ଏଠାକୁ ଆସିଛ! ଠିକ୍ ଅଛି । କିନ୍ତୁ ଯେଉଁ ମୁହୂର୍ତ୍ତରେ ତମେ ପୁତ୍ରକାମନା କରି ମୋ ପାଖକୁ ଆସିଛ ତାହା ରାକ୍ଷସ ମୁହୂର୍ତ୍ତ । ଏଣୁ ତୁମ ପେଟରୁ ଏକ ଭୟଙ୍କର କ୍ରୁର କିନ୍ତୁ ମହାବଳଶାଳୀ ପୁତ୍ର ଜନ୍ମ ହେବ ।”
କୈକେସୀ କହିଲେ “ଏ କିପରି କଥା? ଆପଣଙ୍କ ପରି ଜଣେ ପବିତ୍ର ଋଷିଙ୍କର ପୁତ୍ର କାହିଁକି ଏପରି ହେବ? ମୋର ଏକ ଉତ୍ତମ ସ୍ୱଭାବର ପୁତ୍ର ଦରକାର ।” ବିଶ୍ରବସୁ କୈକେସୀର କଥାରେ ସ୍ୱୀକୃତ ହେଲେ ।
କୈକେସୀ ସେହିଠାରେ ରହିଲା ଓ ବିଶ୍ରବସୁଙ୍କ ସେବା କଲା । କୈକେସୀ ଯେପରି ସୁନ୍ଦରୀ ଥିଲା, ଠିକ୍ ସେହିପରି ସେ ଗୁଣବତୀ ମଧ୍ୟ ଥିଲା । ତା’ର ଉପସ୍ଥିତି ଯୋଗୁଁ ଋଷିଙ୍କ ଆଶ୍ରମର ଶ୍ରୀ ବୃଦ୍ଧି ହେଲା । ଅନ୍ୟ ଋଷିମାନେ ମଧ୍ୟ ତାକୁ ସମ୍ମାନ କରୁଥିଲେ ।
କୈକେସୀ ଅନେକ ଦିନ ଧରି ସେଠାରେ ବିଶ୍ରବସୁଙ୍କ ସ୍ତ୍ରୀ ହୋଇ ରହିଲେ । କାଳକ୍ରମେ ତାଙ୍କର ତିନି ପୁତ୍ର ଓ ଗୋଟିଏ କନ୍ୟା ଜନ୍ମ ହେଲେ । ପ୍ରଥମ ପୁତ୍ର ରାବଣ ଦଶ ମୁଣ୍ଡ, କୋଡିଏ ହାତ ହୋଇ ବିକଟାଳ ରୂପ ନେଇ ଜନ୍ମ ହେଲା । ଦ୍ୱିତୀୟ କୁମ୍ଭକର୍ଣ୍ଣ ବିରାଟ ବପୁ, ଭୟଙ୍କର ରାକ୍ଷସ । ତୃତୀୟ କନ୍ୟା ସୂର୍ପଣଖା ଓ ଚତୁର୍ଥ ପୁତ୍ର ବିଭୀଷଣ ଯିଏ କି ସ୍ୱଭାବରେ ଅତ୍ୟନ୍ତ ସତ୍, ନମ୍ର, ବିନୟୀ, ଧୀର ଓ ବିଷ୍ଣୁଭକ୍ତ ଥିଲେ ।
ପିଲାମାନଙ୍କୁ ନେଇ କୈକେସୀ ବଣରେ ଘର ବନାଇ ରହିଥାଏ । ପିଲାଟିଦିନରୁହିଁ ରାବଣ ଓ କୁମ୍ଭକର୍ଣ୍ଣ ମୁନିଋଷିମାନଙ୍କୁ ହଇରାଣ କରିବା ଓ ସେମାନଙ୍କ ଉପରେ ଅତ୍ୟାଚାର କରିବା କାମରେ ଲାଗିଲେ । କ୍ରମେ ସେମାନଙ୍କର ବୟସ ବଢିଲା । ଦିନେ କୁବେରଙ୍କୁ ପୁଷ୍ପକବିମାନରେ ଯାଉଥିବାର ଦେଖାଇ ଦେଇ କୈକେସୀ ରାବଣକୁ କହିଲା, “ପୁଅ, ଦେଖ ତୋର ବୈମାତୃକ ଭାଇ କେତେ ଐଶ୍ୱର୍ଯ୍ୟ ନେଇ ଅଛି । ତୁ କ’ଣ ଏପରି ଐଶ୍ୱର୍ଯ୍ୟ ପ୍ରାପ୍ତ କେବେବି କରିପାରିବୁ ନାହିଁ?”
ରାବଣ କହିଲା, “ଏ କି ଛାର! ମୁଁ ତ ଏହାଠାରୁ ହଜାରଗୁଣ ଅଧିକ ଐଶ୍ୱର୍ଯ୍ୟ ପ୍ରାପ୍ତ କରିବି । ସେଥିପାଇଁ ତପସ୍ୟା ଶକ୍ତି ଦରକାର । ପ୍ରଥମେ ମୁଁ ତପସ୍ୟା କରିବାକୁ ଯିବି ।”
ତା’ପରେ ରାବଣ ତା’ର ଦୁଇଭାଇଙ୍କୁ ଧରି ଗୋକର୍ଣ୍ଣ ପର୍ବତକୁ ଯାଇ ସେଠାରେ ତପସ୍ୟା କଲା । ସେମାନେ ମଧ୍ୟ ତପସ୍ୟା କଲେ । ପ୍ରତ୍ୟେକ ହଜାର ବର୍ଷ ପରେ ରାବଣ ନିଜର ଗୋଟାଏ ମୁଣ୍ଡ ଛିଡାଇ ଯଜ୍ଞରେ ଆହୁତି ଦେଉଥାଏ । ଏହିପରି ନ ହଜାର ବର୍ଷ କଟିଗଲା । ଶେଷ ହଜାର ବର୍ଷ କଟିବା ପରେ ରାବଣ ନିଜେ ଯଜ୍ଞକୁଣ୍ଡକୁ ଡେଇଁ ପଢିବାକୁ ଯାଉଥିଲା, ଠିକ୍ ସେତେବେଳେ ବ୍ରହ୍ମା ସେଠାରେ ଆବିର୍ଭାବ ହୋଇ ତାକୁ ବର ଯାଚିଲେ ।
ବ୍ରହ୍ମାଙ୍କୁ ନିଜ ସମ୍ମୁଖରେ ଦେଖି ରାବଣ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲା, “ପିତାମହ, ମୋତେ ଅମର ବର ଦିଅନ୍ତୁ ।”
ବ୍ରହ୍ମା କହିଲେ, “ବତ୍ସ! ତାହା ତ ଆଦୌ ସମ୍ଭବ ନୁହେଁ । କୌଣସି ସର୍ତ୍ତ ରଖି ତୁ ମୋତେ ବର ମାଗି ପାରୁ ।”
ରାବଣ କହିଲା, “ପ୍ରଭୁ, ଦେବତା, ରାକ୍ଷସ, ଯକ୍ଷ, ଗନ୍ଧର୍ବ, ନାଗ ପ୍ରଭୃତି ମୋତେ ଯେପରି କେହିବି ମାରିପାରିବେ ନାହିଁ ଏହି ବର ଦିଅନ୍ତୁ । ମନୁଷ୍ୟ ଓ ପଶୁ ତ ମୋର ଆହାର । ମୁଁ ସେମାନଙ୍କୁ ଯମାରୁ ଭୟ କରେ ନାହିଁ ।”
“ତଥାସ୍ତୁ!” ଏହା କହି ବ୍ରହ୍ମା ବିଭୀଷଣ ନିକଟକୁ ଯାଇ ତାକୁ ବର ଯାଚିଲେ ।
ବିଭୀଷଣ କହିଲା, “ପ୍ରଭୁ, ମୋତେ ଏହି ବର ଦିଅନ୍ତୁ ଯେପରି ସର୍ବଦା ମୋର ମନ ଧର୍ମ ଓ ସତ୍ୟ ପଥରେ ରହିବ । ସର୍ବଦା ଭଗବାନଙ୍କର ସଚ୍ଚିଦାନନ୍ଦ ମଧ୍ୟରେ ମୁଁ ବୁଡି ରହିଥାଏ ।”
“ତଥାସ୍ତୁ!” ଏହା କହି ବ୍ରହ୍ମା ତାହାକୁହିଁ ଅମର ବର ଦେଲେ । ଶେଷରେ ସେ ବର ଦେବାକୁ କୁମ୍ଭକର୍ଣ୍ଣ ପାଖକୁ ଗଲେ । ସେତିକିବେଳେ ଦେବତାମାନେ ସମବେତ ହୋଇ ବ୍ରହ୍ମାଙ୍କୁ ସ୍ତୁତି କରିବାକୁ ଲାଗିଲେ । ସେମାନଙ୍କ ଏକାଗ୍ରତା ଓ ବ୍ୟାକୁଳତା ଯୋଗୁଁ ବ୍ରହ୍ମା ଅଟକି ଯାଇ ସେମାନଙ୍କ ଆଡେ ଜିଜ୍ଞାସୁ ଦୃଷ୍ଟିରେ ଅନାଇଲେ । ସେତେବେଳେ ଦେବତାମାନେ କହିଲେ, “ତାକୁ ବେଶି ଶକ୍ତିଶାଳୀ କରିବା ପରି ବର ଦେବେନାହିଁ । ସେ ନନ୍ଦନବନରେ ପଶି ସାତଜଣ ଅପ୍ସରାଙ୍କୁ ଖାଇ ପକାଇଛି ଓ ଅନେକ ଋଷିମୁନିଙ୍କୁ ବି ଖାଇ ପକାଇଛି । ତେଣୁ ସରସ୍ୱତୀ ଯାଇ ତା’ର କଣ୍ଠରେ ବସନ୍ତୁ, ଯେପରି ତା’ର ବର ମାଗିବାରେ ଆମର କିଛିବି କ୍ଷତି ନ ହୁଏ ।” ଶେଷରେ ସେଇଆ ହେଲା ।
କୁମ୍ଭକର୍ଣ୍ଣ କହିଲା, “ମୁଁ ଛ ମାସ ଶୋଇବି; ତା’ପରେ ନିଦରୁ ଉଠି ମୁଁ ଖାଇବି । ଟିକିଏ ବୁଲାବୁଲି କରି ପୁଣି ଛ ମାସ ଶୋଇବି ।”
“ତଥାସ୍ତୁ!” ଏହା କହି ବ୍ରହ୍ମା ସେଠାରୁ ଅନ୍ତର୍ଦ୍ଧାନ ହେଲେ । ପରେ ମୋଟାବୁଦ୍ଧିଆ, କୁମ୍ଭକର୍ଣ୍ଣ ଉପଲବ୍ଧି କଲା ଯେ ଦେବତାମାନେ ତା’ ଉପରେ ପ୍ରଭାବ ପକାଇ ତାକୁ ଠକାଇଛନ୍ତି । ଏଣୁ ସେ ଅନେକ ପଶ୍ଚାତାପ କଲା ।
ତିନିଭାଇ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ସେମାନଙ୍କ ମା’ ଓ ଭଉଣୀଙ୍କ ପାଖକୁ ଗଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।