ଦୁଇହଜାର ବର୍ଷ ତଳେ ଚୀନ୍ ଦେଶରେ ସୋ-ପୋ-ତାବୁ ନାମକ ଏକ ବୃଦ୍ଧ ପଣ୍ଡିତ ଥିଲେ । କିନ୍ତୁ ତାଙ୍କ ପାଣ୍ଡିତ୍ୟକୁ ଚିହ୍ନି ତାଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେବା ଭଳି ବ୍ୟକ୍ତି ତାଙ୍କ ଆଖପାଖରେ କେହି ବି ନଥିଲେ । ତେଣୁ ସେ ବଡ ଆର୍ଥିକ ସଂକଟ ମଧ୍ୟ ଦେଇ ଜୀବନ ନିର୍ବାହ କରୁଥା’ନ୍ତି ।
ସେଠାରୁ ଅନେକ ଦୂରରେ ଚୁ ନାମକ ଏକ ରାଜ୍ୟ ଥାଏ । ସେଠାକାର ରାଜା ଜ୍ଞାନୀ ଗୁଣି ବ୍ୟକ୍ତିଙ୍କୁ ଯଥେଷ୍ଟ ଧନ ଦେବାର ଶୁଣାଯାଉଥିଲା କାରଣ ରାଜା ନିଜେ ଜଣେ ପଣ୍ଡିତ ଥିଲେ । ତାବୁଙ୍କର ମିତ୍ରମାନେ ତାଙ୍କୁ ବୁଝାଇଲେ ଯେ ଥରେ ସେ ଯଦି ଚୁ ରାଜ୍ୟକୁ ଯା’ନ୍ତେ, ତେବେ ସେଠିକା ରାଜାଙ୍କଠାରୁ ସେ ଦାନ ଦକ୍ଷିଣା ପ୍ରାପ୍ତ କରି ତାଙ୍କର ଦାରିଦ୍ର୍ୟ ଘୁଂଚାଇ ପାରନ୍ତେ । ଏକଥା ତାଙ୍କ ମନକୁ ଭାରି ପାଇଲା । ସେ ଅଳ୍ପ କିଛି ରାସ୍ତାଖର୍ଚ୍ଚ ଯୋଗାଡ କରି ଚୁ ରାଜ୍ୟ ଅଭିମୁଖେ ଚାଲିଲେ ।
ଚୁ ରାଜ୍ୟ ତ ସେଠାରୁ ଶହ ଶହ ମାଇଲ୍ ଦୂର । ପୁଣି ଯାଉ ଯାଉ ରାସ୍ତାରେ ଶୀତଋତୁ ଆରମ୍ଭ ହୋଇଗଲା । ସେ ରାସ୍ତା ପୁଣି ପାହାଡିଆ ଓ ଜଙ୍ଗଲିଆ ଅଂଚଳ ଭିତର ଦେଇ ଯାଇଛି । ତାବୁ ଭାବିଲେ କିଛିଦିନ ପାଇଁ କୌଣସି ଗ୍ରାମରେ ବିଶ୍ରାମ ନେଇ ତା’ପରେ ପୁଣି ସେ ତାଙ୍କ ଯାତ୍ରା ଆରମ୍ଭ କରିବେ । ଏଭଳି ଭାବି ସେ ଗୋଟିଏ ଗ୍ରାମରେ ପହଁଚି ୟାଙ୍ଗ-ଚିୟାକୁ-ଆୟୀ ନାମକ ଜଣେ ବିଦ୍ୱାନ୍ ବ୍ୟକ୍ତିଙ୍କ ଘରେ ଯାଇ ପହଁଚିଲେ । ଆୟୀ ତାବୁଙ୍କୁ ଅତିଥି ରୂପେ ପାଇ ତାଙ୍କ ପ୍ରତି ଅତି ଆଦର ଯତ୍ନ ଦେଖାଇଲେ । ଆୟୀ ଯେ ଜଣେ ବିଦ୍ୱାନ୍ ଏକଥା ଜାଣି ତାବୁ ବହୁତ ଖୁସି ହେଲେ, ଆୟୀଙ୍କ ଘରେ ଥିବା ପୁରୁଣା ପୋଥି ସବୁ ଗଦା ଗଦା ହୋଇ ରହିଥାଏ । ସେସବୁ ଦେଖି ତାବୁ ଜାଣିପାରିଲେ କି ଆୟୀ ଜଣେ ବିଦ୍ୱାନ୍ ଓ ବିଶିଷ୍ଟ ବ୍ୟକ୍ତି ମଧ୍ୟ ।
ଦିନେ କଥା ପ୍ରସଙ୍ଗରେ ତାବୁ କହିଲେ, “ମୁଁ ଶୁଣିଥିଲି ଚୁ ଦେଶର ରାଜା କୁଆଡେ ଅତ୍ୟନ୍ତ ଧର୍ମପରାୟଣ ଓ ସେ ସ୍ୱୟଂ ମଧ୍ୟ ଜଣେ ବିଦ୍ୱାନ୍ । ତେଣୁ ସେ ଗୁଣୀ ବ୍ୟକ୍ତିଙ୍କର ବହୁତ ଆର୍ଥିକ ସହାୟତା କରନ୍ତି । ମୁଁ ସେହି ଉଦ୍ଧେଶ୍ୟରେ ଆସିଛି । ତମେ ବି ମୋ ସହିତ ଆସ । ସାଙ୍ଗ ହୋଇ ଯିବା ।” ଏକଥା ଆୟୀଙ୍କ ମନକୁ ଖୁବ୍ ପାଇଲା । ସେ ମଧ୍ୟ କିଛି ଶୀତ ପୋଷାକ ଓ ବାଟଖର୍ଚ୍ଚ ଧରି ଆୟୀଙ୍କ ସହିତ ଚାଲିଲେ । କିଛିଦିନ ଯାତ୍ରା କରିବା ପରେ ପାହାଡିଆ ରାସ୍ତାରେ ବରଫର ଝଡ ଦେଖା ଦେଲା । ଏମିତି ବି ଆଉ ଚାରିଦିନ ଯାତ୍ରା ପରେ ସେମାନେ ଚୁ ରାଜ୍ୟରେ ପହଁଚି ଯାଇଥା’ନ୍ତେ । କିନ୍ତୁ ବରଫ ଝଡ ଯୋଗୁଁ ଗୋଟିଏ ପାଦ ବି ସେମାନେ ଆଉ ଆଗକୁ ଚାଲିପାରିଲେ ନାହିଁ । ଅବଶେଷରେ ବହୁ କଷ୍ଟରେ ଗୋଟିଏ ଗୁମ୍ଫା ଖୋଜି ସେଠାରେ ସେ ଦୁହେଁ ଆଶ୍ରୟ ନେଲେ । ବୃଦ୍ଧ ତାବୁ କହିଲେ, “ଆୟୀ, ତମେ ତ ବୟସରେ ମୋଠାରୁ ବହୁତ ସାନ । ମୁଁ ଯାହା କହୁଛି ତାହା ମନଦେଇ ଶୁଣ । ମୋର ଲୁଗାକମ୍ବଳ ସବୁ ନେଇ ଚୁ ରାଜ୍ୟକୁ ତୁମେ ଯାଅ । ମୁଁ ଏଇଠି ପଡି ମରିଯିବି । ଏଠାରୁ ଆଉ ଆଗକୁ ଯିବାର କୌଣସି ଆଶା ମୁଁ ଦେଖୁନାହିଁ ।”