ଲୁବ୍ଧ ବର୍ମା ବନ୍ଧୁଙ୍କଠାରୁ ଏହି କଥା ଶୁଣିବାକୁ ପସନ୍ଦ କଲେ ନାହିଁ । ତଥାପି, ସେ ଯୁକ୍ତିତର୍କ କଲେ ନାହିଁ । ଘରକୁ ଯାଇ ଚିନ୍ତା କରିବାକୁ ଆରମ୍ଭ କଲେ । ସେ ହୃଦୟଙ୍ଗମ କଲେ ଯେ ନିଲା ବର୍ମାଙ୍କର ଯୁକ୍ତିରେ କିଛି ପରିମାଣରେ ସତ୍ୟତା ରହିଛି । ସେ ତାଙ୍କ ବନ୍ଧୁଙ୍କର ନିଷ୍ପତି ଓ ତାଙ୍କର ନିଷ୍ପତି ମଝାମଝି କିଛି କରିବା ପାଇଁ ମନେ ମନେ ସ୍ଥିର କଲେ । ସେ ତାଙ୍କର ନିଷ୍ପତି ବିଷୟରେ ତାଙ୍କର ପରିବାରବର୍ଗଙ୍କୁ ମଧ୍ୟ କିଛି କହିଲେ ନାହିଁ ।
ଦିନ ପରେ ଦିନ ବିତିଗଲା ଦୁଇ ବନ୍ଧୁଙ୍କର ବ୍ୟବସାୟରେ ବହୁତ ଉନ୍ନତି ହେଲା । ସେମାନେ ବହୁ ଧନସମ୍ପତ୍ତିର ଅଧିକାରୀ ହେଲେ । କିନ୍ତୁ ଦୂର ଦୁର୍ଗମ ଅଂଚଳରେ ଥିବା ଲୋକମାନଙ୍କଠାରୁ ସଦାସର୍ବଦା ସେ ନିଲା ବର୍ମାଙ୍କର ପ୍ରଶଂସା ଶୁଣୁଥିଲେ ।
ଦିନ ପରେ ଦିନ ଗଡି ଚାଲିଥାଏ । ହଠାତ୍ ଲୁବ୍ଧ ବର୍ମା ଅସୁସ୍ଥ ହୋଇପଡିଲେ । ସେ ହୃଦ୍ଘାତ କାରଣରୁ ପକ୍ଷାଘାତର ଶିକାର ହେଲେ ଏବଂ ତାଙ୍କର ଗୋଟିଏ ହାତ ଓ ଗୋଡ କାମ କଲା ନାହିଁ । ସେ ନିଜ ପାଟି ପର୍ଯ୍ୟନ୍ତ ମଧ୍ୟ ହାତ ଉଠାଇ ପାରିଲେ ନାହିଁ । ସେତେବେଳେ ଲୁବ୍ଧ ବର୍ମାଙ୍କର ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏସବୁ ଦେଖି ତାଙ୍କର ପୁତ୍ର ସ୍ଥାନୀୟ ଚିକିତ୍ସକଙ୍କ ସହିତ ପରାମର୍ଶ କଲେ । ହେଲେ କିଛି ଫଳ ଫଳିଲା ନାହିଁ । ଶେଷରେ ଚିକିତ୍ସକ ତାଙ୍କର ଅସାମର୍ଥ୍ୟ ପ୍ରକାଶ କଲେ ।
ଲୁବ୍ଧ ବର୍ମା ଭବିଷ୍ୟତରେ କଣ ଘଟିବ ବୁଝିପାରିଲେ । ସେ କିଛି କହିବାକୁ ଚାହୁଁଥିଲେ । କିନ୍ତୁ କହିପାରିଲେ ନାହିଁ । ସେ ଦୂରଦୂରାନ୍ତରେ ନିରାପଦରେ ବିଭିନ୍ନ ସ୍ଥାନରେ ରଖିଥିବା ଅଶେଷ ସମ୍ପତ୍ତିକୁ ମନେ ପକାଇ ଅସ୍ଥିର ହୋଇ ଉଠୁଥିଲେ । ସେ ସବୁ ସେ ସ୍ଥାନରେ ବ୍ୟବହାର କରି ଯଶ ଖ୍ୟାତି ହାସଲ କରିବା ପାଇଁ ରଖିଥିଲେ । ନିଜର ଅସହାୟ ଅବସ୍ଥା ବିଷୟରେ ଚିନ୍ତା କରି ଦିନକୁ ଦିନକୁ ସେ ଅଧିକ ଦୁର୍ବଳ ହୋଇପଡିଲେ ।
ସେତେବେଳେ ତ ନିଲା ବର୍ମା ବିଦେଶରେ ଥିଲେ । ହଠାତ୍ ଦିନେ ସେ ଲୁବ୍ଧ ବର୍ମାଙ୍କର ଅସୁସ୍ଥତାର ଖବର ଜାଣିବାକୁ ପାଇଲେ । ତେଣୁ ସେ ମନେ ମନେ ଭାରି ଦୁଃଖ କଲେ । ତା’ପରେ ବିଦେଶରୁ କିଛି ଚିକିତ୍ସକଙ୍କୁ ସାଂଗରେ ଧରି ସେ ସ୍ୱଦେଶକୁ ଫେରିଲେ । ସେହି ଚିକିତ୍ସକମାନେ ଲୁବ୍ଧ ବର୍ମାଙ୍କୁ ଭଲ ଭାବରେ ପରୀକ୍ଷା କରି ଦେଖିଲେ ଓ ପ୍ରତିଶୃତି ଦେଲେ ଯେ ସେ କିଛି ମାତ୍ରାରେ ଭଲ ହୋଇଯିବେ ।