ଏପରି କଥା ଶୁଣି ବୋଧିସତ୍ୱ ଚିନ୍ତାରେ ପଡିଲେ । ବହୁ ବର୍ଷ ପୂର୍ବେ ଥରେ ସେ କାଶୀର ରାଜା ହୋଇଥିଲେ । ରାଜକାର୍ଯ୍ୟ ତୁଲାଇବା ଭିତରେ ତାଙ୍କୁ ଯେତିକି ପାପ କରିବାକୁ ପଡିଥିଲା, ସେଥିଯୋଗୁଁ ସେ କିଛିକାଳ ନର୍କ ଭୋଗ କରିଥିଲେ । ସେ ପାପର କ୍ଷାଳନ ହେବା ପରେ ଯାଇ ସେ ଅବଶ୍ୟ ଦେବଲୋକକୁ ଚାଲି ଆସିଥିଲେ ଏବଂ ବର୍ତ୍ତମାନ ଦେବଲୋକ ଅତିକ୍ରମ କରି ଉଦ୍ଧ୍ୱର୍ଲୋକକୁ ଯିବା ନିମନ୍ତେ ସେ ପ୍ରସ୍ତୁତ ହେଉଥିଲେ ।
ବୋଧିସତ୍ୱ ଦ୍ୱିଧା କରିବାର ଲକ୍ଷ୍ୟ କରି ଦେବରାଜ ଇନ୍ଦ୍ର କହିଲେ, “ହେ ମହାନ୍ ଆତ୍ମା! ତମେ ତ ମୁକ୍ତ । ତୁମକୁ କୌଣସି ଅବସ୍ଥା ଚକ୍ର ବା କୌଣସି ପରିସ୍ଥିତି ବନ୍ଧନରେ ପକାଇ ପାରିବ ନାହିଁ । ତେଣୁ ତୁମେ ଦ୍ୱିଧା କରୁଛ କାହିଁକି? ଲୋକ-କଲ୍ୟାଣ ସର୍ବଦା ତମର ବ୍ରତ ହୋଇଛି । କାଶୀ ରାଜପୁତ୍ର ରୂପେ ତୁମେ ସେ ଦିଗରେ ଅନେକ କାର୍ଯ୍ୟ କରି ପାରିବ । ନିଜର ମାନବ ଜନ୍ମ ସାର୍ଥକ କରି ପାରିବ । ସହସ୍ର ସହସ୍ର ନରନାରୀ ତମ ସଂସ୍ପର୍ଶରେ ଆସି ସତ୍ ଚେତନା ଲାଭ କରିବେ । ଏହା କ’ଣ କିଛି କମ୍ କଥା? ତା’ଛଡା, ମାନବ ଜୀବନ ଏତେ ବି ଦୀର୍ଘ ନୁହେଁ । ତୁମେ ଅତି ଶୀଘ୍ର ଲେଉଟି ଆସିବ ।”
ପୁଣି ଥରେ ରାଜା ଘରେ ଜନ୍ମ ହେବାର ଆଗ୍ରହ ତାଙ୍କର ମୋଟେ ନଥିଲା । କିନ୍ତୁ କାଶୀର ରାଜା ରାଣୀଙ୍କ ମନସ୍ତାପ କଥା ଜାଣି ସେ ଇନ୍ଦ୍ରଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ।
ବୋଧିସତ୍ୱ କାଶୀ ରାଜାଙ୍କ ଘରେ ଜନ୍ମ ଗ୍ରହଣ କରୁଥିବାର ଜାଣିବା ମାତ୍ରେ ଆଉ ପାଞ୍ଚଶହ ସାଧୁ ପୁରୁଷଙ୍କ ଆତ୍ମା ସେଠାରେ ଜନ୍ମ ଗ୍ରହଣ କରିବାକୁ ପ୍ରସ୍ତୁତ ହେଲେ ।
ସେମାନେ ରାଜପରିବାରର ନିକଟତମ ଅମାତ୍ୟ, ମନ୍ତ୍ରୀ ଓ ସମ୍ଭ୍ରାନ୍ତ ଲୋକଙ୍କ ଘରମାନ ଠାବ କରି ମାନବ ଶିଶୁ ରୂପେ ବୋଧିସତ୍ୱଙ୍କ ସାହଚର୍ଯ୍ୟ ଲାଭ କରିବା ନିମନ୍ତେ ଆଗ୍ରହୀ ହେଲେ ।
ଯଥା ସମୟରେ ରାଣୀ ଚନ୍ଦ୍ରାଦେବୀଙ୍କ ଗର୍ଭରୁ ବୋଧିସତ୍ୱ ଜନ୍ମ ନେଲେ । ପ୍ରାୟ ଏକ ସମୟରେ ସେ ନଗରୀର ସମ୍ଭ୍ରାନ୍ତ ବଂଶମାନଙ୍କରେ ଆଉ ପାଞ୍ଚଶହ ଶିଶୁ ଜନ୍ମ ଗ୍ରହଣ କଲେ । ରାଜା ନିଜର ସନ୍ତାନ ହେବାରୁ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଏକା ଦିନରେ ଏତେ ଗୁଡିଏ ଶିଶୁ ଜନ୍ମ ଗ୍ରହଣ କରିଥିବାର ସମ୍ବାଦ ପାଇ ଆମୋଦିତ ହେଲେ । ସେ ଘୋଷଣା କଲେ କି ସେ ଶିଶୁମାନେ ଅଳ୍ପ ବଡ ହେଲେ ରାଜପ୍ରାସାଦରେ ଆସି ରହିବେ ଓ ରାଜକୁମାରଙ୍କ ସହ ସେମାନେ ଖେଳାଧୂଳା କରିବେ ।
କାଶୀ ନଗରୀରେ ମହା ଜାକଜମକରେ ଉତ୍ସବ ପାଳନ ହେଲା । ରାଜା ଯାଇ ଆନନ୍ଦରେ ପାଟରାଣୀଙ୍କୁ କହିଲେ, “କୁହ, ତମକୁ କି ପୁରସ୍କାର ଦେବି । ଯେଉଁ ବର ମାଗିବ, ତାହା ମୁଁ ଦେବି ।”
ଏହା ଶୁଣି ରାଣୀ ଆନନ୍ଦିତ ହେଲେ । କିନ୍ତୁ ସଙ୍ଗେ ସଙ୍ଗେ ସେ କୌଣସି ବର ନ ମାଗି ଅପେକ୍ଷା କରିବାକୁ ସ୍ଥିର କଲେ ।
ତେଣୁ ରାଣୀ କହିଲେ, “ବେଶ୍ । ଯଥା ସମୟରେ ମାଗିବି ।”
ସେ ରାଜପୁତ୍ରଙ୍କ ନାମକରଣ ହେଲା ତେମିୟ । ରାଜ ଜ୍ୟୋତିଷ ତେମିୟଙ୍କ ଜାତକ ପ୍ରସ୍ତୁତ କଲେ । ରାଜା ପଚାରିଲେ, “ଶିଶୁ ଭାଗ୍ୟରେ କୌଣସି ଦୁଷ୍ଟ ଗ୍ରହ ନାହାଁନ୍ତି ତ?”
ଏକଥା ଶୁଣି ସେ ଜ୍ୟୋତିଷ କହିଲେ, “ନା, ମହାରାଜ, କୌଣସି ଦୁଷ୍ଟ ଗ୍ରହର ପ୍ରଭାବ ନାହିଁ । ରାଜକୁମାର ଦୀର୍ଘାୟୁ ହେବେ ।”
ରାଜକୁମାର ଖୁବ୍ ଛୋଟ ହୋଇଥିବା ବେଳେ ଦିନେ ରାଜା ତାଙ୍କୁ କୋଳରେ ଧରି ଦରବାରରେ ବିଚାର ପାଇଁ ବସିଲେ । ସେଦିନ ଚାରିଜଣ ଅପରାଧୀଙ୍କ ବିରୁଦ୍ଧରେ ଅଭିଯୋଗମାନ ଆସିଥାଏ । ରାଜା ଉପରଠାଉରିଆ ଭାବରେ ଅଭିଯୋଗମାନ ଶୁଣି ଜଣେ ଅପରାଧୀଙ୍କୁ ହଜାରେ ବେତ ପାହାର ଦଣ୍ଡ ଦେଲେ; ଅନ୍ୟ ଜଣକୁ ଆଜୀବନ କାରାରୁଦ୍ଧ କଲେ; ତୃତୀୟ ଜଣକୁ ଶୂଳିରେ ବସାଇବାର ଓ ଚତୁର୍ଥ ଜଣଙ୍କର ମୁଣ୍ଡ କାଟ ପାଇଁ ହୁକୁମ ଦେଲେ ।