ଥରେ ଗୋଟିଏ ବଣରେ ଗୋଟିଏ ମୂଷା ଓ ଗୋଟିଏ ଚଢେଇ ସାଙ୍ଗ ହୋଇ ରହୁଥିଲେ । ଚଢେଇଟି ଗଛଡାଳରେ ଓ ମୂଷାଟି ଗଛ ମୂଳର ଗାତରେ ରହୁଥିଲା । ସେ ବଣରେ ଶୀତଦିନେ ଖୁବ୍ ବରଫ ପଡୁଥିବାରୁ ସେମାନଙ୍କୁ କିଛି ବି ଖାଦ୍ୟ ଶସ୍ୟ ମିଳୁନଥିଲା । ତେଣୁ ଚଢେଇ ଓ ମୂଷା ଦୁଇଜଣଯାକ ଶୀତ ଦିନ ପାଇଁ କିଛି ଖାଦ୍ୟ ସଂଗ୍ରହ କରି ଗୋଟିଏ ଗାତ ଖୋଳି ଖାଦ୍ୟ ପଦାର୍ଥ ସଂଚୟ କରିରଖିଲେ । ସେମାନେ ଦୁହେଁ ପ୍ରତିଜ୍ଞା କଲେ ଯେ କେହି କାହାର ଅଜ୍ଞାତରେ ସେ ଗାତରୁ ଖାଦ୍ୟ ଶସ୍ୟ ନେବେ ନାହିଁ ।
ମୂଷାଟି ଚଢେଇକୁ କହିଲା ‘ଶୀତଦିନ ଆରମ୍ଭରେ ଯେମିତି ପ୍ରଥମେ ବରଫ ପଡିବାକୁ ଆରମ୍ଭ କରିବ ଆମେ ସେମିତି ଆସି ଏଠାରୁ ଖାଦ୍ୟଶସ୍ୟ ଖୋଳି ବାହାର କରିବା ।’
ଚଢେଇଟି ବଣକୁ ଉଡିଯିବା ପରେ ମୂଷାଟି ଯେଉଁଗାତରେ ଖାଦ୍ୟଶସ୍ୟ ସବୁ ପୋତା ହୋଇଥିଲା ତାକୁ ସେଠାରୁ ବାହାର କରି ଆଉ ଗୋଟିଏ ଗାତ ଖୋଳି ପୋତି ଦେଲା ।
ଯେମିତି ଶୀତଋତୁ ଆରମ୍ଭ ହୋଇଛି ଚଢେଇଟି ଗାତପାଖକୁ ଆସି ଦେଖିଲା ସେଠାରେ ଖାଦ୍ୟଶସ୍ୟ ନାହିଁ କିମ୍ବା ସେଠାରେ ମୂଷାଟି ମଧ୍ୟ ନାହିଁ । ଚଢେଇଟି ମୂଷାର ବିଶ୍ୱାସଘାତକତାକୁ ଜାଣିପାରି ସେଠାରୁ ମନ ଦୁଃଖରେ ଉଡି ଚାଲିଗଲା । ଚଢେଇଟି ପାଖ ଗାଁକୁ ଉଡି ଯାଇ ସେଠାରେ ଥିବା ଗୋଟିଏ ଗହମ ଖଳାରୁ କିଛି ଖାଦ୍ୟ ସଂଗ୍ରହ କରି ତାର ବସାକୁ ଫେରି ଆସିଲା । ତା କିଛି ଦିନ ପରେ ଚଢେଇଟି ମୂଷାକୁ ଦେଖି ରାଗରେ ତାର ଆଖିକୁ ଖୁମ୍ପି ପକାଇଲା ଫଳରେ ସେ ମୂଷାର ଗୋଟିଏ ଆଖି ସମ୍ପୂର୍ଣ୍ଣ ଫୁଟିଗଲା ।
ମୂଷାଟି ଖୁବ୍ ଅପମାନ ଓ ରାଗରେ ଯାଇ ବଣର ସବୁ ପଶୁ ପକ୍ଷୀମାନଙ୍କ ଉପରେ ଫେରାଦ ହେଲା । ଦିନେ ବଣର ଗୋଟିଏ ଖୋଲା ପଡିଆରେ ସବୁ ପଶୁପକ୍ଷୀ ଏକାଠି ହୋଇ ମୂଷା ଓ ଚଢେଇଙ୍କୁ ତାଙ୍କ କଳି ବିଚାର ପାଇଁ ଡକାଇଲେ ।