ଇଗଲଟି ଶିକାରୀକୁ କହିଲା ‘ତୁମେ ବର୍ତ୍ତମାନ ସହର ମଧ୍ୟକୁ ଯାଅ । ସହର ମଧ୍ୟରେ ଥିବା ମନ୍ଦିରକୁ ଯାଇ ସେଠାରେ ପ୍ରାର୍ଥନା କରିବ । ତୁମେ ପ୍ରାର୍ଥନା ସାରି ଆସି ମନ୍ଦିର ମୁଖଶାଳାରେ ଅପେକ୍ଷା କରିବ । ପ୍ରାର୍ଥନା ସାରି ମନ୍ଦିରରୁ ସବୁଲୋକ ଚାଲିଗଲାପରେ ଜଣେ ସ୍ତ୍ରୀଲୋକ ସବାଶେଷରେ ମନ୍ଦିର ମଧ୍ୟରୁ ଆସିବ । ସେ ହେଉଛି ମୋର ଭଉଣୀ । ସେ ମନ୍ଦିର ଭିତରୁ ଆସି ଯାହାକୁ ଭେଟିବ ତାକୁ ମୋକଥା ପଚାରିବ । ତୁମକୁ ମଧ୍ୟ ସେ ମୋ କଥା ପଚାରିବ । ତୁମେ ତାକୁ ହଠାତ୍ ମୋ କଥା କହିବ ନାହିଁ । ତୁମେ ତାକୁ ମୋକଥା କହିଲେ ସେ ତାକୁ ମୋ ସହିତ ଭେଟାଇଦେବାପାଇଁ ତୁମକୁ କହିବ । ମାତ୍ର ତୁମେ ତାକୁ ଗୋଟିଏ ସର୍ତ୍ତ କହିବ ସେ ସର୍ତ୍ତରେ ସେ ରାଜି ହୋଇଗଲେ ତୁମେ ତାକୁ ମୋ ପାଖକୁ ଆଣିବ ।’
ଶିକାରୀଟି ପଚାରିଲା ‘ସେ ସର୍ତ୍ତଟି କ’ଣ?’
ଇଗଲ ଉତ୍ତର ଦେଲା ‘ତୁମେ ତାକୁ କହିବ ଯଦି ସେ ତା ଘରେ ଥିବା ରୂପାର ବାକ୍ସଟି ତୁମକୁ ଦେବ ତେବେ ତୁମେ ତାକୁ ମୋ ପାଖକୁ ଆଣି ମୋ ସହିତ ଭେଟାଇ ଦେବ ।’
ତା’ପରେ ସେ ଶିକାରୀ ଜଣକ ସହର ମଧ୍ୟକୁ ଯାଇ ମନ୍ଦିରରେ ଅନ୍ୟ ମାନଙ୍କ ସହ ପ୍ରାର୍ଥନା କଲା ଓ ପ୍ରାର୍ଥନା ଶେଷରେ ମନ୍ଦିର ବାହାରେ ସେ ସ୍ତ୍ରୀଲୋକଟିକୁ ଅପେକ୍ଷାକଲା । କିଛି ସମୟ ପରେ ଯେତେବେଳେ ମନ୍ଦିରରୁ ସବୁଲୋକ ପ୍ରାର୍ଥନା ସାରି ବାହାରିଗଲେ ଶେଷରେ ଜଣେ ସୁନ୍ଦର ପୋଷାକ ପିନ୍ଧିଥିବା ସ୍ତ୍ରୀଲୋକ ମନ୍ଦିର ମଧ୍ୟରୁ ବାହାରିଲା । ଆଉ ସେ ସ୍ତ୍ରୀଲୋକଟି ମନ୍ଦିର ବାହାରେ ଯାହାକୁ ଭେଟୁଥାଏ ତାକୁ ମନଦୁଃଖରେ ତାର ଇଗଲ ଭାଇ କଥା ପଚାରୁଥାଏ । ମାତ୍ର ତା ଭାଇର ସଂଧାନ କେହି ବି ଦେଇପାରୁ ନଥାନ୍ତି ।
ସ୍ତ୍ରୀଲୋକଟି ମଧ୍ୟ ଶିକାରୀକୁ ଇଗଲର ସଂଧାନ ବିଷୟରେ ପଚାରିଲା । ଶିକାରୀଟି ସେ ସ୍ତ୍ରୀଲୋକଟିକୁ ଇଗଲର ସଂଧାନ ଯେମିତି ଜାଣିଛି ବୋଲି କହିଛି ଇଗଲର ଭଉଣୀ ଖୁବ୍ ଆନନ୍ଦରେ ନାଚି ଉଠିଲା ।
ସ୍ତ୍ରୀଲୋକଟି ଶିକାରୀକୁ କହିଲା ‘ତୁମେ ମୋଭାଇ ସହିତ ମୋତେ ଭେଟାଇ ଦେଲେ ତୁମେ ଯାହା ଚାହିଁବ ମୁଁ ତୁମକୁ ତାହା ଦେବି ।’ ଶିକାରୀ ଜଣକ ସଙ୍ଗେ ସଙ୍ଗେ ସେ ସ୍ତ୍ରୀ ଲୋକକୁ ତା ଘରେ ଥିବା ରୂପାବାକ୍ସଟିକୁ ମାଗିଲା ।
ସ୍ତ୍ରୀଲୋକଟି ଶିକାରୀ ମୁହଁରୁ ରୂପାବାକ୍ସ କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ଓ ରୂପାବାକ୍ସଟି ଦେବାକୁ ମନାକଲା । ସ୍ତ୍ରୀଲୋକଟି ରୂପାବାକ୍ସଟି ଦେବାକୁ ମନା କଲାରୁ ଶିକାରୀ ସେଠାରୁ ଫେରି ଆସିଲା । ଇଗଲଟି ପୁଣି ଶିକାରୀକୁ ପିଠିରେ ବସାଇ ବଣକୁ ଉଡିଗଲା । ଏମିତି ତିନିଦିନ ଯାଏଁ ଇଗଲଟି ଶିକାରୀକୁ ଆଣି ସେ ସହର ଉପକଣ୍ଠରେ ପହଁଚାଇ ଦିଏ ଓ ସବୁଥର ଶିକାରୀଟିର ସେ ସ୍ତ୍ରୀଲୋକ ସହିତ ଦେଖାହୁଏ । ସ୍ତ୍ରୀଲୋକଟି ତାର ଭାଇ ପାଖକୁ ଯିବାକୁ ଯେତେ ଆଗ୍ରହୀଥାଏ ରୂପାବାକ୍ସଟି ଦେବାକଥା ଶୁଣି ତାର ସବୁ ଆଗ୍ରହ ମରିଯାଏ ।
ଶେଷରେ ସ୍ତ୍ରୀଲୋକଟି ସେ ଶିକାରୀ କଥାରେ ରାଜି ହେଲା ଓ କହିଲା ତୁମେ ମୋ ଭାଇକୁ ମୋ ସହିତ ଭେଟାଇ ଦେଲେ ମୁଁ ତୁମକୁ ମୋର ରୂପାବାକ୍ସଟି ନିଶ୍ଚୟ ଦେବି ।’
ଏହା ଶୁଣି ଶିକାରୀଟି ଇଗଲ ପାଖକୁ ଫେରିଆସି ସବୁକଥା କହିଲା । ଶିକାରୀଠାରୁ ଇଗଲ ଏହା ଶୁଣି ତାକୁ ପିଠିରେ ବସାଇ ଉଡିବାକୁ ଲାଗିଲା । କିଛି ବାଟ ଉଡିଯିବାପରେ ଏକ ସୁନ୍ଦର ସହରର ଶେଷ ମୁଣ୍ଡରେ ଇଗଲଟି ଓହ୍ଲାଇ ପଡିଲା । ଶିକାରୀଟି ଇଗଲ ପିଠିରୁ ଓହ୍ଲାଇ ଆସି ଦେଖେତ ଇଗଲଟି କେଉଁ ଆଡେ ଉଭାନ୍ ହୋଇ ଯାଇଛି । ଶିକାରୀଟି ଚାରିଆଡକୁ ଚାହିଁ ଦେଖିଲା ଯେ ସେଠାରେ ଏକ ସୁନ୍ଦର ପ୍ରାସାଦଟିଏ ଠିଆହୋଇଛି । ସେତେବେଳେ ଶିକାରୀଟିକୁ ଖୁବ୍ ଶୋଷ ହେଉଥିଲା ସେ ପିଇବାପାଇଁ ଯେମିତି ସେ ପ୍ରାସାଦ ଭିତରକୁ ଯାଇଛି ସେଠାରେ ଥିବା ଲୋକମାନେ ତାକୁ ଆନନ୍ଦରେ ପାଛୋଟି ନେଇ ଅନେକ ସୁନ୍ଦର ସୁନ୍ଦର ଖାଦ୍ୟ ପଦାର୍ଥ ଖାଇବାକୁ ଦେଲେ । ଶିକାରୀଟି ଖାଇପିଇ ସୁସ୍ଥ ହେବାପରେ ସେଠାରେ ଥିବା ଲୋକମାନେ ଗୋଟିଏ ସୁନ୍ଦର ପଲଙ୍କରେ ତାପାଇଁ ଶେଯ ତିଆରି କରିଦେଲେ ଓ ଶିକାରୀଟି ସେଠାରେ ଆନନ୍ଦରେ ଶୋଇ ପଡିଲା ।