ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉପକାରୀ ଇଗଲ୍

                ଠିକ୍ ଏଇ ସମୟରେ ଜଣେ ବୁଢାଲୋକ ସେଇ ବାଟ ଦେଇ ଯାଉଥିଲା ଓ ଶିକାରୀଟି ମନ ଦୁଃଖରେ ବସିଥିବାରୁ ତାର ମନଦୁଃଖର କାରଣ ପଚାରିଲା । ଶିକାରୀଟି କହିଲା ‘ଆପଣ ଏ ଯେଉଁ ବାକ୍ସଟି ଦେଖୁଛନ୍ତି ମୁଁ ତାହାକୁ ବନ୍ଦ କରି ପାରୁନାହିଁ ।

                ଏପରି କଥା ଶୁଣି ସେ ବୁଢାଟି କହିଲା ‘ମୁଁ ଯଦି ବାକ୍ସଟି ବନ୍ଦ କରିଦେବି ତୁମେ ମୋତେ କ’ଣ ଦେବ?’

                ଶିକାରୀଟି କହିଲା ‘ତୁମେ ଯାହା ଚାହିଁବ ମୁଁ ତା ଦେବି ।’

                ବୁଢାଟି କହିଲା ‘ତୁମେ ଘରକୁ ଫେରିବାପରେ ତୁମ ସ୍ତ୍ରୀ ପାଖରେ ଯାହା ଦେଖିବ ତାକୁ ମୋତେ ଦେବ ।’

                ଶିକାରୀଟି ବୁଢା କଥାରେ ରାଜି ହୋଇ ଯିବାରୁ ବୁଢାଟି ସେ ବାକ୍ସଟିକୁ ବନ୍ଦ କରିଦେଲା ଓ ସେ ଶିକାରୀଟି ବାକ୍ସଟିକୁ ନେଇ ଘରକୁ ଗଲା ।

                ଶିକାରୀଟି ତା’ ଘରେ ପହଁଚି ଦେଖିଲା ତା ଦାଣ୍ଡ ଦୁଆର ମୁହଁରେ ତାର ସ୍ତ୍ରୀ ଗୋଟିଏ ବାଳକକୁ କାଖେଇ ଠିଆହୋଇଛି । ସେ ଶିକାରୀ ତା ସ୍ତ୍ରୀ ନିକଟକୁ ଆସି ଦେଖିଲା ସେ ବାଳକଟି ହେଉଛି ତାର ପୁଅ ଓ ସେ ବୁଢାର ସର୍ତ୍ତ କଥା ମନେ ପକାଇ ଖୁବ୍ ମନଦୁଃଖ କଲା କାରଣ ସେ ବୁଢା ପାଖରେ ସର୍ତ୍ତକରି ଆସିଥିଲା ଯେ ଘରେ ତାର ସ୍ତ୍ରୀ ପାଖରେ ଯାହାକୁ ବି ଦେଖିବ ତାକୁ ସେ ବୁଢାକୁ ଦେବ ବୋଲି । ଏକଥା ସେ ଶିକାରୀଟି ଯେମିତି ତା ସ୍ତ୍ରୀ ଆଗରେ କହିଛି ତାର ସ୍ତ୍ରୀ ମଧ୍ୟ ମନ ଦୁଃଖ କଲା ।

                ରାତିରେ ଶିକାରୀଟି ଖାଇପିଇ ଶୋଇଲା ଓ ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଲା । ସେ ସ୍ୱପ୍ନରେ ଦେଖିଲା ଯେ ସେଇ ବୁଢାଲୋକଟି ଆସି ତାକୁ କହୁଛି ‘କାଲି ସକାଳେ ତୁମ ଦାଣ୍ଡ ଦୁଆର ମୁହଁ ପାଖରେ ଯେଉଁ ନାଲିଆ କୁକୁରଟି ଦେଖିବ ତା ସହିତ ତୁମ ପୁଅକୁ ମୋ ପାଖକୁ ପଠାଇ ଦେବ ।’

                ସତକୁ ସତ ସେ ଶିକାରୀଟି ସକାଳୁ ଉଠି ଦେଖିଲା ବେଳକୁ ତା ଦୁଆର ମୁହଁରେ ଗୋଟିଏ ନାଲିଆ କୁକୁର ଅପେକ୍ଷା କରିଛି । ଶିକାରୀଟି ରାତିର ସ୍ୱପ୍ନ କଥା ମନେ ପକାଇ ତା ପୁଅକୁ ସେ କୁକୁର ସହିତ ସେ ବୁଢା ପାଖକୁ ପଠାଇ ଦେଲା ।

                କୁକୁରଟି ଆଗେ ଆଗେ ଓ ବାଳକଟି ତା ପଛେ ପଛେ ଚାଲିବାକୁ ଲାଗିଲେ । ଏମିତି ଚାଲୁଚାଲୁ କେତେ ବର୍ଷ ପାର ହୋଇଗଲା । ଇତି ମଧ୍ୟରେ ସେ ବାଳକଟି ଏକ ସୁନ୍ଦର ଯୁବକରେ ପରିଣତ ହୋଇଗଲା । ତଥାପି ବି ସେମାନେ ତାଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥାନରେ ପହଁଚି ପାରିଲେ ନାହିଁ । ଅନେକ ବଣ, ଜଙ୍ଗଲ, ନଦୀ ପର୍ବତ ପାର ହୋଇ ସେମାନେ ଦିନେ ଗୋଟିଏ ହ୍ରଦ ନିକଟରେ ଯାଇ ପହଁଚିଲେ ।

                ଯୁବକଟି ସେ ହ୍ରଦ ମଝିରେ ତିନୋଟି ହଂସୀ ଆନନ୍ଦରେ ପହଁରୁଥିବାର ଦେଖି ଟିକିଏ ଅଟକି ଗଲା । ସେ ହ୍ରଦରେ ଦୁଇଟି ହଂସୀ ସାଙ୍ଗ ହୋଇ ଓ ଅନ୍ୟ ହଂସୀଟି ଏକୁଟିଆ ପହଁରୁଥିଲା । ଯୁବକଟି ଦେଖିଲା ସେ ହ୍ରଦ କୂଳରେ ତିନୋଟି ସୁନ୍ଦର ପାଟଶାଢି ଥୁଆ ହୋଇଛି । ଗୋଟିଏ ସ୍ଥାନରେ ଦୁଇଟି ଓ ଅନ୍ୟ ଗୋଟିଏ ସ୍ଥାନରେ ଗୋଟିଏ ଶାଢି ଥୁଆ ହୋଇଥିଲା । ଯୁବକଟି ଗୋଟିକିଆ ପାଟଶାଢିକୁ ନେଇ ଲୁଚେଇ ଦେଲା । କିଛି ସମୟ ପରେ ଯୋଡି ହୋଇ ପହଁରୁଥିବା ହଂସୀ ଦୁଇଟି କୂଳକୁ ଆସି ଦୁଇଟି ସୁନ୍ଦରୀ ତରୁଣୀରେ ପରିଣତ ହୋଇଗଲେ ଓ ପାଟବସ୍ତ୍ରଦୁଇଟିକୁ ପିନ୍ଧି କୁଆଡେ ଉଭେଇ ଗଲେ ।

                ଆଉ କିଛି ସମୟପରେ ଏକୁଟିଆ ପହଁରୁଥିବା ହଂସୀଟି ଆସି ଗୋଟିଏ ସୁନ୍ଦରୀ ତରୁଣୀରେ ପରିଣତ ହୋଇ ଯିବାପରେ ପିନ୍ଧିବା ପାଇଁ ତାର ପାଟଶାଢିଟିକୁ ଖୋଜିଲା । ମାତ୍ର ସେ ପାଟଶାଢିଟିକୁ ଯୁବକଜଣକ ଲୁଚେଇ ଦେଇଥିବାରୁ ଝିଅଟି ତାର ଶାଢିଟି ନ ପାଇ ଖାଲି କାନ୍ଦିବାକୁ ଲାଗିଲା, ଯୁବକଟି ଏହା ଦେଖି ସେ ଝିଅଟି ପାଖକୁ ଯାଇ କହିଲା, ‘ତୁମେ କାହିଁକି କାନ୍ଦୁଛ? ଝିଅଟି କହିଲା ‘ମୋର ପାଟଶାଢିଟିକୁ ଏଠାରୁ କିଏ ନେଇ ଯାଇଛି ।’

                ଏକଥା ଶୁଣି ଯୁବକଟି କହିଲା ‘ମୁଁ ଯଦି ତୁମ ପାଟଶାଢିଟି ଖୋଜି ଆଣି ଦିଏ ତେବେ ତୁମେ ମୋତେ କ’ଣ ଦେବ?’ ଝିଅଟି ଉତ୍ତର ଦେଲା ‘ଜୀବନରେ ମୁଁ ତୁମର ବହୁତ ଉପକାର କରିବି ।’

                ଯୁବକଟି ସେ ଝିଅଟିର ପାଟଶାଢି ଖଣ୍ଡିକ ଆଣି ତାକୁ ଦେଇ ଦେବା ମାତ୍ରେ ଝିଅଟି ସେ ପାଟଶାଢିକୁ ପିନ୍ଧି ଆନନ୍ଦରେ ସେଠାରୁ ଚାଲିଗଲା ।

                ଯୁବକଟି ପୁଣି କୁକୁର ପଛେ ପଛେ ଚାଲିବାକୁ ଲାଗିଲା । ସେମାନେ ପୁଣି କେତେ ବଣଜଙ୍ଗଲ ପାରହୋଇ ଗୋଟିଏ ସୁନ୍ଦର ପ୍ରାସାଦ ନିକଟରେ ଯାଇ ପହଁଚିଲେ । ସେ ପ୍ରାସାଦର ଫାଟକ ନିକଟରେ ସେ କୁକୁରଟି କେଉଁଆଡେ ଉଭେଇଗଲା । ହ୍ରଦ ନିକଟରେ ଯୁବକଟି ଯେଉଁ ଝିଅଟିକୁ ପାଟଶାଢି ଫେରାଇ ଦେଇଥିଲା ସେ ଝିଅଟି ହସ ହସ ମୁହଁରେ ଆସି ପଚାରିଲା ‘ଆପଣ ମୋତେ ଚିହ୍ନି ପାରୁଛନ୍ତି?’ ଯୁବକଟି କିଛି କହିବା ପୂର୍ବରୁ ଝିଅଟି ଯୁବକକୁ ପାଛୋଟି ନେଇଗଲା । ଯୁବକଟି ପ୍ରାସାଦ ଭିତରକୁ ଯାଇ ଦେଖିଲା ସେଠାରେ ଅନେକ ସୁନ୍ଦର ସୁନ୍ଦର କୋଠରିମାନ ଅଛି । ଝିଅଟି ଯୁବକକୁ ଅନେକ ସୁସ୍ୱାଦୁ ଖାଦ୍ୟମାନ ଖାଇବାକୁ ଦେଲା । ଯୁବକଟି ଖୁବ୍ କ୍ଳାନ୍ତହୋଇ ପଡିଥିବାରୁ ଖାଇସାରି ଆନନ୍ଦରେ ଶୋଇ ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ