ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉପକାରୀ ଇଗଲ୍

ବୁଢା ଯୁବକଠାରୁ ସବୁ କଥା ଶୁଣି କହିଲା ‘ମୋ ନାତୁଣୀ ତୁମକୁ ସାହାଯ୍ୟ କରିବାରୁ ତୁମେ ଏ ସବୁ ଅଲୌକିକ କଥା ସବୁ କରିପାରିଲ । ତେଣୁ ମୁଁ ଠିକ୍ କରିଛି ଯେ, ମୋ ନାତୁଣୀ ସହ ତୁମକୁ ବାହା ଦେବି । ତୁମେ କାଲି ସକାଳେ ମୋ ନାତୁଣୀ ସହ ମୋ ଘରକୁ ଆସ ।’

ଯୁବକଟି ଯାଇ ଝିଅଟିକୁ ସବୁ କଥା କହିଲା । ଝିଅଟି ସବୁ କଥା ଶୁଣି କହିଲା ‘ମୋର ଅଜା ଜଣେ ବଡ ତାନ୍ତ୍ରିକ ଓ ସେ ଆମ ଦୁହିଁଙ୍କୁ ଜୀବନରେ ମାରି ଦେବାକୁ ଚାହୁଁଛି । ତଥାପି ବି ଆମେ କାଲି ସକାଳେ ତା ଘରକୁ ଯିବା ।’

ତାପରଦିନ ସକାଳୁ ଝିଅଟି, ଯୁବକ ଜଣକ ବୁଢା ଘରେ ପହଁଚିବା ମାତ୍ରେ ବୁଢା ସେମାନଙ୍କୁ ବସିବା ପାଇଁ ଏକ ସୁନ୍ଦର କୋଠରିକୁ ନେଇଗଲା । ସେମାନେ ସେ କୋଠରି ମଧ୍ୟକୁ ଯିବାମାତ୍ରେ ବୁଢା କବାଟବନ୍ଦ କରିଦେଇ ସେ ଘରେ ନିଆଁ ଲଗାଇ ଦେଲା । ନିଆଁ ହୁତୁହୁତୁ ହୋଇ ଜଳିଲା ବେଳକୁ ସେ ଝିଅଟି ନିଜକୁ ଗୋଟିଏ ଛୁଂଚି ଓ ସେ ଯୁବକଟିକୁ ଖଣ୍ଡେ ସୂତାରେ ପରିଣତ କରି ଘରର ଗୋଟିଏ କଣା ବାଟେ ବାହାରକୁ ବାହାରି ଆସି ପୁଣି ତାଙ୍କ ନିଜ ରୂପ ଧାରଣ କରି ଜୀବନ ରକ୍ଷା କରିବାକୁ ଦୌଡିବାକୁ ଲାଗିଲେ । ଏମିତି ଅନେକ ବାଟ ଦୌଡିବା ପରେ ରାସ୍ତା ମଝିରେ ଝିଅଟିକୁ ଶୁଣାଗଲା ଯେ ସେମାନଙ୍କୁ ଧରିବା ପାଇଁ ପଛରୁ କେତେକ ଲୋକ ଘୋଡା ଚଢି ଆସୁଛନ୍ତି । ପଛରୁ ଘୋଡାଟାପୁର ଶବ୍ଦ ଶୁଣି ଝିଅଟି ଜାଣିଲା ଯେ ତାର ବୁଢାଅଜା ସେମାନଙ୍କୁ ଧରିବା ପାଇଁ ଲୋକ ପଠାଇଛନ୍ତି ।

ଯେମିତି ଘୋଡାର ଟାପୁ ଶବ୍ଦ ପାଖେଇ ଆସିଲା ଝିଅଟି ନିଜକୁ ଗୋଟିଏ ମନ୍ଦିର ଓ ସେ ଯୁବକଟିକୁ ସେ ମନ୍ଦିରର ପୂଜକ ଭାବରେ ପରିଣତ କରିଦେଲା । ବୁଢାର ସେ ଅନୁଚରମାନେ ମନ୍ଦିର ନିକଟରେ ପହଁଚି ସେ ପୂଜକକୁ ଦେଖି ପଚାରିଲେ ‘ତୁମେ ଏ ବାଟେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଯିବାର ଦେଖିଛ କି?

ପୂଜକଟି କହିଲା ‘ହଁ, ସେତ ଅନେକ କାଳର କଥା, ଯେତେବେଳେ ଏ ମନ୍ଦିରଟି ତିଆରି ହେଉଥିଲା ଠିକ୍ ସେତିକି ବେଳେ ଏବାଟେ ସେମାନେ ଯାଉଥିଲେ ଏବେତ ଏ ମନ୍ଦିରର ଚାରିଆଡେ ଶିଉଳି ଲାଗିଗଲାଣି ତେଣୁ ସେମାନେ ବହୁ ଦିନ ପୂର୍ବେ ଏଇବାଟେ ଯାଇଥିଲେ । ତୁମେ ଏ ଶିଉଳିକୁ ନେଇ ତୁମ ମାଲିକଙ୍କୁ ଦେଖାଇଲେ ସେ ଏହା ବିଶ୍ୱାସ କରିବେ ।’ ଶିଉଳିକୁ ନେଇ ଅଶ୍ୱାରୋହୀମାନେ ଯେମିତି ଯାଇଛନ୍ତି ସେ ଯୁବକ ଓ ଯୁବତୀ ଦୁଇଜଣ ପୁଣି ନିଜ ରୂପ ଧାରଣ କରି ଦୌଡିବାକୁ ଲାଗିଲେ । ବୁଢାର ଅନୁଚରମାନେ ସେ ଶିଉଳିକୁ ନେଇ ଯେମିତି ବୁଢାକୁ ଦେଖାଇଛନ୍ତି ବୁଢା ସେ ଲୋକମାନଙ୍କ ଉପରେ ରାଗି ସେମାନଙ୍କୁ ଗାଳି ଦେଇ କହିଲା ‘ତୁମେମାନେ ଖୁବ୍ ବୋକା ଲୋକ । ତୁମେ ଯେଉଁ ମନ୍ଦିର ଓ ପୂଜକ ଦେଖିଲ ସେମାନେ ହେଉଛନ୍ତି ସେ ଯୁବକ ଓ ଯୁବତୀ । ସେମାନେ ମନ୍ଦିର ଓ ପୂଜକ ରୂପ ଧାରଣ କରି ତୁମକୁ ବୋକା କରିଦେଲେ । ତୁମେ ଶୀଘ୍ର ଯାଇ ସେମାନଙ୍କୁ ଧରିଆଣ ।’

ଅନୁଚରମାନେ ଖୁବ୍ ଜୋର୍ରେ ଘୋଡା ଦୌଡାଇ ସେ ମନ୍ଦିର ନିକଟରେ ପହଁଚି ଦେଖିଲେ ସେଠାରେ ମନ୍ଦିର କିମ୍ବା ପୂଜକ କେହି ବି ନାହାଁନ୍ତି । ସେମାନେ ପୁଣି ଘୋଡା ଛୁଟାଇ ସେ ଯୁବକ ଓ ଯୁବତୀ ଦୁଇଜଣଙ୍କୁ ଅନୁସରଣ କରିବାକୁ ଲାଗିଲେ ।

ଏ ଯୁବକ ଓ ଯୁବତୀ ଦୁଇଜଣ କିଛି ବାଟ ଦୌଡି ଯିବାପରେ ଝିଅଟି ରାସ୍ତାରେ କାନ ଡେରି ଶୁଣିଲା ଯେ ସେ ବୁଢାର ଅନୁଚରମାନେ ପୁଣି ତାଙ୍କୁ ଗୋଡାଉଛନ୍ତି । ସେ ଝିଅଟି ନିଜକୁ ସାଙ୍ଗେ ସାଙ୍ଗେ ଦଳେ ମେଣ୍ଢା ଓ ଯୁବକଟିକୁ ଜଣେ ମେଣ୍ଢା ଜଗୁଆଳି ରୂପରେ ପରିଣତ କରିଦେଲା ।

ବୁଢାର ଲୋକମାନେ ସେ ମେଣ୍ଢା ଜଗୁଆଳି ପାଖରେ ପହଁଚି ତାକୁ ପଚାରିଲେ ତୁମେ ଏଇବାଟେ ଜଣେ ଯୁବକ ଓ ଜଣେ ଯୁବତୀ ଯିବାର ଦେଖିଛ କି?’ ମେଣ୍ଢା ଜଗୁଆଳିଟି କହିଲା ‘ହଁ, ହେଲେ ସେ ତ ଅନେକ ଦିନର କଥା । ଯେତେବେଳେ ମୋର ମାତ୍ର ଗୋଟିଏ ମେଣ୍ଢା ଥିଲା ସେତିକି ବେଳେ ଏଇ ବାଟେ ସେମାନେ ଯାଉଥିଲେ । ବର୍ତ୍ତମାନ ସେତ ଅନେକ ଦୂରରେ ହୋଇ ଯିବେଣି । ତୁମେମାନେ ଯଦି ମୋ କଥାକୁ ଅବିଶ୍ୱାସ କରୁଛ ତେବେ ଏଇ ମେଣ୍ଢା ଲୋମରୁ କିଛିନେଇ ତୁମର ମାଲିକକୁ ଦେଖାଇଲେ ସେ ନିଶ୍ଚୟ ବିଶ୍ୱାସ କରିବେ ।’

ଏହା କହି ସେ ମେଣ୍ଢା ଜଗୁଆଳିଟି ସେ ଲୋକମାନଙ୍କୁ କିଛି ମେଣ୍ଢା ଲୋମ ଦେଇ ଫେରାଇ ଦେଲା । ସେମାନେ ଅଦୃଶ୍ୟ ହୋଇ ଯିବାପରେ ମେଣ୍ଢା ଓ ମେଣ୍ଢା ଜଗୁଆଳି ପୁଣି ତାଙ୍କ ନିଜ ରୂପ ଧାରଣକରି ଦୌଡିବାକୁ ଲାଗିଲେ ।

ବୁଢାର ଲୋକମାନେ ଯେମିତି ମେଣ୍ଢା ଲୋମରୁ କିଛି ନେଇ ବୁଢାକୁ ଦେଇଛନ୍ତି ବୁଢା ତାହା ଦେଖି ଖୁବ୍ ଜୋର୍ରେ ରାଗିଯାଇ ତା ଅନୁଚର ମାନଙ୍କୁ ପୁଣି ଗାଳିଦେଇ କହିଲା ‘ତୁମେମାନେ ନିହାତି ବୋକା । ସେ ମେଣ୍ଢା ଓ ମେଣ୍ଢା ଜଗୁଆଳି ହେଉଛନ୍ତି ସେ ଯୁବକ ଓ ଯୁବତୀ । ଏଥର ମୁଁ ନିଜେ ସେମାନଙ୍କୁ ଧରିବାକୁ ଯିବି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ