ଏକଥା ଶୁଣି ସେ ସାଧୁ ଜଣକ ଅତ୍ୟନ୍ତ ଭାଙ୍ଗି ପଡିଲେ । ଏବେ ସେ କରନ୍ତେ ବା କ’ଣ? ତହୁଁ ସେ ସାଧୁ ଯାଇ ମୂଷା ପାଖରେ ପହଁଚିଲେ । କହିଲେ – ହେ ମୂଷିକ ସମ୍ରାଟ୍, ଆପଣହିଁ ମୋ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର । ଆପଣ ପାହାଡ ଭଳି ଶକ୍ତିଶାଳୀ ବସ୍ତୁକୁ କାଟି ଚୂନା କରି ଦେଉଛନ୍ତି । ତେଣୁ ଆପଣ ହିଁ ମୋ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର । ଅତଏବ ଆପଣ ମୋ କନ୍ୟାକୁ ବିବାହ କରନ୍ତୁ ।
ଏ କଥା ଶୁଣି ମୂଷା ତା ଟିକି ଟିକି ଦାନ୍ତ ଦେଖାଇ ହସିବାକୁ ଲାଗିଲା । କହିଲା – ‘ହେ ସାଧୁ, ମହାରାଜ, ପାହାଡ ଠିକ୍ କଥା କହିଛି । ମାତ୍ର ସେ ଏକଥା କହିନାହିଁ ଯେ ମୁଁ ଚିଲକୁ ବହୁତ ଡରେ । ସେ ମତେ ଖୁମ୍ପି ଖାଇ ମାରିଦିଏ । ତେଣୁ ମୁଁ ସେ ଚିଲ ଡରରେ ହିଁ ପାହାଡ ଦେହରେ ସୁଡଙ୍ଗ କରିଛି । ଚିଲ ମତେ ଆକ୍ରମଣ କଲେ ମୁଁ ପାହାଡର ଏହି ସରୁ ସରୁ ସୁଡଙ୍ଗ ମଧ୍ୟରେ ଲୁଚିଯାଏ ।’ ମୂଷାର ଏକଥା ଶୁଣି ସାଧୁ ଚିଲକୁ ନିଜ ଘରକୁ ନିମନ୍ତ୍ରଣ କଲେ ।
ଚିଲ କହିଲା – ଏ କଥା ସତ ଯେ ମୁଁ କାହାକୁ ଡରେ ନାହିଁ କି ଭୟ କରେନାହିଁ ମାତ୍ର ଝିଅତ ଆପଣଙ୍କର ଆଉ ଆକାଶରେ ରହିପାରିବ ନାହିଁ । ସେ ଏହି ମାଟି ଉପରେ ହିଁ ରହିବ । ଆଉ ମାଟିରେ ପିମ୍ପୁଡିମାନେ ଘର କରନ୍ତି ସେମାନେ ମତେ ଦେଖିବା କ୍ଷଣି ଲକ୍ଷ ଲକ୍ଷ ସଂଖ୍ୟାରେ ମୋ ଉପରେ ଆକ୍ରମଣ କରିବେ । ତାପରେ ମତେ କାମୁଡି କାମୁଡି ମାରିଦେବେ । ତେଣୁ ମୁଁ କେବଳ ଆପଣଙ୍କ ଝିଅ ପାଇଁ ମୋ ଜୀବନକୁ କେବେବି ନଷ୍ଟ କରିପାରିବିନି । ଆପଣ ଏ ସମସ୍ୟାର ସମାଧାନ ପାଇଁ ପିମ୍ପୁଡିମାନଙ୍କ ପାଖକୁ ଯାଆନ୍ତୁ ।