ଖରାଦିନ । ଉଦୁଉଦିଆ ଦ୍ୱିପ୍ରହର ବେଳ । ପ୍ରଚଣ୍ଡ ସୂର୍ଯ୍ୟତାପ ସତେ ଯେମିତି ଧରାପୃଷ୍ଠକୁ ଜାଳି ଦେଉଛି । ଉଦ୍ଭିଦଜଗତ ଝାଉଁଳି ପଡିଥିବା ବେଳେ ପ୍ରାଣୀମାନେ ମୁନ୍ଦିଏ ଜଳପାଇଁ ଡହଳ ବିକଳ ହେଉଥାନ୍ତି ।
ହଠାତ୍ ପାହାଡି ଝରଶାରୁ ଜଳ ମୁନ୍ଦିଏ ପିଇବା ଲାଗି ଠେକୁଆଟିଏ ଦୌଡିଆସିଲା । ସେ ଶୋଷ ମେଂଟାଇବା ପାଇଁ ପାଣିରେ ମୁହଁ ଲଗେଇଛି କି ନାହିଁ, ହଠାତ୍ ସିଂହର ଗର୍ଜନ ଶୁଣି ଚମକି ପଡିଲା । ମୁହଁ ଉଠାଇ ଚାହିଁଲା ବେଳକୁ ଝରଣା ସେ ପାଖେ ଏକ ବିରାଟ ସିଂହ ଆଖି ତରାଟି ତା’ଆଡକୁ ଚାହିଁ ରହିଛି । ଏବେ ଠେକୁଆ ପାଣି ପିଇବ କ’ଣ ଜୀବନ ବଂଚାଇବା ପାଇଁ ଦୌଡିଲା, ପଛେ ପଛେ ସିଂହ ବି ଦୌଡିଲା ।
ସିଂହ ଖେପାକେ ଦଶ ହାତ ଡେଇଁଲା ବେଳକୁ ଠେକୁଆ ହାତେ । ବିଚରା ଛୋଟ ଜୀବଟିଏ କ’ଣ ସେ କରିବ? କେତେ ଅବା ଧାଇଁଥାନ୍ତା? ଭାଗ୍ୟକୁ ଗୋଟିଏ ଗାତ ମିଳିଗଲା । ଜୀବନ ବିକଳରେ ସେହି ଗାତଭିତରେ ପଶିଗଲା ଠେକୁଆ । ହେଲେ କ’ଣ ହେବ? ବିପଦ କ’ଣ ତା’ର ପିଛା ଛାଡୁଛିଯେ, ସେ ରକ୍ଷା ପାଇଯିବ?”
ଗାତ ଭିତରେ ପଶୁ ପଶୁ ଠେକୁଆ ଦେଖିଲା, ତା’ ଭିତରେ ବିଲୁଆଟିଏ ଅଛି । ଠେକୁଆକୁ ଦେଖି ବିଲୁଆ ଭାରି ଖୁସି ହୋଇଗଲା । ଭାବିଲା, ବାଃ ! ଭାରି ମଜା ହେବ । ଯେତେବେଳେ ଘରଭିତରେ ଏକ ସୁଆଦିଆ ଶିକାରଟିଏ ପଶିଗଲାଣି ଏଇଟାକୁ ଖାଇ ଆରାମରେ ଶୋଇଯିବି । ଆଉ ବାହାରେ ଶିକାର ଖୋଜିବି କାହିଁକି?