ଏଣେ ବିଲୁଆକୁ ଦେଖି ଠେକୁଆ ଭୟରେ ଥରୁଥାଏ । ସେ ବିଲୁଆ କବଳରୁ ରକ୍ଷା ପାଇବ କିପରି? ମନେ ମନେ ଭାବୁଥାଏ ଭିତରେ ବିଲୁଆ ଗାତ ମୁହଁରେ ସିଂହ । କ’ଣ କରିବ ସେ?
ଠେକୁଆ ମୁଣ୍ଡକୁ ହଠାତ୍ ଏକ ବୁଦ୍ଧି ଜୁଟିଲା । ମନରେ ସାହସ ବାନ୍ଧି ବିଲୁଆକୁ ଦଣ୍ଡବତ କରି କହିଲା, “ଯା’ ହେଉ, ବହୁତ ବାଟ ବୁଲି ବୁଲି ଆପଣଙ୍କୁ ଖୋଜି ନ ପାଇ ନିରାଶ ହୋଇ ପଡିଥିଲି । ଆପଣଙ୍କ ଘର ମୁଁ ଜାଣି ନ ଥିଲି । ହଠାତ୍ ଏହା ଭିତରେ ପଶିବାରୁ ହିଁ ଆପଣଙ୍କର ସାକ୍ଷାତ୍ ପାଇଗଲି । ଗୋଟିଏ ବଡ କାମ ଆପଣଙ୍କର ହୋଇଗଲା ବୋଲି ଜାଣ । ମୋତେ ବଣର ଜୀବ ଜନ୍ତୁ ଆପଣଙ୍କ ପାଖକୁ ପଠାଇଛନ୍ତି ।”
ଠେକୁଆର କଅଁଳିଆ କଥାରେ ବିଲୁଆର ଛାତି କୁଣ୍ଢେମୋଟ ହୋଇଗଲା । ଭାବିଲା ଠେକୁଆ ନିଶ୍ଚୟ ମୋ ଲାଭ ପାଇଁ ବୋଧେ ଆସିଛି, ନହେଲେ ସେ କାହିଁକି ମୋ’ ଗାତରେ ପଶିଥାନ୍ତା? ତହୁଁ ସେ ପଚାରିବାରୁ ଠେକୁଆ କହିଲା, “ଆଜ୍ଞା, କଥା କ’ଣକି, କାଲି ସିଂହରାଜ ହଠାତ୍ ମରିଗଲେ । ତେଣୁ ଜଙ୍ଗଲର ସମସ୍ତ ପଶୁ ସଭାକରି ରାଜା ହେବା ଲାଗି ଆପଣଙ୍କ ଭଳି ଜଣେ ବୁଦ୍ଧିଆ ପଶୁକୁ ଠିକ୍ କରିଛନ୍ତି ।”
ଏବେ ଠେକୁଆର ଖୋସାମଦିଆ କଥା ଓ ରାଜା ହେବାର ଲୋଭ ବିଲୁଆକୁ ସତେଯେମିତି ପାଗଳ କରିଦେଲା ।
ଏଥର ଠେକୁଆ ସମ୍ମାନର ସହିତ କହିଲା, “ହଜୁର ! ଏବେ ଆପଣ ବାହାରନ୍ତୁ ଯିବା ।”
ତହୁଁ ବିଲୁଆ ଚାଲିଲା ଆଗେ ଆଗେ, ଆଉ ପଛେ ପଛେ ଠେକୁଆ । ତେଣେ ଗାତମୁହଁରେ ସିଂହ ଠେକୁଆକୁ ଜଗିବସିଥିବା କଥା ବିଲୁଆ ଜାଣି ନଥିଲା । ତେଣୁ ବିଲୁଆ ବୀର ଦର୍ପରେ ଗାତଭିତରୁ ବାହାରି ଆସିଲା । ହେଲେ ଗାତରୁ ବାହାରୁ ବାହାରୁ ସିଂହ ବିଲୁଆ ଉପରେ ମାଡିବାସି ତା’ର ତଂଟିକୁ ଦାନ୍ତରେ କାମୁଡି ଜଙ୍ଗଲ ଭିତରକୁ ନେଇ ଖାଇଗଲା ।
ନିଜର ଉପସ୍ଥିତ ବୁଦ୍ଧି ବଳରେ ଠେକୁଆ ଦୁଇ ଦୁଇଟା ବଳବାନ ଶତ୍ରୁଠାରୁ ରକ୍ଷା ପାଇପାରିଲା । ଏହା ହିଁ ତ ବୁଦ୍ଧିର ବଳ । ଏହାକୁ କେହି କେବେ କଳି ପାରିବେ ନାହିଁ ।