ଦିନେ ବାଣୁଆ ପକ୍ଷୀର ମନ ଦୁଃଖ କଥା ପଚାରିବାରୁ ପକ୍ଷୀଟି କହିଲା, “ହେ ମାଲିକ ପ୍ରବର ! ତୁମେ ମୋତେ ନେଇ ଆସିଲ । ମୋର ବନ୍ଧୁଟି ମୁଁ କୁଆଡେ ଗଲି ବୋଲି ଜାଣିପାରିଲା ନାହିଁ । ସେ ମନେ ମନେ ଭାବୁଥିବ ମୁଁ ଯୁଆଡେ ଯାଇଥିଲେ ବି ଦିନେ ନା ଦିନେ ତା’ ପାଖକୁ ଫେରିବି । ସୁତରାଂ ତୁମେ ଯାଇ ତାକୁ କହିଦେବ ଯେ, ମୁଁ ତୁମ ପାଖରେ ଧରା ହୋଇ ରହିଛି । ମୋର ମୁକ୍ତି ଅସମ୍ଭବ । ତେଣୁ ସେ ଆଉ ଜଣେ ନୂତନ ସାଥୀ ଯୋଗାଡ କରୁ ।”
ଏକଥା ଶୁଣି ବାଣୁଆ ଜଣକ ତା’ ପରଦିନ ସକାଳେ ଜଙ୍ଗଲର ସେଇ ନିର୍ଦ୍ଧିଷ୍ଟ ଗଛ ପାଖରେ ଯାଇ ପହଂଚିଲା ଯେଉଁଠାରୁ ସେଇ ପକ୍ଷୀଟିକୁ ଧରି ଆଣିଥିଲା । ଗଛପାଖରେ ପହଂଚି ପକ୍ଷୀଟି କହିଥିବା ମୁତାବକ ସବୁ କଥା ବଡ ପାଟିରେ କହି ଚାଲିଲା ।
ଠିକ୍ ସେତିକିବେଳେ ସେଇ ଗଛ ଉପରୁ କ’ଣ ଗୋଟିଏ ଖସି ତଳେ ପଡିବା ଶବ୍ଦ ହେଲା । ବାଣୁଆ ଦେଖେତ ପକ୍ଷୀର ସାଥୀଟି ମରି ତଳେ ପଡିଛି । ତହୁଁ ବାଣୁଆ ଭାବିଲା, ଦୁହିଁଙ୍କ ଭିତରେ କି ଅତୁଟ ପ୍ରେମ ଥିଲା ସତେ? କାରଣ ସାଥୀ ପକ୍ଷୀଟିର ଜୀବନ କାହାଣୀ ଶୁଣୁ ଶୁଣୁ ପକ୍ଷୀଟି ଦେହତ୍ୟାଗ କରିଦେଲା । ଏହା ଭାବି ବାଣୁଆ ଘରକୁ ଫେରି ପଞ୍ଜୁରୀ ଭିତରେ ଥିବା ପକ୍ଷୀକୁ ସବୁ କଥା କହିଚାଲିଲା ।
ବାଣୁଆର କଥା ସରିଲାବେଳକୁ ପଞ୍ଜୁରୀରେ ଥିବା ପକ୍ଷୀଟି ମଧ୍ୟ ତା’ଭିତରେ ମରି ଟଳିପଡିଲା । ତହୁଁ କ’ଣ ହେଲା ବୋଲି ପକ୍ଷୀଟିକୁ ବାହାରକୁ ଆଣି ଆଉଁସିଲା ବେଳକୁ ସେ ଫର୍କିନା ଉଡିଯାଇ ଗଛ ଡାଳରେ ବସିଲା । ସେଠାରେ ବାଣୁଆ ଉଦ୍ଧେଶ୍ୟରେ କହିଲା, “ମୂର୍ଖ ବାଣୁଆ, ତୁ ଜାଣିପାରିଲୁ ନାହିଁ ଯେ ସାଥୀଟି ତା’ର ଆଚରଣ ଦ୍ୱାରା ମୋତେ ଏହି ବାର୍ତା ପଠାଇଥିଲା, ଏହି ଉପାୟରେ ଖସି ଆସିବାପାଇଁ । ଏବେ ମୁଁ ଯାଉଛି ଧନ୍ୟବାଦ ।”
ଏଥିରୁ ଶିକ୍ଷାମିଳେ, ପକ୍ଷୀଜନ୍ତୁ ହେଲେ ମଧ୍ୟ ଉପସ୍ଥିତ ବୁଦ୍ଧିବଳରେ ବିପଦରୁ ରକ୍ଷା ପାଇଗଲା, ଅର୍ଥାତ୍ ପଞ୍ଜୁରୀ ଭିତରୁ ମୁକ୍ତ ହୋଇ ଯାଇଥିଲା ।