ଜଗଦୀଶ ପାଖ ଗ୍ରାମରେ ଥିବା ତା’ର ବନ୍ଧୁ ରମେଶକୁ ଦେଖା କରିବାକୁ ଯାଉଥିଲା । ବାଟରେ ହାଟ ପଡିଲା । ସେ ସେଠାରୁ ଦୁଇଟି ଚିତ୍ର କିଣିଲା, ଗୋଟିଏ ବିଷ୍ଣୁଙ୍କର ଓ ଅନ୍ୟଟି ଶିବଙ୍କର ।
ସେଠାରେ ପହଁଚି ଜଗଦୀଶ କହିଲା, “ଆରେ ରମେଶ, ତୁମକୁ ଉପହାର ଦେବାକୁ ମୁଁ କ’ଣ ଆଣିଛି ଦେଖ ତ ।” ଏତିକି କହି ସେ ଦୁଇଟି ଚିତ୍ର ତାକୁ ଦେଲା ।
ରମେଶ ଖୁସି ହୋଇ ସେ ଚିତ୍ର ଦୁଇଟିକୁ ଧରିଲା । ତା’ପରେ ତା’ର ଦଶବର୍ଷର ପୁଅ ସତୀଶକୁ ସେ କହିଲା, “ସତୀଶ, ଯା’ତ ପାଖ ଘରୁ ହାତୁଡିଟିଏ ଆଣିବୁ, କଂଟା ବାଡେଇ ଏ ଚିତ୍ରଗୁଡିକୁ ଟଙ୍ଗାଇବା ।”
ସତୀଶ ଶୀଘ୍ର ଯାଇ ସେଠାରୁ ପୁଣି ଫେରି ଆସି କହିଲା, “ପାଖରେ ଥିବା ଘରେ ହାତୁଡି ନାହିଁ ।”
ରମେଶ କହିଲା, “ତେବେ ଆଗରେ ନାରାୟଣର ଘରେ ନିଶ୍ଚୟ ହାତୁଡି ଥିବ ଯା, ସେଠୁ ନେଇଆ ।”
ପୁଣି ସତୀଶ ସେଠୁ ଖାଲି ହାତରେ ଲେଉଟି ଆସି କହିଲା “ସେଠାରେ ବି ନାହିଁ ।” ରମେଶ ତ ସହଜରେ ଛାଡିବା ଲୋକ ନୁହେଁ । ସୁତରାଂ ସେ ତାକୁ ପୁନଃ ଆହୁରି ଦୁଇତିନି ଜଣଙ୍କ ଘରକୁ ପଠାଇଲା, ମାତ୍ର ଫଳ କିଛିବି ହେଲେ ହେଲା ନାହିଁ ।
ରମେଶ ମଥା ହଲାଇ ଚୁପ୍ ରହିଗଲା । ତା’ପରେ ରମେଶ ତା’ ପୁଅକୁ କହିଲା, “ହାତୁଡି ଦେବାକୁ କେହି ଇଚ୍ଛା କରୁ ନାହାଁନ୍ତି ତ ଏବେ କ’ଣ କରାଯିବ? ଭିତର ଘରେ ବଡ କାଠ ସିନ୍ଦୁକରେ ଆମ ହାତୁଡିଟା ଅଛି ଯା ସେଇଟାକୁ ନେଇ ଆସ୍ ।”
ଏକଥା ଶୁଣି ଜଗଦୀଶର ମୁହଁ ବିକଳ ହୋଇଗଲା ।