ନୂତନ ଭାବରେ ଯୋଗଦାନ କରିଥିବା ଫୌଜର ସୈନିକମାନେ ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ଧର୍ମାବଲମ୍ବୀ ଥିଲେ । ତେଣୁ ସେମାନେ ଯେଝା ଶିବିର ସ୍ଥାପନ କରି ଅଲଗା ଅଲଗା ରୋଷେଇ କରି ଖାଉଥାନ୍ତି । ନେତାଜୀ ଏସବୁ ଦେଖିଲେ ମଧ୍ୟ କିଛି ବି କହିଲେ ନାହିଁ । କିନ୍ତୁ ତାଙ୍କ ମନରେ ଆଶଙ୍କା ଉପୁଜିଲା, ଏଭଳି ପାର୍ଥକ୍ୟ ଭାବ ମନରେ ନେଇ ସେମାନେ ଦେଶପାଇଁ କିଭଳି ଲଢି ସଫଳତା ହାସଲ କରିବେ?
ଦିନକର କଥା । ନେତାଜୀ ତାଙ୍କ ଫୌଜର ସମସ୍ତ ସୈନ୍ୟମାନଙ୍କୁ କହିଲେ, “ଭାଇ! ଆଜି ସଂଧ୍ୟାରେ ଆମେ ସମସ୍ତେ ଏକାଠି ହେବା । ମୁଁ ତୁମମାନଙ୍କ ରନ୍ଧାଖାଦ୍ୟ ସେଇଠି ଖାଇବି ।”
ଏହା ଶୁଣି ସୈନିକମାନେ ଉଲ୍ଲସିତ ହୋଇପଡିଲେ । ସେମାନେ ନିଜ ନିଜ ଶିବିରରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଦେଇ ସଂଧ୍ୟ୍ୟାବେଳେ ଏକାଠି ହେଲେ । ନେତାଜୀ ପହଁଚିବା କ୍ଷଣି ତାଙ୍କୁ ପ୍ରତ୍ୟେକ ଧର୍ମାବଲମ୍ବୀ ସିପାହୀ ନିଜ ନିଜ ଖାଦ୍ୟ ଥାଳିରେ ଦେଇ ଅର୍ପଣ କଲେ ।
ଏଥର ନେତାଜୀଙ୍କ ସମ୍ମୁଖରେ ପ୍ରତ୍ୟେକ ଖାଦ୍ୟ ଥାଳି ରଖାଗଲା । ତହୁଁ ନେତାଜୀ ସବୁ ଖାଦ୍ୟକୁ ଏକାଠି ମିଶାଇ ଦେଲେ । ତା’ପରେ କହିଲେ, “ଏବେ ତୁମେ ତୁମମାନଙ୍କର ଖାଦ୍ୟକୁ ମିଶ୍ରିତ ଖାଦ୍ୟରୁ ଅଲଗା କରି ମୋତେ ଖାଇବାକୁ ଦିଅ ।”
ନେତାଜୀଙ୍କଠାରୁ ଏଭଳି ଆଦେଶ ପାଇ ସୈନୀକମାନେ ଆଶ୍ଚର୍ଯ୍ୟର ସହିତ ପଚାରିଲେ, “ଆଜ୍ଞା! ଏଭଳି କରିବା ତ ଆଦୌ ସମ୍ଭବ ନୁହେଁ? ସବୁ ଖାଦ୍ୟ ତ ଏକାକାର । ଏହାକୁ ଅଲଗା କରିବା ପାଇଁ କହିବାର ଉଦ୍ଧେଶ୍ୟ କ’ଣ?”
ସୈନିକଙ୍କ କଥା ଶୁଣି ନେତାଜୀ କହିଲେ, “ବନ୍ଧୁଗଣ! ମୁଁ ବି ତ ଠିକ୍ ସେଇଆ ହିଁ କହିବାକୁ ଚାହୁଁଥିଲି । ଆମର ପବିତ୍ର ଦେଶମାତୃକା ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟକୁ ନେଇ ଗଠିତ । ଆମେ ସମସ୍ତେ ମିଳିମିଶି ଯେତେବେଳେ ଇଣ୍ଡିଆ ଗଢିଛେ, ଆମ ଭିତରେ ଜାତି, ଧର୍ମ ଆଧାରରେ ଭେଦଭାବ ସୃଷ୍ଟିର ଅର୍ଥ କ’ଣ ହୋଇପାରେ? ଆମେ ସମସ୍ତେ ଏକ, ଗୋଟିଏ ମାଆର ସନ୍ତାନ । ସେ ହେଉଛି ଇଣ୍ଡିଆ – ଆମର ଜନ୍ମଭୂମି । ଆଜାଦ୍-ହିନ୍ଦ୍-ଫୌଜର ଉଦ୍ଧେଶ୍ୟ ହେଲା ଦେଶମାତୃକାକୁ ଗୋଲାମୀର ଶୃଙ୍ଖଳାରୁ ମୁକ୍ତ କରିବା । ଆଉ ଏହା ସେତିକିବେଳେ ସମ୍ଭବ ହୋଇପାରିବ, ଯେତେବେଳେ ଆମେ ସମସ୍ତେ ଜାତିଭେଦ ଭୁଲି ଏକ ହୋଇପାରିବା ।”
ଏହା ଶୁଣି ସେଦିନ ସୈନିକମାନେ ଲଜ୍ଜିତ ହୋଇ ମୁଣ୍ଡ ତଳକୁ କରିଦେଲେ । ନେତାଜୀଙ୍କୁ କ୍ଷମା ପ୍ରାର୍ଥନା ମାଗି ସେହିଦିନଠାରୁ ସେମାନେ ସମସ୍ତେ ଏକତ୍ର ଭୋଜନ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଗଲେ ।