ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏକ ଭଗବାନ

ସେତେବେଳେ ଗ୍ରୀଷ୍ମଋତୁ ଅଧା କଟିଗଲାଣି, ନଈ, ନାଳ, ପୋଖରୀ, ସବୁ ଶୁଖି ଯାଇଥାଏ । ପଥିକଟିଏ ଚାଲୁ ଚାଲୁ ବହୁତ ଥକି ଯାଇ ଗୋଟିଏ ଗାଁରେ ଆସି ପହଁଚିଲା । ଶୋଷରେ ତା’ ପ୍ରାଣ ଛଟପଟ କରୁଛି । ପ୍ରଥମ ଘରଟି ଦେଖି ସେ ପାଣି ମାଗିଲା । ବଡପାଟିରେ ଘର ମାଲିକକୁ ସେ ଡାକୁଥାଏ । ଭିତରୁ ଉତ୍ତର ଆସିଲା, “ଟିକିଏ ରୁହ, ମୁଁ ଏଇ ପୂଜା ଶେଷ କରି ଆସୁଛି ।”

                ଭିତରୁ ଘଂଟି ଶବ୍ଦ ଶୁଭିଲା । ଏଥର ପଥିକଟି ଭାବିଲା ପାଣି ମିଳିବ । କିନ୍ତୁ କାହିଁ? ଭଦ୍ରଲୋକ ବୋଧହୁଏ ଭୁଲିଗଲେ । ସେ ପୁଣି ପାଟିକରି ପାଣି ମାଗିଲା ।

ଗୃହସ୍ୱାମୀ କହିଲେ “କହିଲି ପରା ଟିକେ ପିଣ୍ଡାରେ ବସି ଥକା ମାରୁଥାଅ ପୂଜା ସରିଲେ ପାଣି ଦେବି? ଏବେ ଗଣେଶଙ୍କ ପୂଜା ସରିଲା, ଅନ୍ୟ ଦେବତାଙ୍କର ଆରମ୍ଭ କରିବି ।”

ପୁଣି ଆଉ କିଛି ସମୟ ବିତିଗଲା । ପଥିକଟି ଶୋଷରେ ଅସ୍ଥିର ହୋଇ ପୁଣି ଡାକିଲା । ଗୃହସ୍ୱାମୀ ଏଥର ଭିତରେ ଥାଇ କହିଲେ, “ଏବେ ନବଗ୍ରହ ପୂଜା ଶେଷ ହେଲା । ଅନ୍ୟ ଦେବତାମାନଙ୍କ ପୂଜା ନ କରି ଅଧାରୁ କିମିତି ଉଠିଯିବି? ଘରେ ଆଉ କେହି ନାହାଁନ୍ତି ଯେ ପାଣି ଦେବେ । ପୂଜା ସରିବା ପର୍ଯ୍ୟନ୍ତ ଅପେକ୍ଷା କର ।”

ଆହୁରି କିଛି ସମୟ ଗଲା । ଘଂଟି ଶବ୍ଦ ପୁଣି ଶୁଭିଲା । ଏଥର ପଥିକଟି ପୁଣି ପାଣି ମାଗିଲା । ଗୃହସ୍ୱାମୀ ଭିତରୁ କହିଲେ, “ଆରେ କହିଲି ନା ମୁଁ ମୋ ପୂଜା ଶେଷକଲେ ପାଣି ଦେବି? ବାରମ୍ବାର ପାଟି ଚିତ୍କାର କର ନାହିଁ ।”

ପଥିକଟି ହତାଶ ହୋଇ ବସିଥାଏ । ଦେଖିଲା ପିଣ୍ଡା ତଳେ କୋଦାଳଟିଏ ପଡିଛି । ସେପଟେ ଜଣେ ଠାକୁରଙ୍କ ପୂଜାଘଂଟି ବାଜିଲେ ଏଣେ ଏ ପଥିକଟି କୋଦାଳ ଧରି ଗାତଟିଏ ଖୋଳେ । କେତେଗୁଡିଏ ଗାତ ଖୋଳା ହେଲା; ଅବଶେଷରେ ସବୁ ଠାକୁରଙ୍କର ପୂଜାସାରି ଗୃହସ୍ୱାମୀ ପାଣିନେଇ ବାହାରକୁ ଆସି ଦେଖିଲେ ଗାତଗୁଡିଏ ଖୋଳା ହୋଇଛି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତମେ ପାଣି ଖୋଜିବା ଲୋକ, ବସି ବସି ଏତେଗୁଡିଏ ଗାତ କାହିଁକି ମୋ ଦୁଆରେ ଖୋଳି ପକାଇଛ? ତୁମ ମୁଣ୍ଡ ଖରାପ ହୋଇ ଯାଇଛି ନା କ’ଣ?”

ପଥିକ କହିଲା “ଆପଣ ଏତେ ଡେରୀ କରିବାରୁ ମୁଁ ଜଣେ ଭଗବାନଙ୍କ ପାଇଁ ଗାତଟିଏ ଖୋଳେ, ଘଂଟିର ଶବ୍ଦ ଶୁଣି ମୁଁ ଗାତଗୁଡିକ ଖୋଳି ଦେଖୁଥିଲି କେତୋଟି ଭଗବାନଙ୍କୁ ଆପଣ ପୂଜା କରିଛନ୍ତି ।”

ଗୃହସ୍ୱାମୀ ପଚାରିଲେ “ଏତେ ବୋକାମି ମୁଁ କାହିଁ କେଉଁଠି ହେଲେ ବି ଦେଖି ନାହିଁ । ଏତେଗୁଡିଏ ଗାତ ନ ଖୋଳି ଗୋଟିଏ ଖୋଳିଥିଲେ, ତାହା ଏତେ ଗଭୀର ହୋଇଥାନ୍ତା ଯେ ସେଥିରୁ ପାଣି ଝରିଥା’ନ୍ତା ଓ ତମେ ସେହି ପାଣି ପିଇ ଏଠାରୁ କେତେବେଳୁ ଚାଲିଯାଇ ସାରନ୍ତଣି; ଏତେଗୁଡିଏ ଗାତ ଖୋଳିବାର କି ଆବଶ୍ୟକତା ଥିଲା?”

“ଆଉ ଆପଣ ବି ଏତେଗୁଡିଏ ଦେବଦେବୀଙ୍କୁ ନ ପୂଜି ଜଣେ ଦିଅଁଙ୍କୁ ପୂଜିଥିଲେ ଏତେବେଳକୁ ଭଗବାନଙ୍କ ସହିତ ସାକ୍ଷାତକାର ହୋଇସାରନ୍ତାଣି ଏତିକି କହି ପାଣି ପିଇ ପଥିକଟି ସେଠାରୁ ଚାଲିଗଲା ।”

ଗୃହସ୍ୱାମୀ ସ୍ତମ୍ଭୀଭୂତ ହୋଇ ଠିଆ ହୋଇ ରହିଲେ । ପଥିକ ଯାହା କହିଲେ, ସେ ତତ୍ତ୍ୱର ସପକ୍ଷରେ ଓ ବିପକ୍ଷରେ ଯୁକ୍ତି ଅଛି ବୋଲି ସେ ଜାଣୁଥିଲେ, କିନ୍ତୁ ତାଙ୍କର ମନେ ହେଲା, ଜଣେ ତୃଷାର୍ତ୍ତ ବ୍ୟକ୍ତିକୁ ଏତେ ସମୟ ଧରି ଜଳପାନ ନ ଦେବା ଫଳରେ କୌଣସି ଦେବଦେବୀ ତାଙ୍କ ଉପରେ ଯମାରୁ ସନ୍ତୁଷ୍ଟ ହୋଇ ନାହାଁନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ