ଅନୁରାଧା ପିଲାଟି ଦିନରୁ ମା’ଛେଉଣ୍ଡ । ବାପା ପୁଣିଥରେ ବିବାହ କରିବାରୁ ଅନୁରାଧାକୁ ତା’ ଜେଜେମା ନେଇ ପାଖରେ ରଖି ପାଳିଲେ । ସେ ତାକୁ ଖୁବ୍ ଭଲ ପାଉଥା’ନ୍ତି । କିନ୍ତୁ ସାବତମା’ ଦୁର୍ଗା କର୍କଶ ସ୍ୱଭାବର ଥିଲା, ସେ ଖାଲି ସମସ୍ତିଙ୍କ ସହ ଝଗଡା କରୁଥାଏ ।
ଦିନେ ସ୍ୱାମୀ ଖାଇ ବସିଥିବା ବେଳେ, ଦୁର୍ଗା କହିଲା, “ତୁମ ଝିଅ ତ ତା’ ଜେଜେମା ପାଖରେ ବଡ ଆରାମରେ ମହାରାଣୀ ପରି ଅଛି । ଆଉ ମୁଁ ଏଠାରେ ଖଟିଖଟି ମରୁଛି । ତାକୁ ତ ପୁଣି ଆମେ ବାହାଦେବା; ବିବାହ ବୟସ ହେଲାଣି । ତାକୁ ଘରକୁ ନେଇଆସ କାମଦାମରେ ସାହାଯ୍ୟ କରିବା ସହିତ ଦୁଇ ଚାରି ବର୍ଷ ଏଠାରେ ରହି ତା’ପରେ ସେ ବାହାହେବ ।”
ଦୁର୍ଗାର ସ୍ୱାମୀ ବୀରୁ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଥିଲା । ତେଣୁ ଦୁର୍ଗା ତାକୁ ସଦା ସର୍ବଦା ନିଜ ଆଙ୍ଗୁଠି ଅଗରେ ରଖି ନଚାଉ ଥାଏ । ସ୍ତ୍ରୀ କଥା ମାନି ବୀରୁ ଦିନେ ତା’ ମା’ ଘରକୁ ଯାଇ ସେଠୁ ଅନୁରାଧାକୁ ନେଇ ଆସିଲା । ଅନୁରାଧା ସେଠାରେ ରାଜ କୁମାରୀ ପରି ଥିଲା; କିନ୍ତୁ ତା’ର କପାଳ ଖରାପ, ଦୁର୍ଗା ପାଖରେ ଚାକରାଣୀ ପରି ସେ ରହିଲା । ଦୁର୍ଗା ବିନା କାରଣରେ ବାଜେକଥା ସବୁ କହୁଥାଏ । ସବୁବେଳେ ଖାଲି ତୁଛାଟାକୁ ସେ ଗାଳି ଦେଉଥାଏ ।
ସହରରେ ଦୁର୍ଗାର ଭାଇ ରହୁଥାଏ । ରାଜୁ ତା’ର ବନ୍ଧୁ ଥିଲା । ଦୁର୍ଗାର କହିବା ଅନୁସାରେ ରାଜୁକୁ ଅନୁରାଧା ସହିତ ବିବାହ ଦେବାର ଠିକ୍ ହେଲା । ଦୁର୍ଗା ଜାଣେ ରାଜୁର ଚାକିରୀ ବାକିରୀ ବୋଲି କିଛି ନାହିଁ । ଛୋଟ ମୋଟ ଚୋରୀ କରି ସେ ତା’ ଜୀବନ ବିତାଏ । ସେଥିପାଇଁ ସେ ଯୌତୁକ ନ ନେଇ ବିବାହ କରିବାକୁ ରାଜି ଥାଏ ।
ବିବାହ ହୋଇଗଲା । ଅନୁରାଧା ସହରକୁ ଆସି ରହିଲା । ଖୁବ୍ ଅଳ୍ପଦିନରେ ସେ ଠିକ୍ ବୁଝିଗଲା ଯେ ତା’ର ସ୍ୱାମୀ କି ପ୍ରକାର ଚାକିରୀ କରୁଛି ଓ ଟଙ୍କା ରୋଜଗାର କରୁଛି । ସବୁ ଜାଣିବା ପରେ ତା’ର ମନ ବହୁତ ଖରାପ ହେଲା ଦିନେ ସେ ରାଜୁକୁ ଅନୁରୋଧ କରି କହିଲା, “ଚୋରୀ ଧନ ଦ୍ୱାରା କେବେବି ସୁଖ ଶାନ୍ତି ମିଳିବ ନାହିଁ । ବରଂ ଅନ୍ୟର ଅଭିଶାପ ଆମ ଉପରେ ପଡିବ । ତେଣୁ ଚେଷ୍ଟା କରି ଦେଖ ଯଦି କେଉଁଠୁ କିଛି ଚାକିରୀ ବାକିରୀ ମିଳିଯାଏ ।” ଏକଥା ଶୁଣି ରାଜୁ ଖାଲି ହସିଦିଏ ।
ଅନୁରାଧା ସହରକୁ ଆସିବାର ଏଭିତରେ ପ୍ରାୟ ଛଅମାସ ହେଲାଣି । ଦିନେ ଖବର ଆସିଲା ଜେଜେମା ବଡ ଅସୁସ୍ଥ ସେ ଅନୁରାଧାକୁ ଦେଖିବାକୁ ଚାହାଁନ୍ତି । ଅନୁରାଧା, ରାଜୁକୁ କହି ଏକେଲା ଜେଜେମା ପାଖକୁ ଗଲା । ଜେଜେମାଙ୍କର ଖରାପ ଅବସ୍ଥା ଦେଖି ତା’ର ଆଖିରୁ ଲୁହ ବୋହିଲା । ସେ ବଡ ଶ୍ରଦ୍ଧାର ସହିତ ତାଙ୍କର ସେବା କଲା ।
ଦିନେ କଥାବାର୍ତ୍ତା କରୁକରୁ ଜେଜେମା ପଚାରିଲେ, ରାଜୁର ସ୍ୱଭାବ କିପରି? ଅନୁରାଧା ସବୁକଥା ଖୋଲି କହିଲା । ଜେଜେମା କହିଲେ, “ମୁଁ ତ ଆଜି କାଲି ଭିତରେ ଚାଲିଯିବି । ମାତ୍ର ତୋ କଥା ଭାବି ମୋତେ ବଡ ଦୁଃଖ ଲାଗୁଛି । ଅବଶ୍ୟ କପାଳରେ ଯାହା ଥାଏ । ଯାହା ହେଉ ତୋ ପାଇଁ ମୁଁ ଗୋଟିଏ ଥଳୀରେ ଏକ ହଜାର ଏକଶ ଷୋହଳ ଟଙ୍କା ରଖିଛି । ଏହି ସଂଖ୍ୟାଟି ବଡ ଶୁଭପ୍ରଦ । ତୁ ଏ ଟଙ୍କା ନେଇ ତାକୁ ବୁଝାଇବୁ ଓ ଭଲବାଟକୁ ଫେରାଇ ଆଣିବୁ, ତୁ ଖୁସିରେ ରହିଲେ ମୋ ଆତ୍ମା ତୃପ୍ତି ହେବ ।” ଏତିକି କହି ସେ ଥଳୀଟି ଅନୁରାଧାକୁ ଦେଲେ । ଅଳ୍ପ ସମୟ ପରେ ସେ ମରିଗଲେ । ଅନୁରାଧାର ବାପା ବୀରୁ ଆସି ବୁଢୀଙ୍କର ଶେଷକୃତ୍ୟ ସବୁକଲେ । ତା’ ପରେ ଅନୁରାଧା ପୁଣି ସହରକୁ ଚାଲିଗଲା ।
ସହରରେ ପହଁଚି ଅନୁରାଧା ତା’ ଘର ସଜାଡିବାରେ ଲାଗିଲା । ସେ ରାଜୁକୁ କହିଲା, “ଦେଖତ, ମୋ ଜେଜେମା ମରିବା ଆଗରୁ ଏକହଜାର ଏକଶ ଷୋହଳ ଟଙ୍କା ମୋତେ ଦେଇଛି । ତମେ ତମ ପୂର୍ବ ଅଭ୍ୟାସ ସବୁ ଛାଡି ଦେଇ ଏତକ ପଇସାକୁ ପୁଞ୍ଜି କରି କୌଣସି ଛୋଟ ବ୍ୟବସାୟ କର । ବର୍ଷକ ଭିତରେ ଏହି ପଇସା ଦଶହଜାର ହୋଇଯିବ ।”
ଏକଥା ଶୁଣି ରାଜୁ ଜୋର୍ରେ ହସି ହସି କହିଲା, “ଏତକ ନେଇ ସଂଧ୍ୟାବେଳକୁ ବଜାରକୁ ଯିବି ଓ ଖୁବ୍ ଅଳ୍ପ ସମୟ ମଧ୍ୟରେ ଦଶହଜାର ଟଙ୍କା ଅର୍ଜ୍ଜନ କରି ଆଣିବି । ଏଥିଲାଗି ବର୍ଷେ ଅପେକ୍ଷା କରିବାର ଆବଶ୍ୟକତା କେଉଁଠି?” ତିନିଟା ଚାରିଟା ବେଳକୁ ସେ ସେହି ଟଙ୍କାତକ ପକେଟ୍ରେ ରଖି ବାହାରିଲା । ଠିକ୍ ସେତିକିବେଳକୁ ଘୋଡା ଗାଡିଟିଏ ଆସି ତା’ପାଖରେ ଅଟକି ଗଲା । ଜଣେ ଭଦ୍ରଲୋକ ଗାଡିରୁ ମୁହଁ ବାହାର କରି ପଚାରିଲେ, “ହେ ବାବୁ, କହି ପାରିବେ କି ଦେବୀ ମନ୍ଦିର କେଉଁ ରାସ୍ତାରେ ଗଲେ ପଡିବ?”
ରାଜୁ ବତାଇଲା, “ଏଇ ସିଧା ରାସ୍ତାରେ ଯାଆନ୍ତୁ ।” “ଆଚ୍ଛା ଆପଣ ଯଦି ସେହି ଆଡକୁ ଯାଉଛନ୍ତି ତ ଆସନ୍ତୁ ଆମ ଗାଡିକି । କଥାବାର୍ତ୍ତା ହୋଇ ଯିବା । ମୁଁ ଓ ଗାଡିବାଲା ଦୁହେଁ ଏ ଦେଶରେ ସମ୍ପୂର୍ଣ୍ଣ ନୁଆ ।”
ରାଜୁ ଗାଡିରେ ବସିଲା । କିଛି ସମୟ ପରେ ମନ୍ଦିର ପାଖ ହୋଇ ଯିବାରୁ ସେହି ପୂର୍ବୋକ୍ତ ଭଦ୍ରଲୋକ ଗାଡିରୁ ବାହାରି ରାଜୁକୁ ଚଟାପଟ ଧନ୍ୟବାଦ ଦେଇ ମନ୍ଦିର ଆଡକୁ ଚାଲିଗଲେ । ରାଜୁ ଆରାମ୍ରେ ଗାଡିରୁ ଧୀରେଧୀରେ ଓହ୍ଲାଉ ଓହ୍ଲାଉ ଦେଖିଲା କି ଖଣ୍ଡେ ଚିଠି ଗାଡି ଭିତରେ ପଡିଛି । ସେ କୌତୁହଳବଶତଃ ସେହି ଚିଠିଟିକୁ ପଢିଲା । ଚିଠିଟି ନୀଳକଣ୍ଠି ନାମକ ଲୋକ ତା’ ସ୍ତ୍ରୀ ଭାନୁମତୀକୁ ଲେଖିଛି । ସେଥିରେ ଲେଖାଥିଲା – “ମୁଁ କାମ ପଡିବାରୁ ସହରକୁ ଯାଉଛି । ତୁମେ କହିଥିଲ ଯେ ପଚିଶ ହଜାର ଟଙ୍କାରେ କିଣା ହୋଇଥିବା ହାର ତୁମର ପସନ୍ଦ ନୁହେଁ । ତେଣୁ ତାକୁ ଫେରାଇ ନୂଆ ପ୍ରକାରର ହାର ଗଢିଦେବି । ମୁଁ ଜାଣେ ତୁମେ ଏବେ ଦେବୀ ମନ୍ଦିରରେ ଥିବ । ତେଣୁ ଏ ଚିଠି ଏ ଲୋକକୁ ଦେଇ ପଠାଇଲି । ତା’ ହାତରେ ହାରଟି ପଠାଇବ ।”
ରାଜୁ, ଭାନୁମତୀ ପାଖକୁ ଯାଇ ପଚାରିଲା, “ଆପଣଙ୍କ ନାମ ଭାନୁମତୀ?”
ଭାନୁମତୀ ପଚାରିଲା “ହଁ, କାହିଁକି? କ’ଣ ହେଲା?” ରାଜୁ ଚିଠିଟି ଭାନୁମତୀ ହାତକୁ ବଢାଇ ଦେଲା । ଭାନୁମତୀ ଚିଠି ପଢି କହିଲା, “ଆହାରେ ହାରଟା ତ ମୋ ସାଙ୍ଗ ପାର୍ବତୀ ନେଇଛି । ସେ ତା’ ଝିଅ ବାହାଘର ପାଇଁ ମୋତେ ପନ୍ଦରଶହ ଟଙ୍କା ମାଗିଲା । ମୋ ପାଖରେ ଏତେ ଟଙ୍କା ନଥିବାରୁ ହାରଟି ଦେଇ କହିଲି, “ଏଇଟି କେଉଁଠି ବନ୍ଧା ରଖି ଟଙ୍କା ଆଣ ।” ହାରଟି ତ ଏବେ ତା’ପାଖରେ । ଏବେହିଁ ମୁଁ ତାକୁ ତାହା ଦେଇ ଆସିଛି । କ’ଣ କରାଯିବ? ମୋ ସ୍ୱାମୀଙ୍କୁ କହିଦେବ ଯେ ଆସନ୍ତା ମାସରେ ମୁଁ ସେ ହାର ଆଣିଦେବି ।”
ସୁବର୍ଣ୍ଣ ସୁଯୋଗ ଦେଖୁ ଦେଖୁ ଚାଲିଗଲା । ରାଜୁ ନିରାଶ ହେଲା । ପର ମୁହୂର୍ତ୍ତରେ ତା’ ଆଖି ଉଜ୍ଜଳ ହୋଇ ଉଠିଲା । ଆଉ ଏକ ଉପାୟ ସେ ପାଂଚିଲା । ଭାନୁମତୀକୁ ସେ କହିଲା, “ଜାଣିନି, ମାଲିକ ପୁଣି ସହର ଯିବେ କି ନାହିଁ । ତେଣୁ ଏବେ କାମଟି ସାରିଦେଲେ ଉତ୍ତମ ହେବ । ମୋ ପାଖରେ ପନ୍ଦରଶହ ଟଙ୍କା ଅଛି । ଆପଣ ପାର୍ବତୀଙ୍କୁ ଏତକ ଟଙ୍କା ଦେଇ ହାରଟି ଫେରାଇ ଆଣନ୍ତୁ । ମୁଁ ମାଲିକଙ୍କଠାରୁ ସବୁ ପଇସା ନେଇ ଯିବି ନାହିଁକି?”
ଭାନୁମତୀ ରାଜୁଠାରୁ ଟଙ୍କା ଗ୍ରହଣ କରି କହିଲା, “ପାର୍ବତୀର ମନ୍ଦିର ଏହି ଘର ପଛପଟେ, ମୁଁ ଏବେ ତାକୁ ପଚାରି ଫେରି ଆସିବି ଯେ ସେ ହାର ବନ୍ଧା ଦେଇଛି ନା ନାହିଁ । ନ ଦେଇଥିଲେ ଟଙ୍କା ଦେଇ ହାର ଆଣିବି ।” କିଛି ସମୟ ପରେ ଭାନୁମତୀ ହାରଟି ଧରି ଫେରିଲା ଓ ରାଜୁକୁ ତାହା ଦେଇ ଦେଲା । ରାଜୁ ନିଜ ଚାଲାକି ପାଇଁ ନିଜକୁ ଅନେକ ପ୍ରଶଂସା କଲା ଓ ହାରଟି ଧରି ବଣିଆ ମୋହନ ଦୋକାନକୁ ଗଲା । ସେଇଠାରେ ସେ ଚୋରୀମାଲ୍ ବିକ୍ରି କରେ । ହାରଟିକୁ ମୋହନ ପରଖି ଦେଖି କହିଲା, “ରାଜୁ, ନକଲି ସୁନାର ହାର ଆଣି ମେତେ ଠକାଇବାକୁ ଚାହୁଁଛୁ?” ଏକଥା ଶୁଣି ରାଜୁ ଅନୁଭବ କଲା ଯେମିତିକି ତା’ ମୁଣ୍ଡରେ ଅକାଳ ବଜ୍ରପାତ ହେଲା ।
ରାଜୁ ଅତ୍ୟନ୍ତ ନିରାଶ ହୋଇ ମନ ଦୁଃଖରେ ଘରକୁ ଫେରିଲା । ଦେଖିଲା ଘରେ କେହି ନାହିଁ । ଖଟ ଉପରେ ଚିଠିଟିଏ । ଚିଠିରେ ଲେଖା ହୋଇଛି – “ମୋର ସାଙ୍ଗ ଭାନୁମତୀ ଓ ତା’ ସ୍ୱାମୀ ମୋଠାରୁ ତୁମ ବିଷୟରେ ସବୁ ଶୁଣି ତୁମକୁ ଏକ ଶିକ୍ଷା ଦେବାକୁ ଏପରି ନାଟକ କରିଥିଲେ । ଚୋରର ସ୍ତ୍ରୀ ବୋଲି ନିଜକୁ ପରିଚୟ ଦେବା ପୂର୍ବରୁ ମୋର ମରିଯିବା ଶ୍ରେୟସ୍କର । ମୋ ଜେଜେମା ତା’ମୃତ୍ୟୁ ବେଳେ ଯେଉଁ ଟଙ୍କା ଦେଇଥିଲା ତାହା ମୋର ସାଙ୍ଗ ପାଖରେ ଏବେ ମଧ୍ୟ ଅଛି । ସେଥିରେ ଗାଈ ଦୁଇଟି କିଣି ଦୁଧ ବିକି କୌଣସି ମତେ ଚଳିଯିବି । କିନ୍ତୁ ସେ ଜୀବନରେ ସମ୍ମାନ ଅଛି । କେହି ମୋତେ ପଦେ କହିବାକୁ ମଧ୍ୟ ସାହସ କରିବ ନାହିଁ । ସେଥିପାଇଁ ମୁଁ ମୋ ଘରକୁ ଯାଉଛି । ଏବେ ମଧ୍ୟ ସମୟ ଅଛି ତୁମେ ତୁମର ପେଶା ପରିବର୍ତ୍ତନ କର । ତୁମର ଯଥେଷ୍ଟ ବୁଦ୍ଧି ଅଛି, ତାହାର ସଦୁପଯୋଗ କର । ତମେ ଯଦି ଏପରି ସ୍ଥିର କରିବ ଯେ ଭଲ ମଣିଷ ହୋଇ ଜୀବନ ବିତାଇବ । ତେବେ କାଲି ତୁମେ ସୂର୍ଯ୍ୟାସ୍ତ ପୂର୍ବରୁ ଆମ ଗ୍ରାମକୁ ଆସି ମୋତେ ଦେଖା କରିବ ।”
ଚିଠିଟି ପଢି ରାଜୁର ଆଖି ଖୋଲିଗଲା । ସେ ଭାବିଲା ଅନୁରାଧା ପରି ସ୍ତ୍ରୀ ପାଇବା ପରେ ମଧ୍ୟ ନିଜକୁ ନ ସୁଧାରିବା ଦ୍ୱାରା ତା’ ପ୍ରତି ମୁଁ ଯେ କେତେ ଅନ୍ୟାୟ କରିଛି । ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ନୁହେଁ ସୂର୍ଯ୍ୟୋଦୟ ପୂର୍ବରୁହିଁ ସେ ଯାଇ ଅନୁରାଧା ପାଖରେ ପହଁଚିଲା । ଅନୁରାଧା ନିଜ ସ୍ୱାମୀର ଏଭଳି ପରିବର୍ତ୍ତନରେ ବହୁତ ଖୁସି ହେଲା ।