ରାଜା କୃଷ୍ଣ ଚନ୍ଦ୍ର ସ୍ୱାସ୍ଥ୍ୟକୁ ସବଳ ରଖିବା ପାଇଁ ପ୍ରତି ଦିନ ପ୍ରାତଃ ଭ୍ରମଣରେ ଶଯ୍ୟା ତ୍ୟାଗ କରି ବାହାରି ଯାଆନ୍ତି । କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ କେଉଁ ଦିନ ଏକା ଏକା ଚାଲି ଯାଆନ୍ତି । କିଛି ସମୟ ପରେ ଫେରି ଆସି ବଡ କ୍ଳାନ୍ତ ବୋଧ କରି ଥକ୍କା ହୋଇ ବସି ଯାଆନ୍ତି । ରାଜାଙ୍କର ଏପରି ଘଟଣା ଦେଖି ଗୋପାଳ ପ୍ରତି ଦିନ ଥଟ୍ଟା, ବିଦ୍ରୁପ କରେ । ଗୋପାଳକୁ ଜବତ କରିବା ପାଇଁ ଦିନେ ରାଜା କହିଲେ – ଗୋପାଳ କାଲି ତୁମେ ପ୍ରାତଃ ଭ୍ରମଣରେ ଆମ ସଙ୍ଗରେ ଯିବ । ଗୋପାଳ ହାତ ଯୋଡି କହିଲା – ଯିବି ଆଜ୍ଞା ।
ତା’ ପର ଦିନ ଯଥା କାଳେ ରାଜା ଓ ମନ୍ତ୍ରୀ ଗୋପାଳକୁ ସଙ୍ଗରେ ଧରି ବାହାରି ଗଲେ । ଅନ୍ୟ ଦିନ ଅପେକ୍ଷା ସେଦିନ ଅନେକ ଗୁଡିଏ ବାଟ ଆଗକୁ ଚାଲି ଗଲେ । ଫେରିବା ସମୟରେ ଦେଖିଲେ ଯେ ସୂର୍ଯ୍ୟଙ୍କ ଉତ୍ତାପ ଆଉ ସହ୍ୟ କରି ହେଉ ନାହିଁ । ତେଣୁ ସେମାନେ ପିନ୍ଧି ଥିବା ଭାରି ପୋଷାକ ଗୁଡିକ ବାହାର କରି ଦେଇ ଗୋପାଳକୁ କହିଲେ – ୟାକୁ ଧର ଗୋପାଳ ।
ଆଜ୍ଞା ମାତ୍ରେ ଗୋପାଳ ସେସବୁ ଧରି ରାଜା ମନ୍ତ୍ରୀଙ୍କର ପଛେ ପଛେ ଚାଲିଲା । ଏକେତ ପରିଶ୍ରମ ଓ କ୍ଳାନ୍ତ । ତା’ପରେ ସୂର୍ଯ୍ୟଙ୍କର ଟାଣୁଆ ଖରା, ତା ଉପରେ ପୁଣି ରାଜା ଓ ମନ୍ତ୍ରୀଙ୍କର ଦୁଇଟି ଭାରି ପୋଷାକ କାନ୍ଧରେ ଧରିଛି । ଏହି ସବୁ କାରଣ ନେଇ ଗୋପାଳ ତାଙ୍କ ସଙ୍ଗରେ ଚାଲି ନପାରି ପଛରେ ପଡି ରହିଲା । ତା’ର ଅବସ୍ଥା ଦେଖି ରାଜା ହସି ହସି ମନ୍ତ୍ରୀଙ୍କୁ କହିଲେ –
ଭାଣ୍ଡ ଏଥର ବେଶ୍ ଜବତ ହୋଇଛି । ବାଟଚଲା ଖରାକୁ ତା ଉପରେ ଗୋଟିଏ ଗଧର ଲଦନ ଲଦା ହୋଇଛି । ଏକଥା ଶୁଣି ଗୋପାଳ ସଙ୍ଗେ ସଙ୍ଗେ କହିଲା – ମହାରାଜ ଧର୍ମାବତାର । ଗୋଟିଏ ଗଧର ଲଦନ ହୋଇ ଥିଲେ ତ ମୁଁ ବଂଚି ଥାଆନ୍ତି । କିନ୍ତୁ ଏ ଯେ ଦୁଇଟି ଗଧର ।