ମହେନ୍ଦ୍ରର ଶେଷ ଅବଲମ୍ବନ ତା ବୋଉ ଥିଲା । ବାପା ତ ବହୁ ଆଗରୁ ଯାଇଥିଲେ । ବୋଉର ପରଲୋକ ପରେ ସେ ଆଉ ଗାଁରେ ନରହି ସହରକୁ ଯାଇ କୌଣସି କାମ ଧନ୍ଦା ଯୋଗାଡ କରିନେବାକୁ ସ୍ଥିର କଲା ।
ଗାଁରେ ଜଣେ ଆତ୍ମୀୟ ଥିଲେ । ସେ ବେଶ୍ ଭଲ ମଣିଷ । ମହେନ୍ଦ୍ର ନିଜ ଘରର ଦାୟିତ୍ୱ ତାଙ୍କୁ ସମର୍ପି ଦେଲା । ଜମି ଯାହା ଅଳ୍ପସଳ୍ପ ଥିଲା, ତାକୁ ପ୍ରତିବେଶୀମାନଙ୍କୁ ସେ ଭାଗରେ ଦେଲା । ତେଣିକି ନିଜ ଭାଗ୍ୟ ପରୀକ୍ଷା ନିମନ୍ତେ ଦୂରକୁ ଯିବାରେ ଆଉ କୌଣସି ଅସୁବିଧା ରହିଲା ନାହିଁ ।
ସେ ଗାଁ ଛାଡି ସହର ଅଭିମୁଖେ ଯାତ୍ରାରମ୍ଭ କଲା । ସାରା ଦିନର ବାଟ । ମଝିରେ ମଝିରେ ଘୋଡା ଗାଡି ମିଳିଯାଏ । କିନ୍ତୁ ସେଥିପାଇଁ ଯେତେ ଭଡା ଦେବାକୁ ପଡେ, ତାହା ଖର୍ଚ୍ଚ କଲା ଭଳି ସମ୍ବଳ ମହେନ୍ଦ୍ରଠିଁ ନଥିଲା । ସହରରେ ଯାଇ ପହଁଚିବା ମାତ୍ରେ ତ ଆଉ ଚାକିରୀ ମିଳିଯିବ ନାହିଁ । ଦୁଇ ଚାରିଦିନ କୌଣସି ନା କୌଣସି ଚଟିଘରେ ରହି କାମ ଖୋଜିବାକୁ ହେବ । ତେଣୁ ପାଖରେ ଅଳ୍ପ ପଇସା ପତ୍ର ଯାହା ଥିଲା, ତାହାକୁ ସାବଧାନ ହୋଇ ଖର୍ଚ୍ଚ କରିବାକୁ ମହେନ୍ଦ୍ର ସ୍ଥିର କରିଥାଏ ।
ଦୁଇପହର ବେଳକୁ ବାଟ ଚାଲି ଚାଲି ସେ ହାଲିଆ ହୋଇ ପଡିଥାଏ । ରାସ୍ତା କଡରେ ଗୋଟିଏ ବରଗଛ ଛାଇରେ ସେ ଟିକିଏ ବିଶ୍ରାମ କରିବ ବୋଲି ଗଛ ପାଖକୁ ଯାଇ ଦେଖେତ ଭଦ୍ରଲୋକ ଭଳି ଦିଶୁଥିବା ଜଣେ ବୁଢା ବସିଛି । ମହେନ୍ଦ୍ର ଆଡେ ଅନାଇ ସେ ଅଳ୍ପ ହସିଲା ଓ ପଚାରିଲା, “ବାବୁ, ସହରକୁ ଯାଉଛ କି?”
ମହେନ୍ଦ୍ର କହିଲା “ହଁ, ଆଜ୍ଞା ।”
ବୁଢା କହିଲା “ଭଲ ହେଲା । ସାଥୀ ପାଇଗଲି । ବସି ପଡ ବାପା, ବସି ପଡ । ଗୋଟିଏ ଗାଡି ପାଇଲେ ଉଠି ପଡିବା ।”
ମହେନ୍ଦ୍ର କହିଲା “ଗାଡି? ନା, ଆଜ୍ଞା, ମୁଁ ଚାଲି ଚାଲି ଯିବି । ଗାଡିରେ ଯିବା ଭଳି ତାକତ୍ ମୋର ନାହିଁ ।”
ବୁଢା କହିଲା “ତମେ ପଇସାର ତାକତ୍ କଥା କହୁଛ ତ? ଚିନ୍ତା କର ନାହିଁ । ଗାଡି ଭଡା ମୁଁ ଦେବି । ମୋ’ ଦେହରେ ତାକତ୍ ନାହିଁ । ଗାଡି ଆସିଲେ ତମେ ଟିକିଏ ମୋର ଏ ବାକ୍ସକୁ ଉଠାଇଦେବ । ଆଉ ସହରରେ ପହଁଚିବା ପରେ ମୋତେ ମୋ ବନ୍ଧୁ ଘରେ ନେଇ ଛାଡିବ । କଥା କ’ଣ କି, ମୁଁ ହୃଦ୍ରୋଗୀ । କେତେବେଳେ ବେମାର ବାହାରି ପଡିବ, ସେଥିପାଇଁ ସବୁବେଳେ ଡରଥାଏ । ସାଙ୍ଗରେ ଜଣେ ଥିଲେ ସାହସ ଥାଏ ।”
ମହେନ୍ଦ୍ରର ଏ ପ୍ରସ୍ତାବରେ ଆପତ୍ତି କରିବାର କୌଣସି କାରଣହିଁ ନଥିଲା । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସେ ସର୍ବଦା ତତ୍ପର ଥାଏ ।
ବୁଢା ବହୁତ ସଦୟ ମନେ ହେଉଥାଏ । ଗପସପ ଭିତରେ ସେ ବୁଝିନେଲା ଯେ ମହେନ୍ଦ୍ର ଚାକିରୀ ସନ୍ଧାନରେ ଯାଉଛି । ସେ ମହେନ୍ଦ୍ରକୁ କୌଣସି ବଡ ପ୍ରତିଷ୍ଠାନର ମାଲିକ ସହିତ ପରିଚୟ କରାଇଦେବ, ଏକଥା ବି ସେ କହିଲା । ମହେନ୍ଦ୍ର ତା’ ମନେ ମନେ ଭାବିଲା, “ଯାହାହେଉ, ଶୁଭ ମୁହୂର୍ତ୍ତରେ ମୁଁ ଆଜି ମୋ ଘରୁ ବାହାରିଥିଲି! ସଙ୍ଗେ ସଙ୍ଗେ ସାହାଯ୍ୟର ପ୍ରତିଶୃତି ମିଳିଗଲା!”