ସେ ଜଙ୍ଗଲରେ ଅନେକ ଦିନ ରହିଲାପରେ ଦିନେ ଓଟ କହିଲା – ହେ ମିତ୍ର ! ଆଉ ଏ ଜଙ୍ଗଲରେ ରହିବାକୁ ମୋତେ ଭଲ ଲାଗୁନି । ତେଣୁ ମୋର ମରୁଭୂମିକୁ ଫେରିଯିବାକୁ ବହୁତ ଇଚ୍ଛା ହଉଛି । ଘର କଥା ବି ମନେ ପଡୁଛି । ମରୁଭୂମିରେ ମିଠା ମିଠା ଖଜୁରି କୋଳି ଖାଇବାକୁ ବି ମୋର ବହୁତ ଇଚ୍ଛା ହଉଛି । ଏଣେ ଖଜୁରି କୋଳି ଖାଇବା କଥା ଶୁଣି ସେ ବିଲୁଆ ପାଟିରୁ ବି ଲାଳ ଗଡିଲା । ତେଣୁ ସେ ବିଲୁଆ ବି କହିଲା – ଓଟ ଭାଇ; ମୁଁ ମଧ୍ୟ ଏହି ଜଙ୍ଗଲରେ ରହି ଅଧିକରୁ ଅଧିକ ଚିଡି ଚିଡା ହୋଇଗଲିଣି । କିଛି ଦିନ ମରୁଭୂମିରେ ଯାଇ ରହି ଆସିଲେ ମୋର କ’ଣ ବା ଅସୁବିଧା ହେବ । ଏକଥା ଶୁଣି ସେ ଓଟ ହସିଲା । ତାପରେ ସେ ଓଟ ତା ମନେ ମନେ ଭାବିଲା ଏଇଟା ହିଁ ଶ୍ରେଷ୍ଠ ସମୟ । ଏହି ବିଲୁଆକୁ ସେ ଭଲସେ ପାନେ ଦେବ । ଏମିତିକି ସବୁ ହିସାବ ବି ଠିକ୍ କରିଦେବ ।
ଏକଥା ଶୁଣି ସେ ଓଟ କହିଲା – ‘ଇଏତ ବହୁତ ଭଲ କଥା । ମୋ ମିତ୍ର ମୋ ଘରକୁ ଯିବ । ସେଠାରେ ମିଠା ମିଠା ଖଜୁରି କୋଳି ବି ଖାଇବ । ମୋ ପିଠିରେ ବସି ମରୁଭୂମିରେ ବୁଲିବ । ଏହିପରି ଭାବି ଦିନେ ସକାଳୁ ସେ ଓଟ ଓ ବିଲୁଆ ମରୁଭୂମି ଯିବାକୁ ବାହାରିଲେ । ତାପରେ ଓଟ ଓ ବିଲୁଆ ଯାଇ ମରୁଭୂମିରେ ପହଁଚିଲେ । ଓଟ ବି ସେ ବିଲୁଆକୁ ମିଠା ମିଠା ଖଜୁରି କୋଳି ଖାଇବାକୁ ଦେଲା । ତେଣୁ ସେ ବିଲୁଆ ମନ ଭାରି ଖୁସି । ଏମିତି କିଛି ଦିନ ବିତିଗଲା । ଦିନେ ସେ ମରୁଭୂମିରେ ବୁଲି ବୁଲି ବିଲୁଆ କହିଲା – ମିତ୍ର ମୁଁ ଆଜି ଜଙ୍ଗଲକୁ ଫେରିଯିବି । ତହୁଁ ସେ ଓଟ କହିଲା – ଠିକ୍ ଅଛି, ଆଜି ଅପରାହ୍ନରେ ମୁଁ ତୁମକୁ ନେଇ ଜଙ୍ଗଲରେ ଛାଡିଦେବି ।
ଅପରାହ୍ନ ହେଲା । ବିଲୁଆ ସେ ଓଟ ପିଠିରେ ବସି ଜଙ୍ଗଲ ଅଭିମୁଖେ ବାହାରିଲା । କିଛି ବାଟ ଗଲାପରେ ସେ ମରୁଭୂମିରେ ଧୂଳିଝଡ ଆସିଲା । ସେ ଓଟ ତ ଏହି ମଉକାରେ ଥିଲା । ଓଟ କହିଲା – ମିତ୍ର ବିଲୁଆ ଭାଇ । ମୋର ଗୋଟିଏ ଖରାପ୍ ଅଭ୍ୟାସ ଅଛି । ଯେତେବେଳେ ମରୁଭୂମିରେ ଧୂଳି ଝଡ ହୁଏ ମୁଁ ବସିଯାଏ । ଝଡ ଚାଲିଗଲା ପରେ ଯାଇ ମୁଁ ଉଠେ । ବିଲୁଆ ଏକଥା ଶୁଣି ତା’ ଅକଲ୍ ପୁରାପୁରି ଗୁଡୁମ୍ । ସେ ଜାଣିପାରିଲା ଓଟ ତା ଉପରେ ସେ କରିଥିବା ଘୋର ଅପରାଧର ପ୍ରତିଶୋଧ ହିଁ ନେଉଛି । ଏଣେ ପ୍ରବଳ ଧୂଳିଝଡ ଆରମ୍ଭ ହେବାରୁ ଓଟ ବିଲୁଆକୁ ତା ପିଠିରୁ ପକାଇ ଦେଲା । ଫଳରେ ସେ ବିଲୁଆ ବାଲି ତଳେ ଚାପି ହୋଇ ମରିଗଲା । ଏହିପରି ଭାବେ ବିଲୁଆ ତା’ କଲା କର୍ମର ଫଳ ପାଇଲା । ତେଣୁ ଯିଏ ଯେପରି କର୍ମ କରିବ ସେ ଠିକ୍ ସେପରି ହିଁ ଫଳ ପାଇବ ।