ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଚ୍ଛପର ଖୋଳ

ଚୀନ୍ର ଏକ ନଗରୀରେ ବେନ୍ ସି ନାମକ ବ୍ୟକ୍ତିଟିଏ ବାସ କରୁଥାଏ । ସେ ଖୁବ୍ ବୁଦ୍ଧିମାନ ଥିଲା ଓ ନାନା କଳା ବିଦ୍ୟାରେ ପାରଙ୍ଗମ ବି ଥିଲା । ସେ ସତରଞ୍ଜ ଖେଳ, ତନ୍ତୁବାଦ୍ୟ, ଚିତ୍ରକଳା, ନୃତ୍ୟ, ସଙ୍ଗୀତ ପ୍ରଭୃତି ବିଦ୍ୟା ଶିଖିଥାଏ । ତା’ର ଜାତକ ଦେଖି ଜଣେ ଜ୍ୟୋତିଷ ଭବିଷ୍ୟତବାଣୀ କରିଥାନ୍ତି ଯେ ଦିନେ ସେ ଅତି ବଡ ଧନୀଲୋକ ହେବ । ତେଣୁ ବେନ୍ ସି ତା’ର ପୈତୃକ ସମ୍ପତ୍ତି ମଉଜ୍ ମଜଲିସ୍ରେ ଉଡାଉଥାଏ ।

ବସି ଖାଇଲେ ନଇବାଲି ସରେ । ବେନ ସି ର ସବୁ ସମ୍ପତ୍ତି କ୍ରମେ ଶେଷ ହୋଇ ଆସିଲା । ତା’ର ସମବୟସ୍କ ଯୁବକମାନେ ବ୍ୟବସାୟ ବାଣିଜ୍ୟ କରି ସେମାନଙ୍କର ଧନସମ୍ପତ୍ତି ବଢାଇବାରେ ଲାଗିଥା’ନ୍ତି । ଦିନେ ବେନ୍ ଭାବିଲା ସେ ମଧ୍ୟ କିଛି ବ୍ୟବସାୟ କରିବ । କିନ୍ତୁ କପାଳ ମନ୍ଦ, ସେ ଯାହା କିଛି ବ୍ୟବସାୟ କରେ, ସବୁଥିରେ କେବଳ ତା’ର କ୍ଷତିହିଁ ହୋଇଥାଏ ।

ଥରେ ସେ ଶୁଣିଲା ଚାଳିଶଜଣ ବଣିକ ଜାହାଜଟିଏ ନେଇ ଦୂର ଦେଶକୁ ବାଣିଜ୍ୟ କରିବାକୁ ଯାଉଛନ୍ତି । ସେ ମଧ୍ୟ ସେମାନଙ୍କ ସହିତ ଯିବ ବୋଲି ସେମାନଙ୍କୁ ଅନୁରୋଧ କଲା । ଜଳଯାତ୍ରା ବେନ୍ର ମଜା ଗପ, କବିତା, ଯୋଗୁଁ ଅତି ଭଲରେ କଟିବ ବୋଲି ସେମାନେ ତାକୁ ନିଜ ସଙ୍ଗରେ ନେଲେ । ବେନ୍ର ଇଚ୍ଛା ଥିଲା ନୂଆ ନୂଆ ଦେଶ ଦେଖିବ ଓ ନୂଆ ନୂଆ କଥା ସବୁ ଶିଖିବ । ବଣିକମାନଙ୍କ ନେତା ଚାଙ୍ଗ୍ କିନ୍ତୁ ଭାବୁଥାଏ ବେନ୍ ସି ଦ୍ୱାରା କିଛି ବାଣିଜ୍ୟ ବ୍ୟବସାୟ ମଧ୍ୟ କରାଯାଇ ପାରିବ । କିଛି ଜିନିଷ ଖରିଦ୍ କରି ପୁଣି ଅନ୍ୟ ଦେଶରେ ବିକିଲେ କିଛିଟା ଲାଭ ହେବ । ଚାଙ୍ଗ୍ କଥା ଶୁଣି ବଣିକମାନେ ପ୍ରତ୍ୟେକେ କିଛି କିଛି ଚାନ୍ଦା ଦୟାକରି ବେନ୍କୁ ଦେଲେ । ଚାଙ୍ଗ କହିଲା, “ବେନ୍, ଏତିକି ମାତ୍ର ଟଙ୍କାରେ ତମେ କ’ଣ ବା ବ୍ୟବସାୟ କରିବ? କିଛି ଫଳ କିଣିନିଅ ବାଟରେ ତାହା ଖାଇବ ।” ଜାହାଜ ଛାଡିବା ପୂର୍ବରୁ ବନ୍ଦର ଅଂଚଳରେ ବଡ ବଡ କମଳା ଲେମ୍ବୁ ବିକ୍ରି ହେଉଥିଲା । ବେନ୍ କେତେ ଟୋକେଇ କମଳା କିଣି ପକାଇଲା ଓ ଜାହାଜରେ ସେତକ ନେଇ ସେ ଭରିଲା । ଅନ୍ୟ ବ୍ୟବସାୟୀମାନେ ଏସବୁ ଦେଖି ଖୁବ୍ ହସିଲେ ।

କିଛି ସମୟ ପରେ ଜାହାଜ ବିଦେଶ ଯାତ୍ରା ପାଇଁ ବନ୍ଦର ଛାଡିଲା । କିଛିଦିନ ସମୁଦ୍ର ଯାତ୍ରା କରିବା ପରେ ଜାହାଜ ଏକ ଦେଶରେ ଯାଇ ଲାଗିଲା । ବଣିକମାନେ ଜାହାଜରୁ ଓହ୍ଲାଇ ନିଜ ନିଜର ଜିନିଷପତ୍ର ଧରି ବଜାରକୁ ଗଲେ । ଆଗରୁ ସେମାନେ ଜାଣିଥା’ନ୍ତି କେଉଁଠି କ’ଣ ବିକ୍ରିହେବ ଓ କ’ଣ କିଣାହେବ ଇତ୍ୟାଦି । ବିଚାରା ବେନ୍ କ’ଣ କରିବ? ତା’ର ହଠାତ୍ କମଳା ଟୋକେଇ କଥା ମନେ ପଡିଗଲା । ସେ ଭାବିଲା ହୁଏତ ଇତିମଧ୍ୟରେ ସେସବୁ ପଚି ଯିବଣି । ତେଣୁ ସେ ସବୁ ଟୋକେଇ ଗୁଡିକ ଜାହାଜ ଉପରକୁ ଆଣି ସଜାଇ ରଖିଲା ଓ ଗୋଟିଏ କମଳା ଖୋଲି କୋଲାଟିମାନ ବସି ଖାଇଲା । ଏଣେ ସେହି ଦେଶର ଲୋକେ ଯେଉଁମାନେ ବନ୍ଦରରେ କାମ କରୁଥା’ନ୍ତି ବା ଯିବାଆସିବା କରୁଥା’ନ୍ତି ସେମାନେ କମଳା ଗୁଡିକର ସୁନ୍ଦର ରଙ୍ଗରେ ଆକୃଷ୍ଟ ହୋଇ ଆସିଲେ । ତା’ପରେ ଚାଖି ଦେଖିଲେ ସେହି କମଳା ଗୁଡିକ ଖୁବ୍ ସ୍ୱାଦିଷ୍ଟ । ତେଣୁ ଅଳ୍ପ କିଛି ସମୟ ମଧ୍ୟରେ ସେସବୁ ବିକ୍ରି ହୋଇଗଲା । ବେନ୍ ବହୁତ ଟଙ୍କା ଲାଭ ପାଇଲା ।

ଏଣେ ଜାହାଜର ଧନୀ ବଣିକମାନେ ନିଜ ନିଜର ବ୍ୟବସାୟର କାର୍ଯ୍ୟ ଶେଷ କରି ଜାହାଜକୁ ଫେରି ଶୁଣିଲେ ବେନ୍ ସି ର କଥା । ସମସ୍ତେ ତ ଅବାକ୍ ହୋଇଗଲେ । ତା’ପରେ କେହି କେହି ବେନ୍କୁ ମଧ୍ୟ ନାନା ଭାବରେ ଅଭିବାଦନ କରି କହିଲେ, “ବେନ୍ ସି, ତୋର ଭାଗ୍ୟ ବଡ ଟାଣ ଅଛି । ନହେଲେ କି ତୁ କମଳା ବିକି ଏତେ ଟଙ୍କା ଲାଭ କରିପାରିଥା’ନ୍ତୁ? ଶୁଣ, ତୁ ବରଂ ଏଇ ଟଙ୍କାରୁ କିଛି ନେଇ କ’ଣ ଖରିଦ୍ କରି ନେଇ ଆସିବୁ । ତାକୁ ନେଇ ଆମ ଦେଶରେ ବିକିଲେ ତୁ ଆହୁରି ଲାଭ ପାଇବୁ ।” କିନ୍ତୁ ବେନ୍ କିଛି ହେଲେବି ଶୁଣିଲା ନାହିଁ । ସେ ଭାବିଲା ଯେତିକି ପାଇଛି ତାହା ଯଥେଷ୍ଟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ