ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଚ୍ଛପର ଖୋଳ

ସେହି ବନ୍ଦରରେ ଜାହାଜ ପ୍ରାୟ ପନ୍ଦରଦିନ ଯାଏଁ ରହିଲା । କେତେ ଲୋକ କେତେ କ’ଣ କିଣିଲେ । ତା’ପରେ ବାୟୁର ଗତି ଦେଖି ଜାହାଜ ସେଠାରୁ ନିଜ ଦେଶକୁ ଫେରିବା ପାଇଁ ଯାତ୍ରା କଲା । ଅଳ୍ପ କିଛିଦିନ ପରେ ହଠାତ୍ ସମୁଦ୍ରରେ ବହୁତ କୁହୁଡି ଦେଖାଗଲା । ପରିଣାମ ସ୍ୱରୂପ ଜାହାଜର କପ୍ତାନ ଆଉ ଦିଗନିର୍ଣ୍ଣୟ କରିପାରିଲା ନାହିଁ । ତେଣୁ ଶେଷରେ ଜାହାଜ ଗୋଟିଏ ନିର୍ଜ୍ଜନ ଦ୍ୱୀପ ପାଖରେ ଯାଇ ନଙ୍ଗର ପକାଇଲା । କୁହୁଡି କଟିଗଲେ ପୁଣି ଯାତ୍ରା ଆରମ୍ଭ ହେବ ।

ସମସ୍ତେ ଜାହାଜରେ ଥା’ନ୍ତି, ବେନ୍ ଦ୍ୱୀପ ବୁଲିବାକୁ ବାହାରି ପଡିଲା । ସମସ୍ତେ ବିରକ୍ତ ହୋଇ କହିଲେ ଯେ ସେ ଛୋଟ ନିର୍ଜନ ଦ୍ୱୀପରେ ଦେଖିବାର ବା କ’ଣ ଏମିତି ଅଛି? ବେନ୍ କାହାକଥା କିଛି ନ ଶୁଣି ଏକେଲା ବୁଲିବାକୁ ଗଲା । ବୁଲି ବୁଲି ସେ ଏକ ଛୋଟ ପାହାଡ ଉପରେ ଚଢି ଚାରିଆଡକୁ ଅନାଇ ଦେଖିଲା । ଦ୍ୱୀପ ଚାରିପାଖରେ ସେ କେବଳ ପାଣିହିଁ ଦେଖିପାରୁଥିଲା । ଦେଖୁ ଦେଖୁ ଏକ ବିଚିତ୍ର ଜିନିଷ ଉପରେ ହଠାତ୍ ତା’ ଆଖି ପଡିଲା । ପାଖକୁ ଯାଇ ସେ ଦେଖିଲା ତାହା ଏକ ବିରାଟ କଚ୍ଛପର ଖୋଳ । ଏହା ଆକାରରେ ଏକ ବିରାଟ ପଲଙ୍କ ପରି ହୋଇଛି । ବେନ୍ ଭାବିଲା, “ଆହା, ଏଡେ ବଡ କଚ୍ଛପ ବି ପୃଥିବୀରେ ସମ୍ଭବ? ଏକଥା ମୁଁ ଜାହାଜ ଯାତ୍ରୀମାନଙ୍କୁ କହିଲେ, ସେମାନେ ମୋର ହସି ଉଡାଇବେ ଓ ମୋତେ ଏକ ବଡ ଡହରା ଲୋକ ବୋଲି କହିବେ । ବରଂ ଏଇଟାକୁ ମୁଁ ବୋହି ନେବି । ଦେଶକୁ ଗଲେ କଟାକଟି କରି ମୁଁ ଏଥିରୁ କିଛି ସୁନ୍ଦର ଜିନିଷ ତିଆରି କରି ପାରିବି ।” ଏକଥା ଭାବି ସେ ତା’ର ଅଂଟାରୁ ଡୋର କାଢି ତାକୁ ସେଥିରେ ବାନ୍ଧି ଘୋଷାରି ଘୋଷାରି ଜାହାଜ ପର୍ଯ୍ୟନ୍ତ ଆଣିଲା । ଜାହାଜର ଯାତ୍ରୀମାନେ ଏହି କଚ୍ଛପ ଖୋଳଟିକୁ ଦେଖି ବିସ୍ମିତ ତ ନିଶ୍ଚୟ ହେଲେ; ତେବେ ସମସ୍ତେ କହିଲେ, “ଏହାର କିଛିବି ଉପଯୋଗୀତା ନାହିଁ, ଏଡେ ବଡ ଜିନିଷଟା ନେଇ ଲାଭ କ’ଣ?” କିଏ କହିଲା, “ଏସବୁ ଜିନିଷ ଔଷଧ ତିଆରି ହେବାରେ ଲାଗି ପାରିବ!” ବେନ୍ କହିଲା, “ଭାଇମାନେ, ଆପଣମାନେ ତ କିଛି ନା କିଛି ବିଦେଶୀ ଜିନିଷ ନିଜ ସଙ୍ଗେ ଦେଶକୁ ନେଇ ଯାଉଛନ୍ତି । ମୁଁ ମଧ୍ୟ କିଛି ବିଦେଶୀ ଜିନିଷ ନେଇ ଯାଉଛି । ପାର୍ଥକ୍ୟ ଖାଲି ଏତିକି ଯେ ଆପଣମାନେ ପଇସା ଦେଇ କିଣିଛନ୍ତି, ହେଲେ ମୁଁ କିଛି ପଇସା ନଦେଇ ନିଜେ ପାଇ ଯାଇଛି ।”

ପରଦିନ କୁହୁଡି ସମ୍ପୂର୍ଣ୍ଣ ରୂପେ କଟିଗଲା । ଜାହାଜ ପୁଣି ଯାତ୍ରା ଆରମ୍ଭ କଲା ଓ କିଛିଦିନ ପରେ ଯାଇ ଚୀନ୍ରେ ତାହା ପହଁଚିଲା । ଜାହାଜ ପହଁଚିବା ମାତ୍ରେ ବ୍ୟବସାୟୀମାନଙ୍କ ଦଲାଲ୍ମାନେ ଆସି ବଣିକମାନଙ୍କୁ ସବୁ ନିଜ ନିଜର ମୁନିବମାନଙ୍କ ଘରକୁ ନିମନ୍ତ୍ରିତ କରୁଥା’ନ୍ତି । ଜଣେ ଇରାନୀ ଧନୀ ଲୋକଙ୍କ ଘରକୁ ବ୍ୟବସାୟୀମାନେ ନିମନ୍ତ୍ରିତ ହୋଇ ଗଲେ । ସେଠାରେ ବଡ ଛୋଟ ବ୍ୟବସାୟ ଅନୁସାରେ ବ୍ୟବସାୟୀମାନଙ୍କୁ ଉଚ୍ଚ ଆସନ ଦିଆଯାଉଥିଲା । ସାଧାରଣମାନଙ୍କୁ ତଳେ ମସିଣା ଉପରେ ବସିବାକୁ ଦିଆ ହେଉଥିଲା । ବେନ୍କୁ ମଧ୍ୟ ମସିଣାରେ ବସିବାକୁ ପଡିଲା ।

ଜାହାଜରେ ଥିବା ବିଭିନ୍ନ ଜିନିଷ ଦେଖିବାକୁ ପରଦିନ ଇରାନୀ ବଣିକ ଜାହାଜକୁ ବୁଲି ଆସିଲେ । ଜାହାଜ ଉପରେ ପଡିଥିବା କଚ୍ଛପର ବିରାଟ ଖୋଳ ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏ ଅମୂଲ୍ୟ ଜିନିଷଟି କାହାର? ଏଇଟା କିଏ କ’ଣ ବିକ୍ରି କରି ପାରିବ?” ଅନ୍ୟ ବଣିକମାନେ କହିଲେ ଯେ ତାହା ବେନ୍ ସି ର ।

ଏକଥା ଶୁଣି ସେ ଇରାନୀ ବଣିକ କ୍ରୋଧରେ ଗର୍ଜ୍ଜିଉଠି କହିଲେ, “ଆପଣମାନେ ଏତେଦିନ ହେବ ମୋତେ ଜାଣନ୍ତି । ଅଥଚ ଗତକାଲି ଏହି ଜିନିଷର ମାଲିକଙ୍କୁ ସାଧାରଣ ମସିଣାରେ ବସାଇ ଖାଇବାକୁ ଦିଆଗଲା? କେହି କିଛି ମୋତେ କହିଲେ ନାହିଁ? ତାଙ୍କୁ ଭଲକରି ସତ୍କାର କରି ନପାରି ମୁଁ ଅତ୍ୟନ୍ତ ଦୁଃଖିତ ଓ ଲଜ୍ଜିତ । ତାଙ୍କ ସହିତ ପ୍ରଥମେ କଥାବାର୍ତ୍ତା କରି ମୁଁ ତାଙ୍କୁ ସେଥିପାଇଁ କ୍ଷମା ମାଗିବି ଓ ଏହି କଚ୍ଛପ ଖୋଳ ସମ୍ବନ୍ଧରେ ପଚାରିବି । ତା’ପରେ ଆପଣମାନଙ୍କ ଜିନିଷ କଥା ବୁଝାହେବ ।”

ସେହି ଇରାନୀ ବଣିକର ନାମ ଅବୁ ହୁସେନ୍ ଥିଲା । ସେ ପ୍ରଥମେ ବେନ୍କୁ ତା’ ଦୋକାନ ପାଖକୁ ନେଇଗଲେ ଓ କିଛି ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କଲେ । ତା’ପରେ ଅନ୍ୟ ବଣିକମାନଙ୍କୁ ସେ ଡାକିଲେ । ସେ ବେନ୍କୁ ପଚାରିଲେ, “କ’ଣ, ଆପଣ ଏହି କଚ୍ଛପର ଖୋଳପାଟି ବିକ୍ରି କରିବେ?”

ବେନ୍ ଏତେବି ବୋକା ଲୋକ ନଥିଲା । ସେ ଚତୁରତାର ସହିତ ଉତ୍ତର ଦେଲା, “କାହିଁକି ବିକ୍ରି କରିବି ନାହିଁ? କିନ୍ତୁ ଭଲ ଦରଦାମ ହେଲେ ବିକିବି ।” ତା’ପରେ ବେନ୍ ଓ ଚାଙ୍ଗ ମିଶି ଅବୁ ହୁସେନ ସହିତ କଥାବାର୍ତ୍ତା କଲେ । ଶେଷରେ ଚାଙ୍ଗ ମଜା କରି ଅବୁ ହୁସେନ୍କୁ କହିଲା, “ବେନ୍ର ଉଦ୍ଧେଶ୍ୟ ଦଶହଜାର ଟଙ୍କା ହେଲେ ସେ ଦେଇଦେବ ।”

ଅବୁ ହୁସେନ୍ କହିଲା “ତା’ର ଅର୍ଥ ସେ ବୋଧହୁଏ ଏଇଟା ବିକ୍ରି କରିବାକୁ ଚାହୁଁ ନାହାଁନ୍ତି । ଥଟ୍ଟା କରୁଛନ୍ତି ।”

ଏବେ ବଣିକମାନେ ବୁଝିଲେ ଯେ ପ୍ରକୃତରେ ସେହି କଚ୍ଛପ ଖୋଳ ଏକ ଅମୂଲ୍ୟ ବସ୍ତୁ । ସବୁ ଘଟଣା ଚାଙ୍ଗ ହୁସେନକୁ କହିଲା, ସେ କହିଲା “ଆପଣ ଯାହା ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ ।” ହୁସେନ୍ ପଚାଶ ହଜାର ଟଙ୍କା ଦେଇ ସେ କଚ୍ଛପର ଖୋଳଟିକୁ କିଣି ନେଲା । ତାହା ମଧ୍ୟ ବହୁତ କମ୍ ଦାମ୍ ଥିଲା । କୁହାଯାଏ ଯେ ଏପରି କଚ୍ଛପର ଖୋଳରେ ପ୍ରତ୍ୟେକ ଇଂଚ ଭିତରେ ଅନେକ ମୋତି ସବୁ ଭରି ହୋଇ ରହିଥାଏ । ଯାହାହେଉ ବେନ୍ର ଦାରିଦ୍ର୍ୟ ଏଥର ଦୂର ହୋଇଗଲା । ଏବେ ସେ ଏକ ଧନୀ ବ୍ୟକ୍ତି ଭାବରେ ପରିଗଣିତ ହେଲା । ସହରରେ ତା’ର ସମ୍ମାନ ବଢିଗଲା । ପରେ ସେ ଏକ ସୁନ୍ଦରୀ ବାଳିକାକୁ ବିବାହ କରି ଅତ୍ୟନ୍ତ ସୁଖରେ କାଳାତିପାତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ