ବୀରପୁର ଗୋଟାଏ ସମୃଦ୍ଧ ଗାଁ । ଆଉ ସେହି ଗାଁରେ ବିକ୍ରମ ମହାପାତ୍ର ସବୁଠାରୁ ଧନୀକ ଶ୍ରେଣୀର ବ୍ୟକ୍ତି ଥିଲେ ।
ସେ ଧନୀ ସିନା, କିନ୍ତୁ ଭୀଷଣ କୃପଣ । ଲୁହା ଚିପୁଡି ତହିଁରୁ ପାଣି ବାହାର କରିବା ଯେପରି ଅସମ୍ଭବ, ତାଙ୍କ ପକେଟରୁ ପଇସାଟିଏ ବାହାର କରିବା ବି ଠିକ୍ ସେହିପରି ଅସମ୍ଭବ ।
ଥରେ ଗାଁ ଲୋକେ ଗୋଟାଏ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମସ୍ତଙ୍କଠୁଁ ଚାନ୍ଦା ଆଦୟ କଲେ । କିନ୍ତୁ ବିକ୍ରମବାବୁ ପାଖକୁ ଆଦୌ କେହି ବି ଯାଉ ନଥାନ୍ତି । ଶେଷକୁ ନିଜ ଜୀବନର ପ୍ରାୟ ଅଧିକାଂଶ ସମୟ ସହରରେ ବିତାଇଥିବା ଯୁବକ ସୁଦର୍ଶନ ଯାଇ ତାଙ୍କଠି ପହଁଚିଲା ଓ ଚାନ୍ଦା ମାଗିଲା ।
ସୁଦର୍ଶନର କଥା ଶୁଣି ବିକ୍ରମବାବୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ଚାନ୍ଦା, ପୁଣି ମୁଁ ଦେବି? ମୋତେ କେତେ ଲୋକ କେତେ ଖୋସାମଦି କରି ମଧ୍ୟ ମୋଠାରୁ ପଇସାଟିଏ ବି ଝଡାଇ ପାରି ନାହାଁନ୍ତି । ତମେ ତ ବାହାରେ ଥାଅ, ଏସବୁ ଜାଣିବ ବା କେମିତି?”
ତା’ପରେ ସୁଦର୍ଶନ ଉତ୍ଫୁଲ୍ଲ ହୋଇ କହିଲା “ମୁଁ ତ ସେଇକଥା ସମସ୍ତଙ୍କୁ କହୁଥିଲି । କହୁଥିଲି କି ଦୁନିଆରେ କେବଳ ଜଣେ ଲୋକ ଅଛନ୍ତି ଯାହାଙ୍କ ପାଖରେ ଖୋସାମଦି ମୋଟେ କାମ କରେ ନାହିଁ । କେବଳ ଜଣେ ଲୋକ – ସିଏ ହେଲେ ବାବୁ ବିକ୍ରମ!”
ବିକ୍ରମବାବୁ ଟଙ୍କା ସିନ୍ଦୁକ ଆଡେ ଅଗ୍ରସର ହୋଇ ପଚାରିଲେ “ହୁଁ । ଠିକ୍ କହିଛ । ତମର କେତେ ଚାନ୍ଦା ଦରକାର? ମାନେ କେତେ ଦେଲେ ମନ୍ଦିର କାମ ପୁରା ହୋଇଯିବ?”