ବୁଢୀଟି କହିଲା ‘ତୁମେ ଏମିତି ଖୋଜିଲେ ତାକୁ କଦାପି ପାଇବ ନାହିଁ, ତୁମେ ତାଙ୍କୁ ଖୋଜିବାକୁ ଗଲେ ସାଙ୍ଗରେ ତିନୋଟି ଜିନିଷ ନେବାକୁ ହେବ । ପ୍ରଥମରେ ତିନିହଳ ଲୁହାଯୋତା, ତିନୋଟି ଲୁହାଟୋପି ଓ ତିନୋଟି ଲୁହାର ପିଠା ସାଙ୍ଗରେ ନେବାକୁ ପଡିବ । ତୁମେ ଏ ତିନୋଟି ଜିନିଷ ସଂଗ୍ରହକରି ତୁମ ସ୍ୱାମୀଙ୍କୁ ଖୋଜିବାକୁ ଯାଅ ।’
ରାଜକୁମାରୀ ଉଆସକୁ ଫେରିଯାଇ ତିନିହଳ ଲୁହାଯୋତା, ତିନୋଟି ଲୁହାଟୋପି ଓ ତିନୋଟି ଲୁହାର ପିଠା ସଂଗ୍ରହ କରି ପୁଣି ସେଇ ବୁଢୀ ପାଖରେ ଆସି ପହଁଚିଲା । ବୁଢୀଟି ରାଜକୁମାରୀକୁ ଖାଇବାକୁ ପିଇବାକୁ ଦେଇ ରାତିରେ ରଖାଇଲା ଓ ସକାଳୁ ବୁଢୀଟି ରାଜକୁମାରୀକୁ କହିଲା ‘ଏଇ ବାଟେ ବାଟେ ଗଲେ ଆଗରେ ଗୋଟିଏ ସୁଡଙ୍ଗ ବାଟ ପଡିବ । ସେ ସୁଡଙ୍ଗ ବାଟ ଭିତରେ ଯିବା ପୂର୍ବରୁ ଏ ଲୁହାଯୋତାରୁ ହଳେ ପିନ୍ଧିବ ଓ ଗୋଟିଏ ଲୁହା ଟୋପି ମଡେଇବ । ସେ ସୁଡଙ୍ଗ ଭିତରେ ଗଲାବେଳେ ଜାଗାଏ ଜାଗାଏ ଅନେକ ଲୋକ କାନ୍ଦୁଥିବାର, ହସୁଥିବାର ଓ ଗୀତ ଗାଉଥିବାର ଶୁଣିବ । ସେମାନଙ୍କ ମଧ୍ୟରୁ କେତେଜଣ ଆସି ତୁମଠାରୁ ଯୋତା, ଟୋପି ଓ ପିଠା ପ୍ରଭୃତି ମାଗିବେ ମାତ୍ର ତୁମେ ସେମାନଙ୍କ କଥା ଆଦୌ ଶୁଣିବ ନାହିଁ । ସେମାନେ ଯେତେ ଡାକିଲେ ମଧ୍ୟ ତୁମେ ସେଠାରେ ନଅଟକି ଚାଲିଯିବ । ସୁଡଙ୍ଗ ବାଟର ଶେଷ ମୁଣ୍ଡରେ ପହଁଚିଲା ବେଳକୁ ତୁମର ତିନିହଳ ଯାକ ଯୋତା ଛିଣ୍ଡି ଯାଇଥିବ ଓ ତିନୋଟି ଯାକ ଟୋପି ଚିରି ଯାଇଥିବ ଏବଂ ତିନୋଟି ଯାକ ପିଠା ମଧ୍ୟ ସରି ଯାଇଥିବ । ସୁଡଙ୍ଗର ଶେଷ ମୁଣ୍ଡରେ ଜଣେ ସ୍ତ୍ରୀଲୋକକୁ ଭେଟିବ । ସେ ହେଉଛି ମୋର ଭଉଣୀ ଓ ତେଣିକି ସେ ତୁମକୁ ବାଟ ଦେଖାଇ ଦେବ ।
ବୁଢୀଠାରୁ ସବୁ ଶୁଣିସାରି ରାଜକୁମାରୀ ସହରର ଶେଷ ମୁଣ୍ଡରେ ଥିବା ସୁଡଙ୍ଗ ବାଟରେ ଯିବାକୁ ଲାଗିଲା । ବୁଢୀ ଯାହା କହିଥିଲା ରାଜକୁମାରୀ ସେ ସୁଡଙ୍ଗ ବାଟରେ ସେଇଆ ଦେଖି ରାଜକୁମାରୀ ସେ ଲୁହା ଯୋତାରୁ ହଳେ ପିନ୍ଧି ଓ ଗୋଟିଏ ଲୁହା ଟୋପି ମଡାଇ ସୁଡଙ୍ଗ ବାଟରେ ଚାଲିବାକୁ ଲାଗିଲା ।
ରାଜକୁମାରୀ କିଛି ବାଟ ଗଲାପରେ ସେ ଶୁଣିବାକୁ ପାଇଲା ଯେ ଅନେକ ଲୋକ ଖୁବ୍ ଜୋର୍ରେ ହସୁଛନ୍ତି ଓ କାନ୍ଦୁଛନ୍ତି ଓ ଅନେକ ଲୋକ ଗୀତ ବି ଗାଉଛନ୍ତି । ବେଳେବେଳେ ସେ ଲୋକମାନେ ରାଜକୁମାରୀ ବାଟରେ ତାକୁ ଅଟକିବାକୁ ଅନୁରୋଧ କରୁଥାନ୍ତି ମାତ୍ର ବୁଢୀ କଥା ଅନୁସାରେ ରାଜକୁମାରୀ ସେଠାରେ ଜମାରୁ ଅଟକିଲା ନାହିଁ । ସେ ସୁଡଙ୍ଗ ବାଟରେ ବଡବଡ ଲୁହାକଂଟା ଓ ସୁଡଙ୍ଗ ଉପରୁ ସବୁ ଲୁହା କଂଟା ଥିବାରୁ ରାଜକୁମାରୀ ଯୋତା ଓ ଟୋପି ଲୁହା କଂଟାରେ ନଷ୍ଟ ହୋଇଗଲା । ସୁଡଙ୍ଗବାଟରେ ଯାଉଯାଉ ତାର ତିନିହଳଯାକ ଯୋତା ଓ ତିନୋଟି ଯାକ ଟୋପି ନଷ୍ଟ ହୋଇଗଲା ଓ ବହୁତ ବାଟ ଯିବାପରେ ରାଜକୁମାରୀକୁ ଖୁବ୍ କଷ୍ଟ ଲାଗିଲା । ସେ ଖୁବ୍ କଷ୍ଟରେ ଆଗକୁ ଆଗକୁ ଯାଉ ଯାଉ ଆଗରେ ଗୋଟିଏ ଆଲୁଅ ଦେଖିଲା । ଏଣେ ସେ ରାଜକୁମାରୀ ଚାଲିଚାଲି ତାର ଗୋଡରେ କଂଟା ଫୁଟି ସେ ଲହୁ ଲୁହାଣ ହୋଇଗଲାଣି । ତେଣୁ ରାଜକୁମାରୀ କିଛି ସମୟ ବିଶ୍ରାମ ନେଇ ପୁଣି ଚାଲିବାକୁ ଲାଗିଲା । କିଛି ବାଟ ଗଲାପରେ ଗୋଟିଏ ଘର ପାଖରେ ପହଁଚି ସେ ବୁଢୀର ଭଉଣୀକୁ ଭେଟିଲା ।
ରାଜକୁମାରୀକୁ ଦେଖି ବୁଢୀର ଭଉଣୀ ପଚାରିଲା ‘ତୁ କୁଆଡେ ଯାଉଛୁ?’ ରାଜକୁମାରୀ ଉତ୍ତର ଦେଲା ମୁଁ ମୋ ସ୍ୱାମୀକୁ ଖୋଜିବାକୁ ଯାଉଛି । ବୁଢୀ ପଚାରିଲା ତୋ ସ୍ୱାମୀ କିଏ?’ ରାଜକୁମାରୀ କହିଲା ‘ମୁଁ ମୋର କଡମାଛର ସ୍ୱାମୀକୁ ଖୋଜିବାକୁ ଆସିଛି ।’ ବୁଢୀର ଭଉଣୀ କହିଲା ‘ତୋ କଡମାଛର ସ୍ୱାମୀ ଏଠାକୁ ଆସିବା ଦଶବର୍ଷ ହୋଇ ଗଲାଣି । ଏଠାରେ ସେ ଆମ ରାଜଝିଅକୁ ବିଭାହୋଇ ଖୁବ୍ ଆନନ୍ଦରେ ଅଛି । ତୁ ଏଠାରେ ମୋ ପାଖରେ ରହିଲେ ମୁଁ ତୋତେ ତା ସହିତ ଭେଟାଇ ଦେବି ।’
ରାଜକୁମାରୀ କିଛି ଦିନ ରହିବା ପରେ ସେ ବୁଢୀର ଭଉଣୀ ରାଜକୁମାରୀକୁ ଡାକି କହିଲା ‘ବର୍ତ୍ତମାନ ତୋ ସ୍ୱାମୀ ସହିତ ଦେଖା ହେବାର ଠିକ୍ ସମୟ ଆସିଲା । ଏଇ ଆଗରେ ତୁ ଯେଉଁ ସୁନ୍ଦର ବଗିଚାଟି ଦେଖୁଛୁ ସେଇ ବଗିଚାରେ ଥିବା ଗୋଟିଏ ଘରେ ତୋର ସ୍ୱାମୀ ରହେ । ବୁଢୀର ଭଉଣୀ ଏହା କହି ତାକୁ ଗୋଟିଏ ସୁନ୍ଦର ପାନିଆ ଦେଲା ଓ ପୁଣି କହିଲା ଏଇ ପାନିଆଟିକୁ ନେଇ ସେ ବଗିଚାର ଶେଷ ମୁଣ୍ଡରେ ଥିବା ଗୋଟିଏ ଶଙ୍ଖମଲମଲ ପଥରର ଚଉତରା ଉପରେ ବସି ତୋର ମୁଣ୍ଡ କୁଣ୍ଡେଇବୁ । କିଛି ସମୟ ପରେ ସେଠାକୁ ଏକାଭଳିଆ ଦେଖିବାକୁ ଓ ଏକା ପ୍ରକାର ପୋଷାକ ପିନ୍ଧିଥିବା ତିନିଜଣ ସ୍ତ୍ରୀଲୋକ ସେଇ ବାଟେ ଆସିବେ । ସେ ତିନିଜଣଙ୍କ ମଧ୍ୟରୁ ମଝିରେ ଆସୁଥିବା ସ୍ତ୍ରୀଲୋକଟି ହିଁ ତୋ ସ୍ୱାମୀର ନୂଆ ବିଭାହୋଇଥିବା ସ୍ତ୍ରୀ । ସେ ତୋର ଏଇ ସୁନ୍ଦର ପାନିଆକୁ ଦେଖି ତୋତେ ସେଇଟିକୁ ମାଗିବ । ତୁ ତାକୁ ପାନିଆଟି ଦେବାପୂର୍ବରୁ ତା ପାଖରେ ଗୋଟିଏ ସର୍ତ୍ତ ରଖିବୁ । ତୁ ତାକୁ କହିବୁ ତୁମେ ଯଦି ତୁମ ସ୍ୱାମୀଙ୍କ ସହିତ ମୋତେ ଗୋଟିଏ ରାତି ରହିବାକୁ ସୁଯୋଗ ଦେବ ତେବେ ମୁଁ ତୁମକୁ ଦେବି । ହେଲେ ତୁ ମନେରଖ, ତା ସ୍ୱାମୀ ପାଖରେ ନପହଁଚିବା ପୂର୍ବରୁ ତୁ ତୋ ପାନିଆଟି ତାକୁ କେବେବି ଦେବୁନାହିଁ ।