ଅରଣ୍ୟ ମଧ୍ୟରେ ସିଂହଟିଏ ବାସ କରୁଥାଏ । ସେ ପୁଣି ସେହି ଅରଣ୍ୟର ରାଜା । ସେଦିନ ସେ କି ଯୋଗରେ ସକାଳ ଠାରୁ ବାହାରିଥିଲା ଯେ ସନ୍ଧ୍ୟା ହେଲା ପଛେ ସେ ତାର ଶିକାର ଗୋଟିଏ ସଂଗ୍ରହ ନକରି ଦିନଟା ସାରା ଉପାସରେ ବିତାଇ ସାରି ପୁଣି କିଛି ଆଗକୁ ଯାଆନ୍ତେ, ତା’ର ଦୃଷ୍ଟିକୁ ଗୋଟିଏ ଗୁମ୍ଫା ଦେଖାଗଲା । ସେଠାରେ ସେହି ଗୁମ୍ଫାକୁ ଦେଖି ସେ ବିଚାର କଲା ଯେ ଏତେ ବଡ଼ ଗୁମ୍ଫାଟିଏ ଯେତେବେଳେ, ସେହି ଗୁମ୍ଫା ମଧ୍ୟରେ କେହିନା କେହି ଜୀବ ବାସ କରୁଥିବେ । ଯଦି ସେପରି ହୋଇଥାଏ ତାହାହେଲେ ତାର ଆହାର ମିଳିଯିବ।
ଏପରି ଅନେକ କଥା ମନ ମଧ୍ୟରେ ଚିନ୍ତା କରି ସିଂହ ଯେତେବେଳେ ଗୁମ୍ଫା ମଧ୍ୟକୁ ପ୍ରବେଶ କରେ ସେତେବେଳେ ସେହି ଗୁମ୍ଫା ନିକଟରେ ଥିବା ଛୋଟ ଛୋଟ କଣ୍ଟା ବୁଦା ମଧ୍ୟରେ ଥିବା ଅନେକ ଗୁଡ଼ିଏ ମୂଷା ସିଂହକୁ ଦେଖିବା ମାତ୍ରେ ଫାଙ୍କ ଫାଙ୍କ ହୋଇ ସେଠାରୁ କୁଦାମାରି ଚାଲିଗଲେ ।
ମୂଷାଗୁଡ଼କୁ ଦେଖିବାମାତ୍ରେ ସିଂହର ପାଟିରୁ ବୋହି ଆସୁଥିବା ଲାଳ ବି ବନ୍ଦ ହୋଇଗଲା । ସେଠାରୁ ସେ ନିଶ୍ଚିତ ହେଲା ଯେ ଏହି ଗୁମ୍ଫା ମଧ୍ୟରେ ନିଶ୍ଚୟ କୌଣସି ଜୀବ ବାସ କରୁଅଛି । ବୋଧହୁଏ ସେହି ଜୀବକୁ ଦେଖିବା ମାତ୍ରେ ମୂଷା ଗୁଡାକ ଜୀବନ ବିକଳେ ପଳାଇଗଲେ ।
ସିଂହ ଏ ପ୍ରକାରର ଭାବନା ମନ ମଧ୍ୟରେ ପୋଷଣ କରି ଧିରେ ଧିରେ ପାଦକୁ ଚାପି ଚାପି ଯାଇ ଗୁମ୍ଫା ମଧ୍ୟରେ ପ୍ରବେଶ କରି ସବୁ ସ୍ଥାନକୁ ତନ୍ନ ତନ୍ନ କରି ଖୋଜି କୌଣସି ଜୀବର ସନ୍ଧାନ ପାଇଲା ନାହିଁ । ଏହାପରେ ତାର ଧାରଣା ହେଲା ଯେ ଯେଉଁ ଜୀବ ଏହି ଗୁମ୍ଫାରେ ବାସ କରୁଥିବ ସନ୍ଧ୍ୟା ହେଲାଣି ତ ଏବେ ବିଶ୍ରାମ କରିବା ନିମନ୍ତେ ଏଠାକୁ ଫେରିବ । ଏହା ଭାବି ସିଂହ ସେହି ଗୁମ୍ଫା ମଧ୍ୟରେ ହିଁ ବିଶ୍ରାମ କଲା ।
ସିଂହର ବିଶ୍ରାମ କରିବା ଅଳ୍ପ ସମୟ ମଧ୍ୟରେ ଗୁମ୍ଫାର ମାଲିକ ବିଲୁଆ ଆସି ସେଠାରେ ପହଞ୍ଚିଲା । ସେତେବେଳେକୁ ସୂର୍ଯ୍ୟ ଅସ୍ତ ହୋଇଯାଉଥିବାର ସମୟ । ସେ ତାର ଗୁମ୍ଫାରେ ପ୍ରବେଶ କରିବା ସମୟରେ ଦେଖିଲା ଯେ ଗୁମ୍ଫାର ଦ୍ୱାରଦେଶରେ ଗୁମ୍ଫା ମଧ୍ୟକୁ ଯାଇଥିବା କୌଣସି ଏକ ବୃହତ୍ ଜୀବର ପାଦ ଚିହ୍ନ ରହିଛି କିନ୍ତୁ ତା’ର ଫେରିବାର ପାଦ ଚିହ୍ନର ଦୃଶ୍ୟ ନାହିଁ ।