ଏହା ପରେ ପୁଣି ଚାରିପାଞ୍ଚଦିନ ଧରି ନାରାୟଣ ଭଟ୍ଟଙ୍କୁ କୁକୁରର ଚିତ୍କାର ସହିବାକୁ ପଡିଲା । ଆଉ ବରଦାସ୍ତ କରି ନ ପାରିବାରୁ ଶେଷରେ ଦିନେ ରାତିରେ ଯେମିତି କୁକୁର ଭୁକିବାକୁ ଆରମ୍ଭ କରିଛି, ଗୋଟିଏ ବଡ ଲାଠି ନେଇ ସେ ତା ଅଂଟାରେ ଏକ ଶକ୍ତ ପ୍ରହାର ପକେଇଲେ ।
ଦେହରେ ଆଘାତ ବାଜିବାରୁ ସେ କୁକୁରଟି ଆହୁରି ଜୋର୍ରେ ଭୁକିବାକୁ ଲାଗିଲା । କୁକୁରର ଏପରି ଚିତ୍କାର ଶୁଣି ବହୁମଲ୍ଲ ଘର ଭିତରୁ ବାହାରି ଆସି କହିଲା, “ବାଃ ବାଃ, ଆଜି ଏତେ ଦିନରେ ମୋ କୁକୁର ଚୋର ଧରିବାରେ ସକ୍ଷମ ହୋଇଛି ।” ଏପରି କହି ନାରାୟଣ ଭଟ୍ଟଙ୍କ ଉପରକୁ ସେ କୁଦିପଡିଲା ।
ଭଟ୍ଟ ମହାଶୟ କହିଲେ “ଆରେ ରୁହ, ମୁଁ ଚୋର ନୁହେଁ । ମୁଁ ନାରାୟଣ ଭଟ୍ଟ । କାହାକୁ ଦେଖି ଭୁକିବା ଦରକାର, କାହାକୁ ଦେଖି ଚୁପ୍ ରହିବା ଦରକାର, ଏସବୁ ତାକୁ ଶିଖାଇବା ପାଇଁ ମୁଁ ଏବେ ଏବେ ତା ଅଂଟାରେ ଶକ୍ତ ପ୍ରହାର ପକେଇଛି ।”
ଏପରି କଥା ଶୁଣି ବହୁମଲ୍ଲ ଦାନ୍ତ କାମୁଡି କରି ତଥା ରାଗରେ ଅଗ୍ନିଶର୍ମା ହୋଇ କହିଲା, “ମୋ ପୋଷାକୁକୁରକୁ ବାଡେଇବା ପାଇଁ ତୁମେ ସାହସ କଲ କିମିତି? ମୁଁ ତୁମର ଅଂଟା ଭାଙ୍ଗିଦେବି ।”
ନାରାୟଣ ଭଟ୍ଟ କହିଲେ, “ଆଚ୍ଛା ଯଦି ଏପରି କଥା, ତେବେ ମୁଁ ଏଥର ତା ମୁଣ୍ଡକୁ ପାହାରେ ପକେଇବି । ବାସ୍, ଦେଖିବା ତୁମେ କଣ କରୁଛ?”
ଏହା ଶୁଣି ବହୁମଲ୍ଲ ଆହୁରି ରାଗିଯାଇ ଭୂମିରେ ପାଦ କଚାଡି କଚାଡି କହିଲା, “ତୁମେ ଯଦି ତାର ମୁଣ୍ଡକୁ ଆଘାତ କରିବ, ତେବେ ମୁଁ ତୁମ ମୁଣ୍ଡ ଫଟେଇ ଦେବି । ପାଦକୁ ବାଡେଇଲେ ତୁମର ପାଦ ହାଣିଦେବି । କଣ ବୁଝି ପାରୁଛ ତ?”
“ହଁ, ଏବେ ଖୁବ୍ ଭଲରେ ସବୁ ବୁଝିପାରିଲି । ଏବେ ଯଦି ଆଉ କେଉଁ ରାତିରେ ତୁମ କୁକୁର ମୋ ନିଦ ଭାଙ୍ଗିଥିବ, ତେବେ ସଂଗେ ସଂଗେ ମୁଁ ଏଠାକୁ ଆସିବି । ତାର ଲାଞ୍ଜ କାଟିଦେବି ।” ରହସ୍ୟରେ ମଜେଇ ମଜେଇ ଏତକ କହି ନାରାୟଣ ଭଟ୍ଟ ସେଠାରୁ ଚାଲି ଆସିଲେ ।
ନାରାୟଣ ଭଟ୍ଟଙ୍କ ଏପରି ବାକ୍ଚାତୁରୀ ବହୁମଲ୍ଲଙ୍କ ରାଗ ଶାନ୍ତ କଲା । ସେ ସ୍ଥିର କଲେ ନା ପଡୋଶୀ ନାରାୟଣ ଭଟ୍ଟଙ୍କ ସହିତ କଳହ ନ କରି, ଆଜିଠାରୁ ରାତିରେ ଯେମିତି କୁକୁର ସର୍ବଦା ଭୁକିବ ନାହିଁ ସେପରି ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କଲେ ।