କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ । ତାଙ୍କ ଆଶୀର୍ବାଦରେ ସେ ମୂର୍ତ୍ତିରେ ଜୀବନ୍ୟାସ ହୋଇ ପାରିବ । ତେବେ ଯିବା ପୂର୍ବରୁ ମୂର୍ତ୍ତିର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ । ତା’ପରେ…
ରାଜୁ ଆଚମ୍ବିତ ଓ ଆମୋଦିତ ଅବସ୍ଥାରେ କିଛି ସମୟ ବିତାଇ ତା’ପରେ ଅଦୂରର ଜଳପ୍ରପାତ ଆଡେ ଦୃଷ୍ଟି ଦେଲା । ଜନଶୃତି କହେ, ଥରେ ଯିଏ ସେ ପ୍ରପାତ ଅତିକ୍ରମ କରି ସେପାରିକୁ ଯାଏ, ସିଏ ଆଉ କଦାପି ମଧ୍ୟ ସେଠାରୁ ଲେଉଟି ଆସି ପାରେନାହିଁ । ତା’ର କିନ୍ତୁ ସେପାରିକୁ ଯିବା ଦିଗରେ ତିଳେ ବି ଦ୍ୱିଧା ନଥିଲା । ତାକୁ ସେ ଦିଗରେ ନିର୍ଦ୍ଧେଶ ଦେଇଥିବା ରହସ୍ୟମୟ କଣ୍ଠସ୍ୱର ଉପରେ ତା’ ମନରେ ଗଭୀର ପ୍ରତ୍ୟୟ ସଂଚାରିତ ହୋଇଥିଲା ।
କିନ୍ତୁ ପ୍ରତିମା ଯେପରି ସୁରକ୍ଷିତ ରହିବ, ପ୍ରଥମେ ତାକୁ ସେହି ଦିଗରେ ଯଥାର୍ଥ ବ୍ୟବସ୍ଥା କରିବାକୁ ହେବ । ସେ ଦିଗରେ ରାଜାଙ୍କ ସହାୟତା ବିନା କ’ଣ ବା କରାଯାଇ ପାରେ? ରାଜାଙ୍କୁ ସେ ନ ଜଣାଇଲେ ଆଉ କେହି ନିଶ୍ଚୟ ଜଣାଇବ ଏବଂ ରାଜା କ’ଣ କରିବେ ତାହା କହିବା ମୋଟେ ସମ୍ଭବ ନୁହେଁ ।
ରାଜୁ ସେ ପ୍ରଭାତରେ ପର୍ବତରୁ ଅବତରଣ କଲାବେଳେ ନିଜକୁ ଖୁବ୍ ଫୁଲଭଳି ଉଶ୍ୱାସ ଅନୁଭବ କରିଥିଲା । ନମ୍ର ସୂର୍ଯ୍ୟରଶ୍ମିରେ ପ୍ରାସାଦର ତୋରଣଦେଶ ଝଟକିବାକୁ ଆରମ୍ଭ କରିଥିଲା । ସେଠାରେ ଥିବା ଦ୍ୱାରରକ୍ଷୀମାନେ ତୁରୀ ବଜାଇ ସାରିବା ବେଳକୁ ରାଜୁ ତାଙ୍କ ପାଖକୁ ଯାଇ ସେମାନଙ୍କୁ କହିଲା, “ମୁଁ ରାଜାଙ୍କୁ ଭେଟିବାକୁ ଚାହେଁ ।”
ମୁଖ୍ୟ ଦ୍ୱାରରକ୍ଷୀ କହିଲା “ସତେ? ତମେ ବାବୁ କେଉଁ ସମ୍ରାଟ ଯେ ରାଜା ଏଇନେ ତମକୁ ସଙ୍ଖୋଳିବେ? ଆମେ ତୁରୀ ବଜାଇ ଆମ କର୍ତ୍ତବ୍ୟ ସମାପନ କରିଛୁ । ବର୍ତ୍ତମାନ ମଣିମାଙ୍କ ପହଡ ଭଙ୍ଗାଇବା ଦିଗରେ ସୂର୍ଯ୍ୟ ତା’ କର୍ତ୍ତବ୍ୟ କରିବ । ଅର୍ଥାତ୍ ରାଜାଙ୍କ ବାତାୟନ ଯାଏଁ ଉଠି ତାଙ୍କୁ ଜଗାଇବ ।”
ରାଜୁ କହିଲା “କିନ୍ତୁ ସୂର୍ଯ୍ୟ ରାଜାଙ୍କ ଦ୍ୱିତଳ ବାତାୟନ ପର୍ଯ୍ୟନ୍ତ ଉଠିବା ବେଳକୁ ତ ବେଳ ପହରେ ହୋଇଯାଇଥିବ!”
ମୁଖ୍ୟ ଦ୍ୱାରରକ୍ଷୀ ପାଣ୍ଡିତ୍ୟପୂର୍ଣ୍ଣ ଭଙ୍ଗୀରେ ବୁଝାଇ ଦେଲେ “ମୂର୍ଖ ଯୁବକ! ବେଳ ପହରେ ତମ ପାଇଁ, ଆମ ପାଇଁ । ହେଲେ ରାଜାଙ୍କ ପାଇଁ ତାହା ପ୍ରଭାତ ।”
ରାଜୁ ହଠାତ୍ ଭିତରକୁ ପଶିଗଲା । କେଜାଣି କାହିଁକି ଦ୍ୱାରରକ୍ଷୀମାନେ ତା’ ମୁହଁକୁ ଚାହିଁ ହତବମ୍ୱ ହୋଇ ରହିଗଲେ । ଅନ୍ୟ କେହି ବି ତାକୁ ଅଟକାଇବାକୁ ସାହସ କଲେ ନାହିଁ । କାରଣ ସେତିକିବେଳେ ଉଦୟ ସୂର୍ଯ୍ୟର ପ୍ରଥମ ରଶ୍ମି ତା’ ମୁହଁରେ ଆସି ପଡିଥିଲା ଓ ସେ ଅପୂର୍ବ ଦିଶୁଥିଲା । ଯେଉଁ ବାତାୟନ ପାଖରେ ସୂର୍ଯ୍ୟ ତାଙ୍କ କର୍ତ୍ତବ୍ୟ କରିବା କଥା, ସେ ଯାଇ ସେଠି ପହଁଚିଗଲା ।