ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ସେ ନିର୍ଭୟରେ କହିଲା “ରାଜା ମହାଶୟ, ଉଠନ୍ତୁ । ଆପଣଙ୍କୁ ମୁଁ ଏକ ବିସ୍ମୟକର ଦୃଶ୍ୟ ଦେଖାଇବି ।”

ଜଣେ ପରିଚାରକ ରାଜୁକୁ ନେହୁରା ହୋଇ କହିଲା “ହେଇଟି, ମଣିମାଙ୍କ ଉପାଧିମାଳାରୁ ଅନ୍ତତଃ ଏକ-ଦଶମାଂଶ କହିଥା! କହ, ହେ ଚଣ୍ଡ ପ୍ରଚଣ୍ଡ ଚିତାବାଘ-ପୁତ୍ର, ବ୍ୟାଘ୍ର-ପୌତ୍ର, ସିଂହ-ପ୍ରପୌତ୍ର ମହାରାଜ…”

ରାଜୁ ପାଟିକଲା “ରାଜା!”

ବାତାୟନ ସେପଟେ ରାଜାଙ୍କ ମୁଖମଣ୍ଡଳ ଉଦିତ ହେଲା । ଆଠ ଦଶଜଣ କର୍ମଚାରୀ ତଳେ ସ୍ତମ୍ଭ ବା କାନ୍ଥ ଆଢୁଆଳରେ ଲୁଚି ସେ ଦୃଶ୍ୟ ଦେଖୁଥିଲେ । ରାଜା ଯେ କ୍ରୋଧରେ ଫାଟିବେ ଏବଂ ରାଜୁ ତା’ ମୁଣ୍ଡ ଗୋଟିକ ହରାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଭିତରୁ କିଏ ଗୋଟାଏ କାନ ତ କିଏ ଗୋଟାଏ ଆଖି ବା କିଏ ତା’ ନାକଟି ହରାଇବ, ଏଥିରେ ସେମାନଙ୍କର କୌଣସି ସନ୍ଦେହ ନଥିଲା ।

“କିଏ ସେହି ନୃଶଂସ ଯିଏ କି ମୋ ନିଦ ଭଙ୍ଗାଇଲା? ଆରେ, ମୁଁ ସ୍ୱପ୍ନ ଦେଖୁଥିଲି! କି ଚମତ୍କାର ସ୍ୱପ୍ନ! ମୁଁ ତହିଁରେ ବରପାତ୍ର ହୋଇଥିଲି! କି ସୁନ୍ଦର ଦିଶିଥିବି! କେହି ଯାହା ଦେଖିପାରିଲେ ନାହିଁ!” ରାଜା ଏହା କହି ବାତାୟନ ଦେଇ ଦୃଷ୍ଟି ନିକ୍ଷେପ କଲେ । ରାଜୁ ବାତାୟନର ନିକଟବର୍ତ୍ତୀ ହେଲା ଓ “ନମସ୍କାର!” ବୋଲି କହି ରାଜାଙ୍କ ଦୃଷ୍ଟି ଆକର୍ଷଣ କଲା ଓ ସଙ୍ଗେ ସଙ୍ଗେ କହିଗଲା, “ରାଜା! ଆପଣଙ୍କ ସ୍ୱପ୍ନ ତୁଟିଗଲା ତ? ସ୍ୱପ୍ନଠୁଁ ବହୁଗୁଣ ବଳି ସୁନ୍ଦର ଅଥଚ ବାସ୍ତବ ଦୃଶ୍ୟ ଆପଣଙ୍କୁ ମୁଁ ଦେଖାଇବି! କହିବି ସେ ଦୃଶ୍ୟ କ’ଣ? ଆପଣଙ୍କ ଶୟନକକ୍ଷକୁ ଯାଇପାରେ?”

ରାଜା ସେମିତି ଅନାଇ ରହିଲେ । ଦୁଇଜଣ କର୍ମଚାରୀ ମୂର୍ଚ୍ଛା ଗଲେ । କିନ୍ତୁ ଆଶ୍ଚର୍ଯ୍ୟ, ରାଜାଙ୍କ ମୁହଁର ରଙ୍ଗ ଏଣ୍ଡୁଅ ରୀତିରେ ବଦଳିଗଲା । ସେ କହିଲେ, “ଟୋକାକୁ ଭିତରକୁ ନେଇଆସ ।”

କେହି ନେଇଯିବା ଦରକାର ନଥିଲା । ରାଜୁ କୁଦିପଡି ଭିତରକୁ ପଶିଗଲା । ରାଜାଙ୍କ ସହ ତା’ର କି କଥା ହେଲା ଜଣାନାହିଁ । କିନ୍ତୁ ଦେଖାଗଲା, ରାଜା ତରବରରେ ତା’ ପଛେ ପଛେ ପାହାଚ ଦେଇ ଅବତରଣ କରୁଛନ୍ତି । ଏଣେ ପରିଚାରକମାନେ ନିର୍ବାକ୍ ରହିଲେ ।

“ଚଣ୍ଡ ପ୍ରଚଣ୍ଡ ମହାରାଜ!….” ମନ୍ତ୍ରୀ ତୁରନ୍ତ ଦୌଡି ଆସି ରାଜାଙ୍କୁ କିଛି କହିବାକୁ ଚେଷ୍ଟା କଲେ ।

                “ସବୁ ବୁଦ୍ଧୁଯାକ ମୋ ପଛେ ପଛେ ଆସ!” ରାଜା କୌଣସି କାରଣରୁ ଉତ୍ତେଜିତ ହେଲେ ଅତିଜ୍ଞାନୀ ମାନଙ୍କୁ ବୁଦ୍ଧୁ ବୋଲି ସମ୍ବୋଧନ କରୁଥିଲେ ।

                ରାଜାଙ୍କ ଅଶ୍ୱର ପହଡ ସେଯାଏଁ ଭାଙ୍ଗି ନଥିଲା । ରାଜା ଆଉ କାହାକୁ ଅପେକ୍ଷା ନକରି ରାଜୁ ପଛେ ପଛେ ଅଣନିଃଶ୍ୱାସୀ ହୋଇ ଚାଲିଲେ ।

                “ମହାରାଜ, ଆପଣ ମଧ୍ୟେ ମଧ୍ୟେ ବନପର୍ବତରେ ନିରୋଳାରେ ଯାଇ ବୁଲନ୍ତେ ନାହିଁ?” କଥାବାର୍ତ୍ତା ହେଲେ ରାଜାଙ୍କ ବାଟଚଲା କ୍ଳେଶ ହ୍ରାସ ହେବ, ଏହି ଆଶାରେ ରାଜୁ ଏ ପ୍ରଶ୍ନ କଲା ।

                “ଆରେ ଟୋକା! ରାଜା ତ ନଅରରେ ସୁଖରେ, ଆନନ୍ଦରେ, ଆରାମରେ ରହିବା କଥା । ତୁ କ’ଣ ଏତକ ବି ଜାଣିନାହୁଁ?”

                “ମହାରାଜ, ମୁକ୍ତ ପବନରେ ବୁଲିଲେ, ସୁକୁମାର ଘାସ ଉପରେ ଗଡିଗଲେ, ଝରଣାରେ ଗାଧୋଇଲେ କେତେ ଭଲ ଲାଗେ! ସ୍ୱାଧୀନତାର ସେ ସ୍ୱାଦ…”

                ରାଜା ଧଇଁସଇଁ ହୋଇ ପ୍ରଶ୍ନ କଲେ “ସ୍ୱାଧୀନତା? ଯେ କୌଣସି ଲୋକର ସ୍ୱାଧୀନତା କାଢିନେବାର ସ୍ୱାଧୀନତା ମୋର ଅଛି! ମୋର ପୁଣି ଅଧିକା ସ୍ୱାଧୀନତା କ’ଣ ପାଇଁ ଲୋଡା? କିନ୍ତୁ କହ, ତୁ କାହିଁକି ପର୍ବତ ଚଢି ବଣ ଭିତରେ ପଶିଥିଲୁ?”

                “ମହାରାଜ, ନ ପଶିଥିଲେ ସୁବର୍ଣ୍ଣ ପ୍ରତିମା କିପରି ଦେଖିଥାନ୍ତି, ଆପଣଙ୍କୁ ବା କିପରି ଦେଖାନ୍ତି? ଏଥର ଦେଖନ୍ତୁ!” ଏତିକି କହି ରାଜୁ ସେ ପ୍ରତିମା ଆଡେ ଅଙ୍ଗୁଳି ନିର୍ଦ୍ଧେଶ କଲା ।

                ରାଜା ଅଂଟାରେ ହାତଦେଇ ରାଜକୀୟ ଭଙ୍ଗୀରେ ଉପରକୁ ଅନାଇଲେ । ବେଶ୍ କିଛି ସମୟ ଧରି ସେ ଭଙ୍ଗୀରେ ସେ ଅଟଳ ରହିଲେ । କ୍ରମେ ତାଙ୍କ ଦୃଷ୍ଟି ତୀବ୍ରତର ଓ ରକ୍ତିମ ହେଲା । ସେ କେତେଥର ଡୋଳା ବୁଲାଇ ରାଜୁ ଉପରେ ଦୃଷ୍ଟି ନିବଦ୍ଧ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ