ରାଜା ମାଡ ଖାଇଥିବା କୁକୁରଟିଏ ଭୁକିବା ଭଙ୍ଗୀରେ ପଚାରିଲେ “ଥଟ୍ଟା କରୁଛୁ?”
ରାଜୁ ବିଚଳିତ ବୋଧ କରି ପଚାରିଲା “ମହାରାଜ, ଆପଣ ଏ କୋମଳ ସୂର୍ଯ୍ୟାଲୋକରେ ପ୍ରଦୀପ୍ତ ସୁନ୍ଦର ପ୍ରତିମା କ’ଣ ସତରେ ଦେଖିପାରୁ ନାହାଁନ୍ତି?”
ରାଜା କହିଲେ “ନା! ନା! ନା!!”
ରାଜୁ ପଚାରିଲା “କେମିତି?”
ରାଜା କହିଲେ “କାରଣ ପ୍ରତିମା ସେଠି ନାହିଁ! ହଇରେ ଦୁଷ୍ଟ ଭୂତ! ମୁଁ ସୁନ୍ଦର ସକାଳୁଆ ନିଦରେ ବର ରୂପେ ବେଶ ହେବାର ସ୍ୱପ୍ନ ଦେଖୁଥିଲି । ତୁ କାହିଁକି ତାକୁ ଭାଙ୍ଗିଲୁ? ତୋତେ ମୁଁ ଆଜି ହତ୍ୟା କରିବି ।”
ତାଙ୍କ କଥା ଶୁଣି ରାଜୁ କହିଲା “ମହାରାଜ, ଆପଣ ତ ବହୁବାର ବର ହୋଇଛନ୍ତି ଓ ବହୁ ଲୋକଙ୍କୁ ହତ୍ୟା କରିବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି…”
ରାଜା କିନ୍ତୁ ତା’ କଥା ମୋଟେ ଶୁଣୁ ନଥିଲେ । ସେ କାନ୍ଦ କାନ୍ଦ ହୋଇ କହିଲେ, “ତରତର ହୋଇ ଦୁଇ ଭିନ୍ନ ଭିନ୍ନ ପାଦୁକା ହଳରୁ ପଟେ ପଟେ ମଡାଇ ଚାଲି ଆସିଲି! ରାଜା ହିସାବରେ ସକାଳେ ମୋର ପ୍ରଥମ କାମ ସୁନା ପାନିଆରେ ନିଶ କୁଣ୍ଡାଇବା! ସେତକ ବି ମୁଁ ଆଜି କରିପାରିଲି ନାହିଁ!”
ରାଜାଙ୍କ ଆର୍ତନାଦ ପ୍ରତି ସମବେଦନା ଜଣାଇ ଦୁଇଟି ବିଲୁଆ ରଡି କଲେ । ଇତିମଧ୍ୟରେ ସେଠାରେ ମନ୍ତ୍ରୀ ତଥା ଅତିଜ୍ଞାନୀ ମଣ୍ଡଳିର ଉତ୍କଣ୍ଠିତ ସଭ୍ୟବୃନ୍ଦ ଆସି ପହଁଚି ଯାଇଥିଲେ ।
ଜଣେ ଦରଦୀ ଅମାତ୍ୟ ତାଙ୍କ ଭଙ୍ଗା କଣ୍ଠରେ ସମ୍ବୋଧନ କଲେ “ମଣିମା!”
ଅନ୍ୟ ଜଣେ କହିଲେ “ଚଣ୍ଡ ପ୍ରଚଣ୍ଡ ମହାରାଜ!”
ସେମାନେ ଆଉ କିଛିବି କହିପାରିଲେ ନାହିଁ । ରାଜା ସକାଳଟାରେ ଗୋଟାଏ ସାମାନ୍ୟ ବାଳକ କଥାରେ ସେ ଭୂତକୋଠି ଭିତରକୁ କାହିଁକି, କେମିତି ମାଡି ଆସିଲେ, ସେଯାଏଁ ସେମାନେ ତାହା ବୁଝିପାରୁ ନଥିଲେ ।
ରଜା ଛିଙ୍କିଲେ । ମନ୍ତ୍ରୀ କହିଲେ, “ହା କପାଳ! ମୁଁ ଚିରଦିନ ଏ ମତ ପୋଷଣ କରିଛି ଯେ – ସକାଳର ବାଆ ଭଳି ଭୟଙ୍କର ବିପଦ ଆଉ କିଛି ନାହିଁ – ବିଶେଷତଃ ଶତକଡା ଶହେଭାଗ ରାଜକୀୟ ରକ୍ତ ପ୍ରବାହିତ କଲେ – ବରଟିମାନ ପାଇଁ ।”
ରାଜା ଅଭିଯୋଗ କଲେ “ଏ ବାଳକ ମୋତେ ଠକି ଦେଲା!”
ରାଜୁ ଦୃଢକଣ୍ଠରେ କହିଲା “ନା, ମହାରାଜ!” ଅମାତ୍ୟମାନଙ୍କୁ ସମ୍ବୋଧନ କରି ସେ କହିଲା, “ଆପଣମାନେ କ’ଣ ଦେଖୁଛନ୍ତି, ସେକଥା ଟିକିଏ ରାଜାଙ୍କୁ କହନ୍ତୁ!”