ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ସେ ଅନ୍ଧକାର ରାତିରେ ନଅର ରକ୍ଷୀମାନେ ପ୍ରାଣପଣେ ଲଢେଇ କଲେ, କିନ୍ତୁ ଠିକ୍ ସେତିକିବେଳେ ଏକ ଅଘଟଣ ଘଟିଲା: ଭୂମିକମ୍ପ ହେଲା । ବିଶାଳ ଶିଳାଖଣ୍ଡମାନ ଛିଟିକି ଆସି ଦୁର୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା । ଫଳରେ ସେ ଦୁଷ୍ଟ ମନ୍ତ୍ରୀ ସମେତ ଆକ୍ରମଣକାରୀମାନେ ମଧ୍ୟ ଜୀବନ୍ତ ସମାଧି ଲଭିଲେ । କିନ୍ତୁ ଶିଳ୍ପୀ-ରାଜା କୁଆଡେ ଯେ ଗଲେ, ସେ ବିଷୟରେ କେହି କିଛି ହେଲେ ବି କହିପାରିଲେ ନାହିଁ । ତାଙ୍କ ନିର୍ମିତ ସୁବର୍ଣ୍ଣ ପ୍ରତିମା ବି କୁଆଡେ ଲୁଚିଗଲା ।

ଏହାର କେତେକ ବର୍ଷ ପରେ କେହି କେହି କେବେ କେବେ ଅରଣ୍ୟ ଭିତରେ ଜଣେ ତପସ୍ୱୀଙ୍କୁ ଦେଖୁଥାନ୍ତି । ତାଙ୍କ ସହ ସେ ଶିଳ୍ପୀ-ରାଜାଙ୍କର କୁଆଡେ ବହୁତ ସାମଞ୍ଜସ୍ୟ ଥିଲା । କିନ୍ତୁ ସେ ଦିଗରେ କେହି ବିଶେଷ ଅନୁସନ୍ଧାନ କରି ନଥିଲେ ।

ଅନେକେ କିନ୍ତୁ ଧରିନେଇଥିଲେ କି ଶିଳ୍ପୀ-ରାଜା ଦୁର୍ଗ ପଶ୍ଚାତରେ ଥିବା ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି କୁଆଡେ ଚାଲି ଯାଇଛନ୍ତି । ସେ ଜଳପ୍ରପାତ ସେପଟେ ଏକ ଅନ୍ଧକାର ଗିରି-ସଙ୍କଟ ଥିଲା । ଥରେ ସେ ପ୍ରପାତ ଅତିକ୍ରମ କଲେ ମଣିଷ ଆଉ ଲେଉଟି ଆସିପାରେ ନାହିଁ, ଏହାହିଁ ଲୋକଙ୍କର ବିଶ୍ୱାସ ଥିଲା ।

ସେ ଯାହାହେଉ, ସେ ଦୁଷ୍ଟ ମନ୍ତ୍ରୀର ସହାୟକ ପଡୋଶୀ ରାଜା କନକ ଉପତ୍ୟକାକୁ କବଳିତ କରିନେଲେ । ସୁନାପାହାଡର ସନ୍ଧାନ ପାଇବା ଲୋଭରେ ତଥା ଉପତ୍ୟକାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ ରାଜା ନିଜ ରାଜ୍ୟର ସିଂହାସନ ଭାଇକୁ ସମର୍ପି ଏଠାକୁ ଚାଲି ଆସିଲେ । ପୂର୍ବ ରାଜବଂଶ ଅମଳରେ ଉଭୟ ରାଜା ଓ ପ୍ରଜା ଶ୍ରଦ୍ଧାର ଡୋରିରେ ବନ୍ଧା ହେଉଥିଲେ । ନୂଆ ରାଜବଂଶ ଅମଳରେ ସେ ଉଭୟଙ୍କ ସମ୍ପର୍କ ଭିନ୍ନ ହେଲା । ରାଜା ହେଲେ ସନ୍ଦେହୀ ଓ ଉଦ୍ଧତ; ଆଉ ପ୍ରଜାଏ ଭୀତ ଓ ସନ୍ତ୍ରସ୍ତ ହେଲେ ।

ପର୍ବତର ପାଦଦେଶରେ ନୂଆ ରାଜବଂଶର ନଅର ଗଢାହେଲା; ପର୍ବତର ମଧ୍ୟଦେଶରେ ବିରାଜିତ ପୂର୍ବ ରାଜବଂଶର ନଅରର ଧ୍ୱଂସାବଶେଷ କ୍ରମେ ଗଛଲତା ଆଢୁଆଳରେ ଉପତ୍ୟକାବାସୀଙ୍କ ଦୃଷ୍ଟିରୁ ଲୁଚିଗଲା ।

ପୁରୁଖା ଲୋକେ କହୁଥାନ୍ତି, ଦିନ ଆସିବ ଯେତେବେଳେକି ସେ ସୂବର୍ଣ୍ଣ-ପ୍ରତିମା ପୁଣି ଦେଖା ଦେବ; ଖାଲି ସେତିକି ନୁହେଁ, ସେଥିରେ ଜୀବନ୍ୟାସ ମଧ୍ୟ ହେବ । ଏହାପରେ ଉପତ୍ୟକାରେ ନୂତନ ଯୁଗର ସୂତ୍ରପାତ ନିଶ୍ଚୟ ହେବ ।

ଲୋକେ ସେ ଧ୍ୱଂସାବଶେଷ ଆଡେ ଯିବାକୁ ଡରୁଥାନ୍ତି । କାହିଁକିନା ସେମାନଙ୍କର ଧାରଣା ହୋଇଥାଏ ଯେ, ତାହା ଏକ ପ୍ରେତପୁରୀରେ ପରିଣତ ହୋଇଛି ବୋଲି । ତା’ଛଡା ସେ ଅରଣ୍ୟମୟ ଅଂଚଳରେ ବାଘ ଭାଲୁ ଓ ବିଷଧର ସର୍ପଙ୍କର ଅଭାବ ନଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ