ସ୍ଥପତି ପ୍ରତି ଦୟାବାନ୍ ଜଣେ ଅମାତ୍ୟ କହିଲେ “ମହାରାଜ, କାହିଁ ପ୍ରାସାଦର ଶିଖର, କାହିଁ ଏ ଟିକି ମୁଣ୍ଡ! ବରଂ ଏହାକୁ ହଜାରେ ବର୍ଷ ପାଇଁ କାରାରୁଦ୍ଧ କରାଯାଉ ।”
ହଜାରେ ବର୍ଷ କଥାଟା ରାଜାଙ୍କର ହୃଦୟଗ୍ରାହୀ ହେଲା । ସ୍ଥପତି କାରାରୁଦ୍ଧ ହେଲେ । ଏଣେ ରାଜୁ କ୍ରୋଧ ଓ ଦୁଃଖରେ ଭାଙ୍ଗି ପଡିଲା । ବନ୍ଧୁମାନେ ତାକୁ ଧୈର୍ଯ୍ୟ ଧରିବାକୁ କହିଲେ । କିନ୍ତୁ କାରାଗାରରେ ମାତ୍ର ଏକମାସ ପରେ ରାଜୁର ବାପା ହଠାତ୍ ମୃତ୍ୟୁ ବରଣ କଲେ ।
“ତା’ହେଲେ ତ ବନ୍ଦୀ ଆମ୍ଭେ ଦେଇଥିବା ନଅଶହ ଅନେଶତ ବର୍ଷ ଏଗାର ମାସ କାଳ ଦଣ୍ଡ ଫାଙ୍କି ଦେଲା!” ଏହିଭଳି ଭାବରେ ରାଜା ଅତିଜ୍ଞାନୀ ମାନଙ୍କ ଆଗରେ ନିଜ ହତାଶା ବ୍ୟକ୍ତ କଲେ ।
ସର୍ବଦା ଦୁଇ ହାତ ଦଳି ହେଉଥିବା ଜଣେ ଅମାତ୍ୟ କହିଲେ “ମହାରାଜ, ଯଦି ପୁଅ ବାପାର ସମ୍ପତ୍ତି ଭୋଗିବାକୁ ହକ୍ଦାର, ତେବେ ସେ ତା’ ବାପାର ଦଣ୍ଡ କିଆଁ ନ ଭୋଗିବ?”
ରାଜା ନିର୍ଦ୍ଧେଶ ଦେଲେ “ବାଃ, ବାଃ । ତମ ବୁଦ୍ଧି ତ ଠିକ୍ ବିଲୁଆ ପରି । ଏଣିକି ତମ ଉପାଧି ହେଲା ବିଲୁଆ । ହଁ, ଯାଅ ସେ ବନ୍ଦୀର ପୁଅକୁ ଧରିଆଣ ଓ ତାକୁ ଯଥାଶୀଘ୍ର କାରାରୁଦ୍ଧ କର ।”
କିନ୍ତୁ ସିପାହୀମାନେ ରାଜୁ ପାଖରେ ପହଁଚିବା ପୂର୍ବରୁ ତା’ପାଖରେ ସେହି ଖବର ବହୁ ଆଗରୁ ପହଁଚି ଯାଇଥିଲା । ତେଣୁ ସେଠୁ ସେ ଖସି ପଳାଇଲା ।
ଜହ୍ନରାତି । ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୁରୁଣା ପ୍ରାସାଦର ଭଗ୍ନାବଶେଷ ଭିତରେ ଯାଇ ପହଁଚିଲା । ସେ ବଣବୁଦା ଓ ଶିଳାଖଣ୍ଡମାନ ତା’ର ଅତି ପରିଚିତ । ସେ ଖଣ୍ଡିଏ ସୁପରିଚିତ ସଫେଦ୍ ପଥର ଉପରେ ବସି ପଡିଲା । ସେଇଠି ବସି ସେ କେତେଥର ଫୁଲମାନଙ୍କୁ ଗୀତ ଶୁଣାଇଛି, ଗୁଣ୍ଡୁଚି, ନେଉଳ ଓ ପ୍ରଜାପତିଙ୍କୁ ଗପ କହିଛି ।
ବାପା କଥା ମନେ ପଡି ତା’ ଆଖିକୁ ଲୁହ ଆସିଲା । ଖାଲି ଝିଙ୍କାରି ଓ ଗୋଟାଏ ପେଚାର ସାମୟିକ ଧ୍ୱନି ଛାଡିଦେଲେ ସେଠାକାର ଚତୁର୍ଦ୍ଦିଗ ନିସ୍ତବ୍ଧ ଥିଲା । ଏହିଭିତରେ ଘଂଟାଏ ବିତିଗଲା ।
ହଠାତ୍ ତା’ର ମନେ ହେଲା, ତା’ ପଛରେ କିଛି ଅବା ଉଜ୍ଜ୍ୱଳ ଦିଶୁଛି । ସେ ବୁଲି ଅନାଇଲା । ଯେଉଁଠି କେବଳ ଅନ୍ଧାର ପାଷାଣ ଛଡା ସେ କେବେ କିଛି ଦେଖି ନଥିଲା, ସେଠି ସେ ଜହ୍ନ ଆଲୁଅରେ ଏକ ଅପୂର୍ବ ନାରୀ ମୂର୍ତ୍ତି ଦେଖିଲା । ବାରମ୍ବାର ଅନାଇବା ପରେ ଯାଇ ସେ ନିଶ୍ଚିତ ହେଲା ଯେ ଏହା ଦୃଷ୍ଟିଭ୍ରମ ନୁହେଁ ।