ତା’ପରେ ସେ ଉଠିପଡି ସେଆଡେ ଅଗ୍ରସର ହେଲା । ପ୍ରତି ପଦପାତ ପରେ ସେ ଅଧିକରୁ ଅଧିକ ବିସ୍ମୟ ଅନୁଭବ କରୁଥାଏ । କି ଦୀପ୍ତିମାନ ସୌନ୍ଦର୍ଯ୍ୟ! ସେ ମୂର୍ତ୍ତି ହାତରେ ପଦ୍ମଫୁଲଟିଏ ଥିଲା । ବେଶି ପାଖକୁ ଗଲେ ମୂର୍ତ୍ତି ଚମକି ପଡିବ ଓ ପଦ୍ମଫୁଲଟି ତଳେ ପଡିଯିବ କି? ରାଜୁ ମନରେ ଏହିଭଳି ଆଶଙ୍କା ସବୁ ଦେଖା ଦେଉଥାଏ । ତା’ର ମନେ ହେଉଥାଏ, ଆଖି ସତେ ଅବା ତା’ର ଉଛୁଳି ଉଠୁଛି! କିଛି ଦେଖିବାରେ ଏଭଳି ଆନନ୍ଦ, ଏଭଳି ଶିହରଣ ଥାଇପାରେ ବୋଲି ସେ କେବେ ବି କଳ୍ପନା ସୁଧା କରି ନଥିଲା ।
ମୂହୂର୍ତକ ପରେ ତା’ର ମନେ ପଡିଗଲା କନକ ଉପତ୍ୟକାର କିମ୍ବଦନ୍ତି – ଅତୀତର ଶିଳ୍ପୀ-ରାଜା ଏକ ସୂବର୍ଣ୍ଣପ୍ରତିମା ଗଢିଥିବା କଥା । ଭୂମିକମ୍ପ ନିଶ୍ଚେ ଲୁକ୍କାୟିତ ପ୍ରତିମାକୁ ଦୃଶ୍ୟମାନ କରିଛି । ତା’ର ଆହୁରି ବି ମନେ ହେଲା ସେ ଯେପରି ସେ ମୂର୍ତ୍ତିକୁ ପୂର୍ବରୁ କୋଉଠି ଦେଖିଛି । ଆଶ୍ଚର୍ଯ୍ୟ! କାରଣ ସେ ମୂର୍ତ୍ତିର କୌଣସି ଛବି ଦେଖିବାର ପ୍ରଶ୍ନ ବି ନଥିଲା । ନୂଆ ରାଜବଂଶ ଅମଳରେ ରାଜ୍ୟରୁ ଶିଳ୍ପ ଅଙ୍କନ ଇତ୍ୟାଦି ବିଦ୍ୟା ଲୁପ୍ତ ହୋଇଥିଲା ।
ସେ ଯାଇ ମୂର୍ତ୍ତିଟି ଛୁଇଁଲା । ତା’ର ହୃଦୟ ଆନନ୍ଦ ଓ କୃତଜ୍ଞତାରେ ଭରିଗଲା । ସେ ବୁଝିପାରିଲା ନାହିଁ କାହା ପାଇଁ ସେ କୃତଜ୍ଞ ଅନୁଭବ କରୁଛି । ହୁଏତ ଯେଉଁ ଶକ୍ତି ତାକୁ ବିପଦ ଭିତରୁ ଏ ସୁନ୍ଦର ପରିବେଶକୁ ନେଇ ଆସିଲା, ତାହାରି ପାଇଁ ।
ରାଜୁ ସେ ପଦ୍ମ ସ୍ପର୍ଶ କଲା ଓ ତା’ପରେ ପଦ୍ମ ଧାରଣ କରିଥିବା ସୁନାର ସୁନ୍ଦର ଅଙ୍ଗୁଳି ଗୁଡିକୁ । ମୂର୍ତ୍ତିର ଏକ ଅଙ୍ଗୁଳିରୁ ମୁଦିଟିଏ ଖସି ଆସି ତା’ ନିଜ ଅଙ୍ଗୁଳିରେ ପିନ୍ଧିହୋଇଗଲା । ତୀବ୍ର ପୁଲକ ଓ ବିସ୍ମୟରେ ସେ ଯେପରି ଅଚେତ ହୋଇଯିବ! ସେ ବସି ପଡିଲା । ତା’ର ମନେ ହେଲା, ସେ ତନ୍ଦ୍ରାଚ୍ଛନ୍ନ ହୋଇଯାଉଛି ।
ସେହି ଅବସ୍ଥାରେ ସେ ଏକ ପ୍ରଶ୍ନ ଶୁଣିଲା “ଏ ମୂର୍ତ୍ତିରେ ଜୀବନ ସଂଚାର ହେବା ଚାହଁ?” । ସେ ଉତ୍ତର ଦେଲା “ହଁ, ଚାହେଁ!” ସେ ଅପୂର୍ବ କଣ୍ଠସ୍ୱର କହିଲା “ତେବେ ମୂର୍ତ୍ତି ଯେପରି ସୁରକ୍ଷିତ ରହିବ ସେତକ ବ୍ୟବସ୍ଥା କରି ତମେ ଏ ଝରଣା ଟପି ଚାଲିଯାଅ । ତା’ପରେ ତମେ ଯାଇ ଏକ ଭିନ୍ନ ରାଜ୍ୟରେ ପହଁଚିବ, ସେଠାରେ ଜଣେ ଦେବୀଙ୍କୁ ତମେ ଭେଟିବ । ଜୀବନ୍ୟାସର ରହସ୍ୟ ସେ ତୋତେ କହିଦେବେ । ଆଉ, ଏ ମୂର୍ତ୍ତି ଜୀବନ ପାଇଲେ ତମେ ଯଦି ଏ କନ୍ୟାକୁ ବିଭା ହେବାକୁ ଚାହଁ, ସେ ବର ବି ମାଗି ନେଇପାର!”