ତପସ୍ୱୀ କହିଲେ “ଏସବୁ ଆଲୋକ ହେଲେ ଶାନ୍ତି ଓ ନିରୀହ ସୁଖର ସ୍ୱପ୍ନ । ଯେଉଁ ଗୁଡିକ ବେଶି ଉଦ୍ଧ୍ୱର୍କୁ ଯାଇପାରିଲେ ନାହିଁ, ସେଗୁଡିକ ଦୁର୍ବଳ ସ୍ୱପ୍ନ; ଯେଉଁମାନେ ସୁଖ ଚାହାଁନ୍ତି କିନ୍ତୁ ତା’ର ସନ୍ଧାନ ସେମାନେ ଭୁଲ୍ ମାର୍ଗରେ କରନ୍ତି, ସେହିମାନଙ୍କ ସ୍ୱପ୍ନ ।”
“କିନ୍ତୁ ଆଲୋକ ସବୁକୁ ସେ ହିଂସ୍ର ଭାବରେ ଲିଭାଇ ଦେବା ନିମନ୍ତେ ସେ ପକ୍ଷୀ ଗୁଡିକ କାହୁଁ ଆସିଲେ?”
“ସେମାନେ ସବୁ ହେଲେ ବାତାବରଣରେ ଥିବା ଦୁଷ୍ଟ ଶକ୍ତି । ମଣିଷ ସୁଖୀ ହେଉ, ଏହା ସେମାନେ କେବେବି ଚାହାଁନ୍ତି ନାହିଁ ।” ତପସ୍ୱୀ ଟିକିଏ ରହି ପୁଣି କହିଲେ, “ବର୍ତ୍ତମାନ ତୁମେ ସନ୍ତୋଷର ରାଜ୍ୟରେ ପ୍ରବେଶ କରୁଛ । ଆଗରେ ଯେଉଁ ଭୟଙ୍କର ଗର୍ତ୍ତ, ତାକୁ ଗୋଟିଏ ଲମ୍ପରେ ଅତିକ୍ରମ କରିବାକୁ ହେବ । ଅନ୍ୟ ପନ୍ଥା ନାହିଁ । କ’ଣ ପାରିବ ତ?”
ସେ ଗର୍ତ୍ତ ଉପରୁ ଥରେ ଆଖି ବୁଲାଇ ନେଇ ରାଜୁ କହିଲା, “ନା ଆଜ୍ଞା ।”
ତପସ୍ୱୀ ପଚାରିଲେ “ଆଚ୍ଛା, ମୁଁ ଯଦି ତମ ହାତ ଧରି ତମ ସହ ଲମ୍ପ ଦିଏ?”
“ତା’ହେଲେ ତ ମୁଁ ନିଶ୍ଚୟ ପାରିବି ।”
“ବେଶ୍ । ତମର ଆସ୍ଥାହିଁ ତମକୁ ସେପାରିକୁ ନେଇଯିବ । ଆଖି ବନ୍ଦ କର । ତା’ପରେ ତମେ ତମର ସବୁ ଶକ୍ତି ପ୍ରୟୋଗ କରି ଲମ୍ପ ଦିଅ । ପ୍ରସ୍ତୁତ?”
ରାଜୁ ମୁଣ୍ଡ ହଲାଇ ପ୍ରସ୍ତୁତ ବୋଲି ଜଣାଇଲା ।
ତପସ୍ୱୀ ରାଜୁର ହାତ ଧରିଲେ । ଉଭୟେ ଏକ ସମୟରେ ଲମ୍ପ ଦେଲେ ।
ରାଜୁର ମନେ ହେଲା, ସେ ଯେମିତି ମେଘମାଳା ଭିତରୁ ଖସି ଆସୁଥିବା ଜଳବିନ୍ଦୁଟିଏ ଭଳି ହାଲୁକା ହୋଇଯାଇଛି । ସେ ଆଖି ଖୋଲି ଦେଖିଲା, ଚତୁର୍ଦ୍ଦିଗରେ ରଙ୍ଗୀନ୍ ଉଦ୍ୟାନ । ଉପରେ, ଏକ ଦିଗନ୍ତରୁ ଅନ୍ୟ ଦିଗନ୍ତ ଯାଏଁ ଉଜ୍ଜ୍ୱଳ ଇନ୍ଦ୍ରଧନୁ ବ୍ୟାପିଛି । ମଧୁର କଳରବରେ ବ୍ୟସ୍ତ ପକ୍ଷୀମାନେ ଗୋଟାଏ ଗୋଟାଏ ଉଡନ୍ତା ଫୁଲ ଭଳି ଦିଶୁଥିଲେ । ଏପରିକି ମେଘମାନେ ବି ବହୁରଙ୍ଗ ବିଶିଷ୍ଟ ଫୁଲତୋଡା ଭଳି ମନେ ହେଉଥିଲେ । ଯେଉଁ ସବୁ ରଙ୍ଗରେ ଉଦ୍ୟାନର ବୃକ୍ଷଲତା, ପକ୍ଷୀମାନେ ଓ ମେଘମାଳା ଆଦି ରଞ୍ଜିତ ହୋଇଥିଲେ, ସେସବୁରୁ ଅନେକ ରଙ୍ଗ ରାଜୁ କେବେବି ଦେଖି ନଥିଲା । ସେସବୁ ଅପୂର୍ବ ରଙ୍ଗ ସାତରଙ୍ଗର ମିଶ୍ରଣରୁ ଉଦ୍ଭବ ହୋଇପାରେନା ବୋଲି ସେ ବୁଝିଲା । ଯେଉଁ ନୂତନ ରଙ୍ଗ ଉପରେ ତା’ର ଦୃଷ୍ଟି ପଡୁଥିଲା, ସେ ରଙ୍ଗ ତା’ ଭିତରେ ଏକ ଅଜଣା ଅନୁଭବର କମ୍ପନ ସୃଜୁଥିଲା । ବଡ ପୁଲକପ୍ରଦ ସେସବୁ ଅନୁଭୂତି ।
ପବନର ପ୍ରତି ତରଙ୍ଗ ଯେମିତି ଗୋଟାଏ ପବିତ୍ର ଶିହରଣ ଆଣି ଦେଉଥିଲା । ପକ୍ଷୀମାନଙ୍କର ସବୁ ଧ୍ୱନି, ବୃକ୍ଷଲତାମାନଙ୍କର ପ୍ରତି କମ୍ପନ ରାଜୁ ହୃଦୟରେ ସୁଖର ସ୍ପନ୍ଦନ ତୋଳୁଥିଲା ।
କିନ୍ତୁ କାହିଁଗଲେ ତପସ୍ୱୀ? ହଠାତ୍ ସେଭଳି ଜଣେ ଦିଗ୍ଦର୍ଶକଙ୍କୁ ହରାଇଲେ ଦୁଃଖ ହେବାର କଥା । କିନ୍ତୁ ରାଜୁ ଅନୁଭବ କଲା, ସେ ରାଜ୍ୟର ବାତାବରଣରେ ଦୁଃଖ ମୋଟେ ନାହିଁ । ସେ ତପସ୍ୱୀଙ୍କ ଅଭାବ ଅନୁଭବ କରିବା ସତ୍ତ୍ୱେ ବିମର୍ଷ ବା ବିଚଳିତ ବୋଧ କଲା ନାହିଁ । ଅନେକ ଦିନ ପରେ ସେ ପିଲାବେଳେ ଶିଖିଥିବା ଗୀତଟିଏ ବୋଲିଲା – ହୃଦୟର ଆନନ୍ଦ ପ୍ରକାଶ କରିଦେବା ନିମନ୍ତେ । ଏକଦା ଜଣେ ନିଃସଙ୍ଗ ପଥିକ ହଠାତ୍ କେମିତି ସୂର୍ଯ୍ୟଙ୍କୁ ସାଥିରୂପେ ପାଇଯାଇଥିଲା, ଗୀତଟିର ପ୍ରଥମ ଦୁଇଧାଡି ସେହି କଥା ବ୍ୟକ୍ତ କରୁଥିଲା ।
ରାଜୁ ସେ ଦୁଇଧାଡି ବୋଲିବା ବେଳକୁ ସୂର୍ଯ୍ୟୋଦୟ ହେଲା । ପରବର୍ତ୍ତୀ ଦୁଇଧାଡିରେ ପବନ କେମିତି ସେ ପଥିକକୁ ବାଟ ଦେଖାଇ ନେଇଗଲା, ସେ ବର୍ଣ୍ଣନା ଥିଲା । ରାଜୁ ସେତକ ବୋଲିସାରିବା ବେଳକୁ ଗଛଲତା ଉପରଦେଇ ପବନର ଏକ ଉଚ୍ଛ୍ୱାସ ଯେମିତି ବହିଗଲା । ଅଗଣନ ପତ୍ର ମୃଦୁ ସଂଳାପରେ ମାତି ଉଠିଲେ ।
ରାଜୁ ଗୀତ ବୋଲୁଥାଏ । ହଠାତ୍ ତା’ର ମନେହେଲା, କେହି ଜଣେ ତା’ର ଗୀତ ଶୁଣୁଛି । ଦେଖିବା ବେଳକୁ ତା’ ପାଖରେ ଅତି ସୁନ୍ଦରୀ ତରୁଣୀଟିଏ ବସିଛି । ତା’ ମୁହଁ ବିସ୍ମୟ ଓ ପୁଲକରେ ଉଦ୍ଭାସିତ ହେଲା ।
ତରୁଣୀ ହସିଲା । ସେମିତି ମଧୁର ହସ ରାଜୁ କେବେବି ଦେଖି ନଥିଲା ।
ରାଜୁ ଗୀତ ବନ୍ଦ କରି ତା’ ଆଡେ ଅନାଇ ରହିଲା । ରାଜୁ ବା ତା’ ତୁଳନାରେ କେମିତି କମ୍ ବିସ୍ମିତ ବା କମ୍ ପୁଲକିତ ହୁଅନ୍ତା?
ତରୁଣୀ ଅଧୈର୍ଯ୍ୟ ହୋଇ କହିଲା “କାହିଁକି ବନ୍ଦ କଲ? ଗାଅ ନା!”
ରାଜୁ ଆଖି ଫେରାଇ ନେଇପାରିଲା ନାହିଁ ।
ରାଜୁ କହିପକାଇଲା “ଆଶ୍ଚର୍ଯ୍ୟ!”
“କ’ଣ ଆଶ୍ଚର୍ଯ୍ୟ?”
“ତୁମକୁ ପ୍ରଥମଥର ପାଇଁ ଦେଖୁଛି । ଅଥଚ ତୁମର ଏ ହସ ମୋତେ କିପରି ଏତେ ପରିଚିତ ଲାଗୁଛି? ତୁମେ କ’ଣ କେବେ କନକଉପତ୍ୟକା ନାମକ ରାଜ୍ୟ ଆଡେ ବୁଲି ଯାଇଥିଲ?”