ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ତରୁଣୀ ହସିଲା । କହିଲା “ନା, ମୋର ଏ ଉପତ୍ୟକାର ବାହାରକୁ ଯିବାର ପ୍ରୟୋଜନ ହୋଇନାହିଁ । ଏ ସ୍ଥାନ ତୁମକୁ କିପରି ଲାଗୁଛି?”

“ଏଡେ ମନୋରମ ଉପତ୍ୟକା ବି ଥାଇପାରେ, ଏକଥା ତ ମୁଁ କେବେ କଳ୍ପନା ମଧ୍ୟ କରି ନଥିଲି । ରୁହ, ରୁହ, ହଠାତ୍ ମୋର ଗୋଟାଏ କଥା ମନେ ପଡୁଛି । ମୁଁ ଅନେକ ସମୟରେ ଜନପଦ ଛାଡି ଝରଣା ଓ ଫୁଲ ଫଳ ଭରା ଗୋଟିଏ ବନସ୍ତ ଭିତରେ ସମୟ କଟାଉଥାଏ । ଥରେ ଥରେ ଗୋଟାଏ ଅପୂର୍ବ ସୁନ୍ଦର ପକ୍ଷୀ ମେଘମାଳା ଭେଦକରି ସେଠି ଆସି ପହଁଚି ଯାଉଥାଏ ଓ କଦମ୍ବ ଉପରେ ବସିପଡି କହୁଥାଏ, “ଦୂର ରାଇଜରେ ଏକ ରାଜକନ୍ୟା ଅଛି – ଏକ ରାଜକନ୍ୟା!” ସେ ଅନ୍ତତଃ ଏଇଆ କହୁଛି ବୋଲି ତା’ ଧ୍ୱନିରୁ ମୋର ମନେ ହେଉଥାଏ । ମୋ ଆଖି ଆଗରେ ସଙ୍ଗେ ସଙ୍ଗେ ଗୋଟିଏ ହସ ହସ ମୁହଁ ଭାସି ଉଠୁଥାଏ । ସତେ ଅବା ତାହା ତୁମରି ମୁହଁ!”

ତରୁଣୀ ଦୀର୍ଘଶ୍ୱାସ ଛାଡି କହିଲା “ସତେ? ଅବଶ୍ୟ ମୁଁ ଏ ରାଜ୍ୟର ରାଜକନ୍ୟା । ଆଉ ଅନେକ ସମୟରେ ମୁଁ ସ୍ୱପ୍ନରେ ତୁମେ ବୋଲୁଥିବା ଏ ସ୍ୱର ଶୁଣିଛି । କେତେଥର ଭାବିଛି, ମୁଁ ହେଲେ ଏମିତି ସ୍ୱର ସୃଷ୍ଟି କରି ପାରନ୍ତି! କିନ୍ତୁ ମୁଁ ଜାଣେ, ଏ ରାଜ୍ୟ ଟପିଯିବା ପରେ ଏକ ମୂଲକରେ ଜଣେ ଦେବୀ ଅଛନ୍ତି । ତାଙ୍କଠାରୁ ବର ଆଣି ନପାରିଲେ ଆମେ ଏଭଳି କିଛି କରିପାରିବା ନାହିଁ ।”

“ମୁଁ ତ ଗୀତଟିଏ ମାତ୍ର ବୋଲୁଥିଲି!”

“ଗୀତଟିଏ ମାତ୍ର? ହାୟ, ମୁଁ ଥରୁଟିଏ ହେଲେ ଗୀତଟିଏ ବୋଲି ପାରନ୍ତି! ସେଇଥିପାଇଁ ମୁଁ ମୋର ସବୁ କିଛି ଦେଇ ଦେବାକୁ ପ୍ରସ୍ତୁତ ।”

“କିନ୍ତୁ ତୁମ କଣ୍ଠସ୍ୱର ଏଡେ ମଧୁର । ତମେ କାହିଁକି ଗୀତ ବୋଲୁନାହଁ?”

“ଆମେ ଗୀତ ବୋଲି ପାରୁନା! ଆମେ ସେ ଗୁଣର ଅଧିକାରୀ ନୋହୁଁ ।”

ରାଜୁ ଅବାକ୍ ହେଲା । ସେ ରାଜକନ୍ୟା ସ୍ୱୟଂ ସତେ ଅବା ଗୋଟିଏ ଅପୂର୍ବ ସଙ୍ଗୀତର ମାନବୀ ରୂପ । ଅଥଚ ସେ ଗୀତ ଗାଇବାକୁ ଅକ୍ଷମ! ସେ ଚମତ୍କାର ସନ୍ତୋଷମୟ ରାଜ୍ୟରେ କେହି ଗୀତ ବୋଲିବାକୁ ସକ୍ଷମ ନୁହଁନ୍ତି!

ରାଜୁ ନିଜକୁ ମନେ ପକାଇ ଦେଲା: ସେ ରାଜ୍ୟର କେହି ମଣିଷ ନୁହଁନ୍ତି । ସେ ଆହୁରି ବି ମନେ ପକାଇଲା – ତପସ୍ୱୀ ଥରେ ତାକୁ କହିଥିଲେ, “ପଶୁ କଥା କହିପାରେ ନାହିଁ, ମଣିଷ ପାରେ । କିନ୍ତୁ ମଣିଷଙ୍କ ଅବସ୍ଥା ଦେଖ । କଥା ନାମରେ କିଏ ବା ସାପ ଭଳି ଫଁ ଫଁ ହେଉଛି, କିଏ ବା ମାଙ୍କଡ ଭଳି ଖତେଇ ହେଉଛି ତ କିଏ ବା କୁକୁରଙ୍କ ଭଳି ଭୁକି ଚାଲିଛି!”

ମଣିଷ କେଡେ ଭାଗ୍ୟବାନ, ରାଜୁ ସେକଥା ଉପଲବ୍ଧି କଲା । ମଣିଷ ହସିପାରେ, ଗୀତ ଗାଇପାରେ, କେତେ ଆଶ୍ଚର୍ଯ୍ୟ କାମ କରିପାରେ । କିନ୍ତୁ ତା’ର ସବୁ ପ୍ରତିଭା ଓ ଗୁଣକୁ କୌଣସି ଅଭିଶାପ ବିକଳାଙ୍ଗ କରିଦିଏ । ତପସ୍ୱୀ କହିଥିଲେ, ତାହା ମଣିଷର ଅଜ୍ଞାନତା ।

ରାଜୁ ନମ୍ର ଭାବରେ କହିଲା “ରାଜକନ୍ୟା! ତମକୁ ମୁଁ ଗୋପନରେ କହିପାରେ–ମୁଁ ସେହି ଦେବୀଙ୍କୁ ଭେଟିବା ଉଦ୍ଧେଶ୍ୟରେ ଚାଲିଛି; କିନ୍ତୁ ସେଠାକୁ ଯିବାର ବାଟ ଜଣାନାହିଁ । ମୋତେ ବାଟ ଦେଖାଇ ଦେବ? ତମ ପାଇଁ ମୁଁ ଏମିତି ଏକ ବର ନେଇ ଆସିବି, ଯାହା ଫଳରେ ତମେ ଗୀତ ଗାଇ ପାରିବ ।”

ରାଜକନ୍ୟା କହିଲେ “ତମକୁ ବି ମୁଁ ଗୋପନରେ କହେ: ଅଦୂରରେ ସେଇ ଯେଉଁ ନୀଳ ପର୍ବତ, ତାହା ଶୀଖରରେ ଗୋଟିଏ ଅନନ୍ୟ ବୃକ୍ଷ ରହିଛି । ବର୍ଷକରେ ଥରେ ତହିଁରେ ଫଳଟିଏ ଫଳେ । ତାକୁ ନକ୍ଷତ୍ର-ଫଳ କୁହାଯାଏ । ଯିଏ ସେ ଫଳ ଖାଇବ, ସିଏ ସେ ଅଜ୍ଞାତ ରାଜ୍ୟରେ ପ୍ରବେଶ କରି ପାରିବ ।”

“ତମ ରାଜ୍ୟର କେହି ସେ ଫଳ କିପରି ଖାଇ ନାହିଁ?”

ରାଜକନ୍ୟା ହସି କହିଲେ, “ତମେ ମଣିଷମାନେ ଖାଇପାର । ହେଲେ ଆମେ ତାକୁ ଖାଉ ନା ।”

“ଖାଅନା! ତାହା ସମ୍ଭବ? ତେବେ କିପରି ବଞ୍ଚିରୁହ, ଶିଶୁଟିଏ କିପରି ବଡ ହୁଏ?”

“ଫୁଲ ଭଳି । ଆମେ ସୂର୍ଯ୍ୟକିରଣରୁ, ପବନରୁ, ଆକାଶରୁ ଆମର ଜୀବନୀ ଶକ୍ତି ସଂଗ୍ରହ କରୁ । କାହିଁକି? ତମେ କ’ଣ ଏଠାକୁ ଆସିବା ପରେ କ୍ଷୁଧା ଅନୁଭବ କରୁଛ?”

ରାଜୁ ଚମକି ପଡି କହିଲା, “ନା, ତ!” ତା’ପରେ ସେ ନିଜକୁ ସମ୍ଭାଳି ନେଇ ପୁଣି କହିଲା, “କିନ୍ତୁ ବିନା କ୍ଷୁଧାରେ ବି ତମେ ଫଳଟାଏ ଖାଇ ପାରନ୍ତ!”

“ନା । ଆମେ ପାରୁ ନା । ଏ ରାଜ୍ୟରେ କେହି କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ କରେ ନା ।”

ସେତିକିବେଳେ ହରିଣଟିଏ ଦୌଡି ଯାଉଥିବାର ଦେଖାଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ