ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ସନ୍ନ୍ୟାସୀ ପ୍ରଶ୍ନ କଲେ “କୋଡିଏ ହଜାର?” ସେ ନିଜକୁ ତଥା ରାଜୁକୁ ଏଥର ଦୃଶ୍ୟମାନ କଲେ ।

ବର୍ଷ ବର୍ଷ ଧରି ସେଠି ସର୍ଦ୍ଦାର କେବଳ ନିଜ କଣ୍ଠସ୍ୱର ନିଜେହିଁ ଶୁଣି ଆସୁଥିଲା । ଆଜି ଅଚାନକ ଏକ ଦ୍ୱିତୀୟ ସ୍ୱର ଶୁଣି ସେ ହଠାତ୍ ଚମକି ପଡିଲା ।

ସେ ସସଙ୍କୋଚେ ପ୍ରଶ୍ନ କଲା “ଆପଣ କିଏ ଆଜ୍ଞା?”

ସନ୍ନ୍ୟାସୀ ପଚାରିଲେ “ତମେ କ’ଣ ଗୁମ୍ଫା ଭିତରେ ଥିବା ସନ୍ନ୍ୟାସୀଙ୍କ କଥା ଶୁଣି ନଥିଲ? ତାଙ୍କରି ବିଭୂତିରୁ ତରଭୁଜ ଫଳେ ବୋଲି ଜାଣି ନଥିଲ?”

“ଶୁଣିଥିଲି ଯେ, କିନ୍ତୁ ମୁଁ ଭାବିଥିଲି ତାହା ଗୋଟାଏ କାହାଣୀ କିମ୍ବଦନ୍ତି ମାତ୍ର!”

“ଯଦି ତରଭୁଜଟି ବାସ୍ତବ ହେଲା ତେବେ ତାହାର ଉତ୍ସ କାହାଣୀ କିମ୍ବଦନ୍ତି ମାତ୍ର କିପରି ହେବ?”

ସର୍ଦ୍ଦାର ସନ୍ନ୍ୟାସୀଙ୍କର ଏ ପ୍ରଶ୍ନର ଉତ୍ତର ଆଉ କିଛି ଦେଇ ପାରିଲା ନାହିଁ । ସନ୍ନ୍ୟାସୀ ରାଜୁ ଆଡେ ଅନାଇ କହିଲେ, “ଏଇ ହେଲା ବିଡମ୍ବନା । ମଣିଷ ଫୁଲକୁ ସ୍ୱୀକାର କରିବ, କିନ୍ତୁ ଫୁଲର ସୃଷ୍ଟି ଯେ ଜଣେ ଅଦୃଶ୍ୟ ଶିଳ୍ପୀର କଳ୍ପନା ଓ କଳା କୂଶଳତାରୁହିଁ ସମ୍ଭବ ହୋଇଥାଇପାରେ, ସେକଥା ଚିନ୍ତା କରିପାରିବ ନାହିଁ ।”

ଯୁବକ ସର୍ଦ୍ଦାର ଅବଶ୍ୟ ଅପ୍ରତିଭ ଦେଖାଗଲା । ପରିସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ସେ କହିଲା, “ସନ୍ନ୍ୟାସୀ ମହାଶୟ, ଆପଣ ଗୁମ୍ଫା ଭିତରୁ ବାହାରି ଅଇଲେ, ଭଲ କଲେ । ଆମେ ଆପଣଙ୍କୁ ଗୁମ୍ଫା ତୁଳନାରେ ଅଧିକ ଚମତ୍କାର ରହିବା ଘର ଯୋଗାଇ ଦେବୁ । ଗତ କେତେ ଯୁଗ ଧରି ଆପଣ କିଛି ଖିଆପିଆ କରିଛନ୍ତି କି ନା ତାହା ସନ୍ଦେହ । ଚାଲନ୍ତୁ, ଆପଣଙ୍କ ପାଇଁ ନାନା କିସମର ସୁଖାଦ୍ୟର ବ୍ୟବସ୍ଥା କରିଦେବା । ସେଥିରୁ ଆପଣ ଅନେକ ଖାଦ୍ୟ ଦେଖିହିଁ ନଥିବେ, କାରଣ ଆପଣ ନିଜକୁ ଗୁମ୍ଫାରୁଦ୍ଧ କରିବା ଯୁଗରେ ସେସବୁର ଉଦ୍ଭାବନହିଁ ହୋଇ ନଥିଲା! ହଁ, ଆମିଷ ଚଳେ ନା ଆପଣ ତୁଚ୍ଛା ନିରାମିଷାଶୀ?”

“ଚୋପ୍!”

ସନ୍ନ୍ୟାସୀଙ୍କ ଏଭଳି ଧମକରେ ସର୍ଦ୍ଦାରର ମୁହଁ ଶେତା ପଡିଗଲା । ସନ୍ନ୍ୟାସୀ ପ୍ରଶ୍ନ କଲେ “ତମେ ମୋ ପ୍ରଶ୍ନର ଉତ୍ତର ଏଯାଏଁ ଦେଇନାହଁ । କୋଡିଏ ହଜାର ଲୋକ ଖାଇଲା ଭଳି ଏଡେ ବିରାଟ ତରଭୁଜ ତମର କାହିଁକି ଲୋଡା?”

ସର୍ଦ୍ଦାର ବେଶ୍ ଅର୍ଥପୂର୍ଣ୍ଣ ଓ ଦୟାର୍ଦ୍ର ହସ ଫୁଟାଇ କହିଲା “ଆଜ୍ଞା, ଆମ ନଗରବାସୀଙ୍କ ସଂଖ୍ୟା ବର୍ତ୍ତମାନ ପନ୍ଦର ହଜାର । ଆଉ ପାଂଚହଜାର ସରିକି ପର୍ଯ୍ୟଟକ ଆସି ଅତିଥି ହୋଇଛନ୍ତି । ସେମାନେ ତରଭୁଜ ବାବଦରେ ପଇସା ଦେବେ । ଏଣିକି ଆପଣଙ୍କୁ ସେ ଉପାର୍ଜନରୁ ଅଂଶ ଦେବା କଥା ବି ବିବେଚନା କରି ଦେଖାଯାଇପାରେ । ହଁ, ମୋ ମୁଣ୍ଡକୁ ଆଉ ଗୋଟାଏ ବଢିଆ ଯୋଜନା ଆସିଗଲାଣି । ଆପଣ ଯଦି ତରଭୁଜ ପାଖରେ ବସି ରହିବେ, ଆପଣଙ୍କୁ ଦେଖିବା ବାବଦରେ ଲୋକଙ୍କୁ କିଛି ଅଧିକା ପଇସା ଦେବାକୁ ବି କୁହାଯାଇ ପାରେ । ସେ ଆୟର ଗୋଟାଏ ବଡ ଅଂଶ ଆପଣଙ୍କ ସେବାରେ ଖର୍ଚ୍ଚ ହେଉ – ଆପତ୍ତି ନାହିଁ!”

“ଚୋପ୍!”

ସନ୍ନ୍ୟାସୀଙ୍କର ଏ ଦ୍ୱିତୀୟଥର ଧମକରେ ସେ ପାହାଡ ଥରିଗଲା ଭଳି ମନେ ହେଲା । ସେ କହିଲେ, “କାଲି ସକାଳ ବେଳକୁ ଏଠି ଗୋଟାଏ ରାକ୍ଷସୀ ତରଭୁଜ ଉପୁଜିଥିବ । ସେହି ଶେଷ ତରଭୁଜ ଫାଟି ତମ ନଗରୀକୁ ଶେଷ କରିଦେବ । ଯାଅ ଏଥର!”

ସର୍ଦ୍ଦାର ବୁଲିପଡି ପଳାଇଗଲା । ଅନେକ ସମୟ ଧରି ଦିଗନ୍ତକୁ ଅନାଇ ସନ୍ନ୍ୟାସୀ ବସି ରହିଲେ । ସୂର୍ଯ୍ୟ ଅସ୍ତ ଗଲେ । ମେଘମାଳା ତଳେ ଘର-ବାହୁଡା ପକ୍ଷୀମାନେ ଉଡି ଯାଉଥାନ୍ତି ।

ସନ୍ନ୍ୟାସୀ ଦୀର୍ଘ ନିଃଶ୍ୱାସ ଛାଡି କହିଲେ “ଭାବିଥିଲି, ତରଭୁଜ-ରୂପୀ ଦୈବୀ ବିସ୍ମୟ ଏ ବସତିର ଲୋକଙ୍କୁ ସବୁବେଳେ ଭଗବାନଙ୍କୁ ସ୍ମରଣ କରାଉଥିବ । କିନ୍ତୁ ସେଭଳି ଚିନ୍ତା ମୋର ନିର୍ବୋଧତା । ସୂର୍ଯ୍ୟ ଚନ୍ଦ୍ର ଓ ଅସଂଖ୍ୟ ନକ୍ଷତ୍ର ଶୂନ୍ୟ ଆକାଶରେ ଝୁଲି ରହିଛନ୍ତି । କାଦୁଅ ପଙ୍କ ଭିତରୁ ପଦ୍ମ ଫୁଲ ଫୁଟି ବାହାରୁଛି । ଏସବୁ ଦୈବୀ ବିସ୍ମୟ ଯଦି ମଣିଷ ହୃଦୟରେ ମହତ୍ ଭାବନାର ବିକାଶ କରୁନାହିଁ, ଗୋଟାଏ ତରଭୁଜ ବା ତାହା କିପରି କରନ୍ତା?”

ରାଜୁ କହିଲା “ବାବା, ଆପଣଙ୍କ ଧମକ ସର୍ଦ୍ଦାର ଓ ସର୍ଦ୍ଦାର ଜରିଆରେ ଅନ୍ୟମାନଙ୍କ ଭିତରେ ସଦବୁଦ୍ଧିର ସଂଚାର ନିଶ୍ଚୟ କରିବ । ଦୀର୍ଘକାଳ ଧରି ସେମାନଙ୍କୁ ଯେଉଁ ସୁଯୋଗ ମିଳିଥିଲା, ସେମାନେ ତାହାର ସଦୁପଯୋଗ କରି ନଥିବାରୁ ବର୍ତ୍ତମାନ ଅନୁତାପ କରୁଥିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ