ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ସନ୍ନ୍ୟାସୀ କହିଲେ “ମୁଁ ସେତେଦୂର ଆଶାବାନ୍ ନୁହେଁ । ମୂଢତାର କରାମତି କିଛି କମ୍ ନୁହେଁ । ତମେ ତଳକୁ ଯାଇ ଥରେ ଦେଖି ଆସିପାର ।”

ପୂର୍ଣ୍ଣମୀ ରାତି । ରାଜୁ ଧିରେ ଧିରେ ନଗରୀର ମୁଖ୍ୟ ରାସ୍ତାଦେଇ ଅଗ୍ରସର ହୋଇ ସଭାଗୃହ ପାଖରେ ପହଁଚି ଦେଖିଲା ନଗରବାସୀମାନଙ୍କୁ ସର୍ଦ୍ଦାର ଉଦ୍ବୋଧନ ଦେଉଛି । ସନ୍ନ୍ୟାସୀ ଦେଇଥିବା ଧମକ ସତ୍ୟରେ ପରିଣତ ହେଲେ ଯେଉଁ ପରିସ୍ଥିତି ଉପୁଜିବ, ତା’ର ମୁକାବିଲା କରିବା ନିମନ୍ତେ ସେ ଲୋକଙ୍କୁ ଆହ୍ୱାନ ଦେଉଥିଲା ।

ସେ ଗୋଟାଏ ଅଭିନବ ଯୋଜନା ଉପସ୍ଥାପନ କରୁଥିଲା । ଆବାଳବୃଦ୍ଧବନିତା ପ୍ରଭାତରୁ ଆଁ କରି ଠିଆ ହୋଇ ରହିବେ । ତରଭୁଜ ଫାଟି ତଳକୁ ଆସି ନଗରୀକୁ ଧୋଇ ନେଇଯିବା ପୂର୍ବରୁ ସେମାନେ ସମଗ୍ର ତରଭୁଜକୁ ଗ୍ରାସ କରି ପକାଇଥିବେ । ଏମନ୍ତ ପ୍ରକାରେ ସେମାନଙ୍କର ଏକତାବଦ୍ଧ ମୁଖବ୍ୟାଦାନ ସନ୍ନ୍ୟାସୀଙ୍କ ଶାପକୁ ଅକାମୀ କରିଦେବ ।

ସେ ଦିଗରେ ଯଥାରୀତି ପ୍ରସ୍ତୁତି ହେଉଥିଲା । ଲୋକେ ଶପଥ ନେଲେ କି ସେ ରାତିରେ ସେମାନେ ଅଖିଆ ଶୋଇବେ । ତା’ହେଲେ ସକାଳେ ବହୁ ପରିମାଣ ତରଭୁଜ ଭକ୍ଷଣ କରିବାକୁ ସକ୍ଷମ ହେବେ । ଆଦର୍ଶ ପ୍ରତିବେଶୀପ୍ରେମରେ ଉଦବୁଦ୍ଧ ଆଖପାଖ ଅଂଚଳର ଲୋକେ ମଧ୍ୟ ସେମାନଙ୍କୁ ସହଯୋଗ ଦେବା ନିମନ୍ତେ ପହଁଚିବାକୁ ଲାଗିଲେ ।

ରାଜୁ ବିମର୍ଷ ବୋଧ କଲା । ଅଧରାତି ବେଳକୁ ସେ ସନ୍ନ୍ୟାସୀଙ୍କ ପାଖକୁ ଲେଉଟିଗଲା ।

ପ୍ରଭାତ ବେଳକୁ ପାହାଡ ତଳେ ଧାଡି ଧାଡି ନରନାରୀ ଆଁ କରି ଠିଆ ହେବାର ଦେଖାଗଲା । ପାହାଡ ଉପରେ ସେତେବେଳେ ଆଉ ଗୋଟାଏ ପାହାଡ ଭଳି ବିଶାଳକାୟ ତରଭୁଜ ଉଦ୍ଭୁତ ହୋଇଥାଏ! ମୃଦୁ ଉଷାଲୋକରେ ସେ ଯେତିକି ଅପୂର୍ବ, ସେତିକି ଭୀଷଣ ଦିଶୁଥାଏ ।

ହଠାତ୍ ତାହା ଫାଟିଗଲା ଏବଂ ସହସ୍ର ଖଣ୍ଡରେ ପାହାଡ ତଳକୁ ସେସବୁ ମାଡି ଆସିଲା । ଲୋକେ ପ୍ରସ୍ତୁତ ହୋଇ ରହିଥିଲେ । ସେମାନେ ସେସବୁ ଖଣ୍ଡକୁ ତତ୍କ୍ଷଣାତ୍ ଚୋବାଇ ଗିଳି ପକାଇଲେ । ଧକ୍କାର ପ୍ରାବଲ୍ୟରେ କେହି ଯଦି ଭୂତଳଶାୟୀ ହେଉଥାଏ, ସେ ସେହି ଅବସ୍ଥାରେହିଁ ତରଭୁଜଖଣ୍ଡକୁ ଜାବୁଡି ଧରି ତାକୁ ଖାଇ ଯାଉଥାଏ ।

ତା’ପରେ ସମବେତ ଜନତା ଏହି ଅଭାବନୀୟ ଏକତା ତଥା ବିଜୟ ଯୋଗୁଁ ନିଜକୁ ଅଭିନନ୍ଦନ ଜଣାଇ ଗୋଟିଏ ପ୍ରସ୍ତାବ ଗ୍ରହଣ କଲା । ଅତିଥିମାନେ ବିଦାୟ ନେଇ ଚାଲିଗଲେ ।

ଦ୍ୱିପ୍ରହର ବେଳକୁ ନଗରୀ ହତଶ୍ରୀ ଦେଖାଗଲା । ମାତ୍ରାଧିକ ତରଭୁଜ ଭକ୍ଷଣ ଯୋଗୁଁ ଅନେକେ ଅସୁସ୍ଥ କିନ୍ତୁ ଯେଉଁ ବିଷମ ପ୍ରଶ୍ନ କ୍ରମେ ସେମାନଙ୍କ ମନରେ ଭୟାବହ ରୂପ ନେଉଥିଲା, ତାହା ହେଲା, ଏହାପରେ ସେମାନେ କ’ଣ କରିବେ? ଯୌଗିକ ତରଭୁଜକୁ ବିକି ଭାଙ୍ଗି ସେମାନେ ସମୃଦ୍ଧ ହୋଇଥିଲେ । ତାହା ବାହାରେ ସେମାନେ ଆଉ କିଛି କରୁ ନଥିଲେ । ବର୍ତ୍ତମାନ?

ସନ୍ନ୍ୟାସୀ ଯେ କହିଥିଲେ, ତାଙ୍କ ବିଭୁତିପ୍ରସୂତ ଶେଷ ତରଭୁଜ ଏ ନଗରୀକୁ ଧ୍ୱସ୍ତ କରିଦେବ, ବିଜ୍ଞ ନାଗରିକମାନେ ବର୍ତ୍ତମାନ ସେ କଥାର ଭିନ୍ନ ବ୍ୟାଖ୍ୟା କରିବାକୁ ଆରମ୍ଭ କରିଥିଲେ । ତରଭୁଜ ଫାଟି ନଗରୀକୁ ଭାଙ୍ଗି ଚୁରି ପକାଇବ ବା ଭସାଇ ନେଇଯିବ, ସନ୍ନ୍ୟାସୀ ବୋଧହୁଏ ତାହାଠୁଁ ଅଧିକ କିଛି ସୂଚାଉଥିଲେ । ସେ ତରଭୁଜହିଁ ହେବ ଶେଷ ତରଭୁଜ ଏବଂ ପରେ ନଗରବାସୀମାନେ ଆଉ ତରଭୁଜରୁ ଲାଭ ଉଠାଇ ନପାରିବା ଫଳରେ କ୍ରମେ ସେମାନଙ୍କ ନଗରୀ ବିଲୁପ୍ତ ହେବ, ସନ୍ନ୍ୟାସୀ ସମ୍ଭବତଃ ତାହାହିଁ ବୁଝାଉଥିଲେ ।

ସନ୍ଧ୍ୟା ହେଲା । ସନ୍ନ୍ୟାସୀ ନଗରୀକୁ ପଛରେ ପକାଇ ଅଗ୍ରସର ହେଲେ । ରାଜୁ ତାଙ୍କୁ ଅନୁସରଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ