କ୍ରୁର ରାଜା କବଳରୁ ଖସିଯାଇ ସୁବର୍ଣ୍ଣ ପ୍ରତିମାରେ ଜୀବନ୍ୟାସର ରହସ୍ୟ ସନ୍ଧାନରେ ରାଜୁ ଏକ ପରେ ଏକ ଅଦ୍ଭୁତ ମୁଲକ ଅତିକ୍ରମ କରୁଥାଏ ଓ ନୂଆ ନୂଆ ଅଭିଜ୍ଞତା ଲାଭ କରୁଥାଏ । ଏଣେ ଅଧୈର୍ଯ୍ୟ ହୋଇ ରାଜା ଜଣେ ଧୂର୍ତ୍ତ ଯାଦୁକର ସାହାଯ୍ୟରେ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ପାଇଁ ଯୋଜନା କରୁଥାନ୍ତି । ତା’ପରେ…
ରାଜା ପ୍ରଭାତରେ ସମସ୍ତ ମନ୍ତ୍ରୀ ଓ ଅତିଜ୍ଞାନୀ ଅମାତ୍ୟମାନଙ୍କୁ ଡକାଇ ଘୋଷଣା କଲେ, “ତମ ସମସ୍ତଙ୍କୁ ଆମ୍ଭ ସହ ଏକ ସପ୍ତାହ ବ୍ୟାପି ଅନଶନ କରିବାର ସୁଯୋଗ ଆମ୍ଭେ ଦେଲୁ ।” ଏ ଘୋଷଣା ପରେ ରାଜା ସେମାନଙ୍କୁ ଆଉ ନିଜ ନିଜ ଘରକୁ ଯିବାକୁ ଦେଲେ ନାହିଁ । ସେ ଖୋଦ ନ ଖାଉଥିବା ବେଳେ ଆଉ କେହି ଲୁଚାଇ କରି କିଛି ଖାଇ ପକାଇବ – ଏକଥା ସେ ବା କିପରି ସହ୍ୟ କରନ୍ତେ!
ଦ୍ୱିତୀୟ ଦିନକୁ ଅମାତ୍ୟବର୍ଗ କାନ୍ଦିବାକୁ ମନ କରୁଥିଲେ । କିନ୍ତୁ ସେମାନଙ୍କ ପ୍ରିୟ ରାଜା ଯେତେବେଳେ ଏକ ବିଶେଷ ସୌଭାଗ୍ୟର ଅଧିକାରୀ ହେବାକୁ ଯାଉଥିଲେ, ସେତେବେଳେ ସମସ୍ତେ କିପରି ସରସ ସୁନ୍ଦର ଦେଖା ନ ଯିବେ? ଅତଏବ ପେଟ ଭୋଖ ପେଟରେ ଓ ଆଖିଲୁହ ଆଖିରେ ମାରି ସେମାନେ ହସ ହସ ଦେଖାଯିବାରେ ଏକ ଆରେକୁ ବଳିଗଲେ ।
ରାଜାଙ୍କ ଭୋଜନଶାଳାରେ ଯାଦୁକର ରାଜକୀୟ ଆହାର କରୁଥିଲା । ଯାହା ଉଦ୍ବୃତ ରହୁଥିଲା, ଚଟାପଟ ତା’ର ସଦ୍ବ୍ୟବହାର ତା’ର ସୁଯୋଗ୍ୟ ସହକାରୀ କରୁଥିଲା ।
ତୃତୀୟ ଦିନକୁ ରାଜାଙ୍କର ବାରମ୍ବାର କୋହ ଉଠିବାର ଦେଖାଗଲା । ଚତୁର୍ଥ ଦିନ ସେ କାନ୍ଦିବାକୁ ଆରମ୍ଭ କଲେ । ସୁବର୍ଣ୍ଣ ପ୍ରତିମା ଅବଶ୍ୟ ଜୀବନ୍ୟାସ ପାଇ ସୁନ୍ଦରୀ ପରୀରେ ପରିଣତ ହେବା ପରେ ତାକୁ ବିଭା ହୋଇ ରାଜା କେଡେ ସୁଖୀ ହେବେ, ଯାଦୁକର ସେକଥା ମନେ ପକାଇ ଦେଲେ ରାଜାଙ୍କ ମୁହଁରେ ବିଜୁଳି ଭଳି ହସ ଚହଟି ଉଠୁଥିଲା ଓ ସେ ଲୁହ ପୋଛି ପକାଉଥିଲେ । ପର୍ବତ ଭିତରେ ପ୍ରଚୁର ସୁନା ଲୁଚି ରହିଛି ବୋଲି ତାଙ୍କୁ ଜଣାଥିଲା । ପରୀ ତାହା ଠାବ କରିଦେବ, ତାଙ୍କ ହୃଦୟରେ ଏ ବିଶ୍ୱାସ ମଧ୍ୟ ଦୃଢ ହେଉଥିଲା ।
ଏକ ସପ୍ତାହ ଶେଷ ହେଲା । ଅଷ୍ଟମ ଦିନ ପ୍ରତ୍ୟୁଷରେ ରାଜାଙ୍କୁ ଲହୁଣୀ ସ୍ନାନ କରାଇ, ମୂଲ୍ୟବାନ ବସ୍ତ୍ର ପିନ୍ଧାଇ ଦିଆଗଲା ।
ମନ୍ତ୍ରୀ ତଥା ଅମାତ୍ୟମାନଙ୍କୁ ଉଦ୍ଧେଶ୍ୟ କରି ଯାଦୁକର କହିଲା “ମଣିମାଙ୍କୁ ବର୍ତ୍ତମାନ ସର୍ବଶେଷ ଅନୁଷ୍ଠାନ ନିମନ୍ତେ ପ୍ରତିମା ପଶ୍ଚାତରେ ଥିବା ଗୁମ୍ଫା ଭିତରକୁ ଯିବାକୁ ହେବ । ସେଇଠି ସେ ତାଙ୍କ ଅନଶନ ଭଙ୍ଗ କରିବେ । ଭଦ୍ରମଣ୍ଡଳି! ଆପଣମାନେ ନିଜ ନିଜ ଘରକୁ ଯାଇ ଖିଆପିଆରେ ମନୋନିବେଶ କରନ୍ତୁ ।” କଣ୍ଠସ୍ୱର ଆହୁରି ଗମ୍ଭୀର କରି ସେ ପୁଣି କହିଲା, “ଗୁମ୍ଫା ଭିତରେ ମୋତେ କେତେକାଳ ଧ୍ୟାନମଗ୍ନ ରହିବାକୁ ପଡିବ ତା’ ତ ମୁଁ ଜାଣେନା । ରାଜାଙ୍କ ବ୍ୟତୀତ ମୋତେ ଆଉ କେହି ବି ଭେଟି ପାରିବେ ନାହିଁ । କିନ୍ତୁ ଗୋଟାଏ ଚେତାବନୀ ହେଉଛି! କେହି ଯେପରି ରାଜାଙ୍କର ଅତି ପାଖକୁ ଲାଗି ନ ଯା’ନ୍ତି! ମୋ ଯାଦୁ ତାଙ୍କ କଳେବରକୁ ବେଢି ରହିବ । ଫଳରେ ଯିଏ ତାଙ୍କର ଯେତେ ପାଖକୁ ଯିବ, ସେତିକି ମାତ୍ରାରେ ତା’ର ଆୟୁ ହ୍ରାସ ହେବ ।”
ଭୋଖିଲା ଅମାତ୍ୟବର୍ଗ ଆଉ ଅଧିକ ଚେତାବନୀ ଶୁଣିବା ଭଳି ଅବସ୍ଥାରେ ନଥିଲେ । ଉଠିପଡି ସେମାନେ ନିଜ ନିଜ ଘରମୁହାଁ ଚାଲିଲେ । ଗୋଟିଏ ରତ୍ନଖଚିତ ଦୋଳିରେ ବସାଇ ଭୋଖିଲା ରାଜାଙ୍କୁ ସୁବର୍ଣ୍ଣ ପ୍ରତିମା ପାଖକୁ ନିଆଗଲା ।
ଯାଦୁକର ରାଜାଙ୍କ କାନରେ ଚୁପି ଚୁପି କହିଲା “ଆଉ ମାତ୍ର ଦିନଟିଏ ବାକି । ତା’ପରେ ଏ ପରୀ, ପର୍ବତରେ ଲୁକ୍କାୟିତ ସୁନାରାଶିର ସନ୍ଧାନ ସମେତ ଆପଣଙ୍କର ହୋଇଯିବ ।” ରାଜା ଉତ୍ସାହିତ ହୋଇ ଆଉ ଶୋଇ ନରହି ଦୋଳି ଉପରେ ଉଠି ବସିଲେ । ତା’ପରେ ଯାଦୁକର କାନ୍ଧରେ ଭରାଦେଇ ସେ ଗୁମ୍ଫା ଭିତରେ ଯାଇ ପଶିଲେ । ଯାଦୁକର ଦେହରକ୍ଷୀମାନଙ୍କୁ ପାହାଡ ତଳକୁ ହଟିଯିବା ନିମନ୍ତେ ନିର୍ଦ୍ଧେଶ ଦେଲା ।
“ଯାଦୁକର! ବନ୍ଧୁ! ମୋତେ ଏଡେ ଭୋଖ କରୁଛି ଯେ ମୁଁ ଏ ସୁବର୍ଣ୍ଣ ପ୍ରତିମାକୁ ଚୋବାଇ ଖାଇ ଦିଅନ୍ତି । କିନ୍ତୁ ମୁଁ ତାକୁ ବାହା ହେବି!” ରାଜା ସେହି ଭୀଷଣ ଦୁର୍ବଳ ଅବସ୍ଥାରେ ବି ଉତ୍ଫୁଲ୍ଲ ଦିଶୁଥିଲେ ।