ପରିଚାରକମାନେ ରାଜାଙ୍କ ପ୍ରାତଃମଣୋହି ସେତେବେଳକୁ ଗୁମ୍ଫା ଭିତରେ ନେଇ ସଜାଇ ରଖି ଆସିଥିଲେ । ପୂର୍ବଦିନ ସଂନ୍ଧ୍ୟାରେହିଁ ସେ କ’ଣ କ’ଣ ଖାଇବେ, ରାଜା ସେ ଘୋଷଣା କରି ସାରିଥିଲେ । ବିନିଦ୍ର ରଜନୀ ଯାପି ପାଚକରଣ ସେସବୁ ପ୍ରସ୍ତୁତ କରିଥିଲେ ଓ ରାଜା ରଜନୀ ବ୍ୟାପି ସେସବୁର ସ୍ୱପ୍ନ ଦେଖିଥିଲେ ଏବଂ ରାତି ପାହିଲାଣି କି ନା ତାହା ଜାଣିବା ପାଇଁ ବାରମ୍ବାର ବାତାୟନ ଦେଇ ବାହାରକୁ ସେ ଅନାଉଥିଲେ ।
ଜଳଖିଆ ରାଶିଆଡେ ଅନାଇ ରାଜାଙ୍କ ଆଖିରେ ଆବେଗ ଉଛୁଳି ଉଠିଲା । “ଆଃ, ଆଃ! ଏହା ଉଚ୍ଚାରଣ କରି ସେ ଯାଦୁକରକୁ କହିଲେ, “ଏଥର ଖାଇବାକୁ ବସିଲି!”
“ଥୟ ଧରନ୍ତୁ ମଣିମା । ସାମାନ୍ୟ ଅନୁଷ୍ଠାନ ବାକି ଅଛି । ଗୁମ୍ଫା କାନ୍ଥରେ ଏହି ଯେଉଁ କଣାଟି ଦେଖୁଛନ୍ତି, ଏଇ ଗୋଟିକ ଭିତରଦେଇ ଆପଣଙ୍କୁ ଗଳିଯିବାକୁ ହେବ । ତା’ପରେ ଖାଲି ସୁଖ, ସୁଖ ଆଉ ସୁଖ । ଖାଇବେ, ଖୁସି ହେବେ…”
ରାଜା ଗଦ୍ଗଦ୍ କଣ୍ଠରେ କହିଲେ “ଆଉ ପରୀକୁ ବିଭା ହେବି!”
“ଠିକ୍ । ବର୍ତ୍ତମାନ ବେଶ ଉତାରି ପକାନ୍ତୁ ।”
“ବେଶ କାହିଁକି ଉତାରିବି?”
“ମହାରାଜ! ତାହାହିଁ ତ ବିଧି । ଏହା ପରେ ପରେ କ’ଣ ପାଇବାକୁ ଯାଉଛନ୍ତି ସେକଥା ଆଦୌ ଭୁଲନ୍ତୁ ନାହିଁ । ସେଭଳି ପୁରସ୍କାର ପାଇଁ ସାମାନ୍ୟ ବେଶ କାହିଁକି, ମୁଁ ତ ମୋ ଚମ ଉତାରିବାକୁ ବି ଦ୍ୱିଧା କରନ୍ତି ନାହିଁ ।” ଏହା କହି ଯାଦୁକର ପୋଷାକ ଉତାରିବା ପାଇଁ ରାଜାଙ୍କୁ ସାହାଯ୍ୟ କଲା । ରାଜାଙ୍କ ବହୁମୂଲ୍ୟ ବହିର୍ବାସ ଏବଂ ହୀରାମଣ୍ଡିତ ମୁକୁଟ ଖାଲି ନୁହେଁ, ମୁଦ୍ରିକା ଓ ହାରଟିମାନ ମଧ୍ୟ ବାହାର କରି ନିଆଗଲା । ଅନ୍ଧାରୁଆ ଗୁମ୍ଫା ଭିତରେ ରାଜା ଖାଲି ଅନ୍ତର୍ବାସ ପିନ୍ଧି ଠିଆ ହୋଇଥାନ୍ତି ।
ଯାଦୁକର କହିଲା “ମହାରାଜ, ଏଥର, କଣା ଦେଇ ପଶନ୍ତୁ । ମୁଁ ଜାଣେ, ଏହା ଠିକ୍ ରାଜକୀୟ କାମ ନୁହେଁ, କିନ୍ତୁ ପରୀକନ୍ୟାକୁ ବିଭା ହେବାକୁ ହେଲେ ଏହା ନକରି ଆଉ କିଛିବି ଉପାୟ ନାହିଁ!”
ରାଜା କଣା ଭିତରେ ପଶିବାକୁ ପ୍ରୟାସୀ ହେଲେ ।
ଯାଦୁକର ଓ ତା’ ସହକାରୀ ତା’ପରେ କଣା ଭିତରଦେଇ ରାଜାଙ୍କୁ ଠେଲି ଠେଲି ସେପାରି ସୁଡଙ୍ଗ ଭିତରକୁ ପକାଇଦେଲେ । ସେପଟେ ଦୁମ୍ କିନା ପଡି ରାଜା ଚିତ୍କାର କଲେ, “ଅନ୍ଧାର! ଏଠି କିଟିକିଟି ଅନ୍ଧାର! ମୁଁ ଏଠି କିପରି ଖାଇବି?”
“ସେ ଚିନ୍ତା ନାହିଁ । ତମକୁ ଅନ୍ଧାରରେ ଖାଇବାକୁ କହିବୁ, ସେଭଳି ଅଭଦ୍ର ଆମେ ନୋହୁଁ । ଆମେ ଖାଇ ଦେବୁ ।” ଏକଥା କହିବା ବେଳକୁ ଯାଦୁକର ରାଜାଙ୍କ ପୋଷାକ ଓ ମୁକୁଟ ପିନ୍ଧି ସାରିଥାଏ ।
ରାଜା ବିକଳ କଣ୍ଠରେ କହିଲେ “ଅନୁଷ୍ଠାନ ଶୀଘ୍ର ଶେଷ କର ।”
“ଶେଷ ହୋଇଗଲାଣି!” ଏତିକି କହି ଯାଦୁକର କଣା ଭିତରଦେଇ ଅନାଇଲା ।
ରାଜା ବିସ୍ମିତ କଣ୍ଠରେ ସେ ଅନ୍ଧାର ଭିତରୁ ପଚାରିଲେ “ତମେ କିଏ?”
ଯାଦୁକର କହିଲା “କିଏ ମାନେ? ମୁଁ ରାଜା!”
“ବାଜେ କଥା କୁହନା । ତମେ ଯଦି ରାଜା, ତେବେ ମୁଁ କିଏ?”
ଯାଦୁକର ଜବାବ୍ ଦେଲା “ବୋଧହୁଏ ଯାଦୁକର!”
ରାଜା କହିଲେ “ମୋତେ ତ ଯାଦୁର ବିନ୍ଦୁବିସର୍ଗ ସୁଧା ମାଲୁମ୍ ନାହିଁ । ଜଣାଥିଲେ ତ ମୁଁ ଏ ପଥର ସବୁକୁ ଲଡୁ କରି ଦିଅନ୍ତି ।”
“ତୁମକୁ ସବୁ ଜଣା । ହେଲେ ତମେ ଭୁଲି ଯାଇଛ । ଯେମିତି ମୁଁ ଅର୍ଥାତ୍ ରାଜା, ଗୁପ୍ତ ଗନ୍ତାଘରର ଚାବିଟି କେଉଁଠାରେ ଅଛି ଭୁଲି ଯାଇଛି । ତମେ କହିଦିଅ । ତା’ହେଲେ ପୁଣି ମୁକ୍ତ ପବନ ଓ ସୁର୍ଯ୍ୟାଲୋକ ଭିତରକୁ ଲେଉଟି ଆସିବ ।”
ରାଜା ବଲ ବଲ କରି ଅନାଇଲେ ଓ କାନ୍ଦ ଚାପିରଖି କହିଲେ, “ମୋତେ ଏଠାରୁ ଶୀଘ୍ର ବାହାର କରି ନିଅ ଓ ଖାଇବାକୁ ଦିଅ!”
“ଜରୁର୍ ଖାଇବାକୁ ଦେବା । କିନ୍ତୁ ପ୍ରଥମେ ଗୁପ୍ତ ଗନ୍ତାଘରର ଚାବି କେଉଁଠି ଅଛି କହି ପକାଅ!”
ରାଜା ପାଟିକରି କହିଲେ “କହିବି ନାହିଁ! ନା!!” “ମୁଁ ତମ ଚାଲାକି ବୁଝିଗଲିଣି । ତମେ ମୋତେ ସାତଦିନ କାଳ ଭୋଖିଲା ରଖିବାର କାରଣ ବର୍ତ୍ତମାନ ତମକୁ ବାଧାଦେବା ଭଳି ବଳ ମୋର ନଥିବ । ତମେ ବଦ୍ମାସ୍, ସୈତାନ୍ ।”