ରାଜାଙ୍କ ଏଭଳି ଅଭିଯୋଗ ଶୁଣି ସେ ରାଜୁ ହଠାତ୍ ଚମକି ପଡି ଭ୍ରୁକୁଂଚନ କରି ପ୍ରଶ୍ନ କଲା “କ’ଣ କହିଲେ? ବାହା ହେବେ?”
“ଆଉ?” ରାଜୁର ଅବାନ୍ତର ପ୍ରଶ୍ନରେ ରାଜା ଆଶ୍ଚର୍ଯ୍ୟ ହେଲେ । “ମୁଁ ବାହା ନହେବି ତ ସୁନ୍ଦରୀ ଜୀବନ୍ୟାସ ପାଇବ କିଆଁ? ତୋର କ’ଣ ଏତିକି ଟିକେ ବି ସାଧାରଣ ଜ୍ଞାନ ନାହିଁ?”
ରାଜୁ କହିଲା “ମୋ ମୁଣ୍ଡକୁ ତ ଏ ସମ୍ଭାବନା ଆଦୌ ଜୁଟି ନଥିଲା ।”
ଏହାପରେ ସେ ରାଜା କରୁଣାପୂର୍ଣ୍ଣ ହସ ହସିଲେ ଓ କହିଲେ, “ଟୋକା! ସବୁ କଥା ଯଦି ତୋ ମୁଣ୍ଡକୁ ଜୁଟିବ, ତେବେ ଏ ମୁଣ୍ଡ ରହିଛି କାହିଁକି?” ରାଜା ଏକଥା କହି ନିଜ ମୁଣ୍ଡ ଦେଖାଇ ଦେଲେ ।
ରାଜୁ କହିଲା “ଚଣ୍ଡ ପ୍ରଚଣ୍ଡ ମହାରାଜ, ଆପଣଙ୍କ ଭଳି…”
କିନ୍ତୁ ରାଜା ରାଜୁକୁ ଆଉ କିଛି ବି କହିବାକୁ ଦେଲେ ନାହିଁ । “ଆରେ,ଆମ୍ଭେ ଜାଣୁ ତୁ କ’ଣ କହୁଛୁ । ଆମ୍ଭ ଭଳି ଯୋଗ୍ୟ ପାତ୍ର ନହେଲେ ଏଭଳି ସୁନ୍ଦରୀ କନ୍ୟାକୁ କିଏ ବିଭା ହେବ, ଏଇଆ ତ? ହାଃ ହାଃ ।”
ତହୁଁ ରାଜୁ ଟିକିଏ ଉତ୍ତେଜିତ ଭାବରେ କହିଲା “ମହାରାଜ, କଣ କହୁଥିଲି କି ଆପଣଙ୍କ ଭଳି ପ୍ରବୀଣ ବ୍ୟକ୍ତି ପକ୍ଷରେ ଏଭଳି ମୂର୍ଖଜନୋଚିତ କଥା ଆଦୌ ଶୋଭା ପାଉନାହିଁ ।”
“ଆମ୍ଭେ ମୂର୍ଖ? ତୋର ଏଡେ ସାହସ?” ଏହା କହି ସେ ରାଜା ନିଜ ନିଶ ମୋଡିଲେ ।
“ତୋର ଏଡେ ସାହସ?” ଅମାତ୍ୟବର୍ଗ ବି ଏହା କହି ନିଜ ନିଜ ନିଶ ମୋଡିଲେ, ଯଦିଓ ସେମାନଙ୍କ ଭିତରୁ ଦୁଇଜଣଙ୍କର ନିଶ ମୋଟେ ନଥିଲା ।
ରାଜୁ କହିଲା “ମୁହୂର୍ତ୍ତକ ଆଗରୁ ଆପଣ କେଡେ ଉଜ୍ଜ୍ୱଳ ଦିଶୁଥିଲେ । ଯଦି ଆପଣ ଏ କନ୍ୟାକୁ ବିଭା ହେବାରେ କିଛି ବି ଅସଙ୍ଗତ ନଥାନ୍ତା, ତେବେ ସେମିତି ଉଜ୍ଜ୍ୱଳ ଦିଶିଥାନ୍ତେ । କିନ୍ତୁ ମୁଣ୍ଡକୁ ଏ ଦୁଷ୍ଟ ବୁଦ୍ଧି ଆସିଯିବା ମାତ୍ରେ ପୁଣି ପୂର୍ବ ପରି ବୋକା ଦିଶିଲେଣି । ଆପଣ ଖାଲି ଏକା ନୁହଁନ୍ତି, ସବୁ ଅମାତ୍ୟମାନେ ବି ।”