“ଆମ୍ଭେ ବୋକା?” ଏତିକି କହି କ୍ରୋଧରେ ରାଜାଙ୍କ କଣ୍ଠ ହଠାତ୍ ରୁଦ୍ଧ ହୋଇଗଲା ।
ଅମାତ୍ୟମାନେ ବିକଟ କଣ୍ଠରେ ପ୍ରଶ୍ନ କଲେ “ଆମ୍ଭେ ବୋକା?”
ତା’ପରେ ସମସ୍ତେ ଏକାବେଳେକେ ରାଜୁ ଉପରକୁ କୁଦି ପଡିଲେ । କିନ୍ତୁ ରାଜୁ ଖସିଗଲା । ଗୋଟାଏ ଗୁଣ୍ଡୁଚି ଭଳି ସେ ଏକ ଶିଳାଖଣ୍ଡ ଉପରୁ ଅନ୍ୟ ଶିଳାଖଣ୍ଡ ଉପରକୁ ଡେଇଁ ଡେଇଁ ପ୍ରପାତ ଦିଗକୁ ଅଗ୍ରସର ହେଉଥାଏ ।
ମନ୍ତ୍ରୀ ଓ ଅମାତ୍ୟମାନେ ତାକୁ ଧରିବାକୁ ଚେଷ୍ଟା କରି ଖଣ୍ଡିଆ ଖାବରା ହେଲେ । ଏପରିକି ଜଣେ ଦୁଇଜଣଙ୍କ ପଗଡି ମଧ୍ୟ ଖସି ପଡିଲା । ଗୋଡ ଖସିଯିବା ଫଳରେ ଦୁଇଜଣ ଖଣ୍ଡିଏ ଶିଳାଖଣ୍ଡ ଉପରୁ ଯୋଡିଏ କାକୁଡି ଭଳି ଓହଳି ରହିଲେ ।
ପ୍ରପାତ ଆଗରେ, ଜଳଧାରା ଆଡେ ପିଠି କରି ଛିଡା ହୋଇ ରାଜୁ ହସିଲା ।
ରାଜା ଚେତାବନୀ ଶୁଣାଇଲେ “ଆରେ ବାଳକ, ସେ ସ୍ଥାନ ବଡ ଭୟଙ୍କର!”
ରାଜୁ ଉତ୍ତର ଦେଲା “ଆପଣଙ୍କ ସଂସର୍ଗଠୁଁ ଅଧିକ ଭୟଙ୍କର ନୁହେଁ, ମହାରାଜ!” । ଏହାପରେ ସେ ପ୍ରପାତର ନିକଟତର ହେବାକୁ ଲାଗିଲା । ପ୍ରପାତ ଉପରେ ମନୋରମ ଇନ୍ଦ୍ରଧନୁଟିଏ ରତ୍ନ ମେଢ ଭଳି ଶୋଭା ପାଉଥାଏ । ତା’ ତଳେ ରାଜୁ ଟିକି ଦେବତାଟିଏ ଭଳି ଅପରୂପ ଦିଶୁଥାଏ । ପ୍ରପାତର ପଟ୍ଟଭୂମିରେ ଉଚ୍ଛଳ ସବୁଜ ବୃକ୍ଷଲତା ଶୋଭିତ ପର୍ବତମାନେ ସକାଳର ସୂର୍ଯ୍ୟାଲୋକରେ ଉଦ୍ଭାସିତ ହୋଇ ଦିବ୍ୟ ଦିଶୁଥିଲେ ।
ପ୍ରପାତର ଧୂଳଧୂଳି ଜଳଚୂର୍ଣ୍ଣ ରାଜୁ ଆଡେ ଫୁତ୍କାରିତ ହୋଇ ଆସୁଥାଏ । ରାଜୁ ତା’ର ଦୁଇ ବାହୁ ବଢାଇ ଶିହରଣ ଅନୁଭବ କଲା ।
ସେ କହିଲା “ମହାରାଜ, ମୁଁ ପ୍ରପାତର ଅନ୍ୟ ଦିଗକୁ ଚାଲିଲି ।”
ରାଜୁ କଥା ଶୁଣି ରାଜା ପାଟିକରି କହିଲେ “ବାଳକ, ଯିଏ ସେପାରିକୁ ଯାଏ, ସିଏ ଆଉ କଦାପି ମଧ୍ୟ ଲେଉଟି ଆସି ପାରେ ନାହିଁ ।”
ଏକଥା ଶୁଣି ରାଜୁ କହିଲା “ହୁଏତ ସେମାନେ ଲେଉଟି ଆସିବାକୁ ମନ କରନ୍ତି ନାହିଁ । ମୁଁ କିନ୍ତୁ ପ୍ରତିମାରେ ଜୀବନ୍ୟାସର ରହସ୍ୟ ଜାଣିବା ପରେ ଅବଶ୍ୟ ଆସିବି । ମାତ୍ର ଆପଣ ସେଯାଏଁ ପ୍ରତିମାର ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବେଟି?”
ରାଜୁର କଣ୍ଠସ୍ୱର ପର୍ବତରେ ପ୍ରତିଧ୍ୱନି ତୋଳିଲା । ରାଜା ଚମତ୍କୃତ ହୋଇ ଅନାଇଥାନ୍ତି । ହଠାତ୍ ଚେତି ଉଠି ସେ କହିଲେ, “ହଁ, ହଁ, ଆମ୍ଭେ ତା’ର ସୁରକ୍ଷା ବ୍ୟବସ୍ଥା ନିଶ୍ଚୟ କରିବୁଁ । ସେ ତ ଆମ୍ଭ ପାଇଁ ଠିକ୍ ଲଡୁ ଭଳି, ଗୋଟାଏ ନୁହେଁ, ପାଛିଆଏ ଲଡୁ ଭଳି । ଯିଏ ବି ତାକୁ ଛୁଇଁବ, ଜାଣ ସେ ତା’ମୁଣ୍ଡଟି ହରାଇବ । ତୁ କିନ୍ତୁ ଯଥାଶୀଘ୍ର ଫେରିବୁ । ତୋତେ ରାଜ୍ୟରୁ ଅଂଶ ଦେବୁଁ । ସମସ୍ତେ କହନ୍ତି ଆମ୍ଭ କନ୍ୟାମାନେ ଦେଖିବାକୁ ଠିକ୍ ଆମ୍ଭରି ଭଳି । ସେଥିରୁ ଜଣକୁ ତୁ ବିଭା ହେବୁ । ତେବେ ତୋର ଯଦି ଧାରଣା ଆମ୍ଭେ ଯଥେଷ୍ଟ ସୁନ୍ଦର ନୋହୁଁ ଏହା ଭିତରେ ଆମ୍ଭେ ଅଧିକ ସୁନ୍ଦର ବନିଯିବୁ । ପ୍ରତିଥର ଗୋଟାଏ ଅଧିକା ମୁର୍ଗୀ ଖାଇବୁଁ । ଦିନକୁ ଦୁଇଥର ଖିଅର ହେବୁଁ । ଜୀବନରେ ପୁଣି ସକାଳୁଆ ପବନ ଆମ୍ଭକୁ ସ୍ପର୍ଶ କରିବ, ତାକୁ ସେ ସୁଯୋଗ ଦେବୁଁ ନାହିଁ ।”