ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ଚନ୍ଦ୍ର ପ୍ରସ୍ତ ପ୍ରସ୍ତ ମେଘ ଭିତରେ କ୍ରମେ ପୁରାପୁରି ଲୁଚିଗଲା ଭଳି ରାଜୁର ଚେହେରା ପ୍ରପାତର ପ୍ରସ୍ତ ପ୍ରସ୍ତ ଜଳଧାରା ଭିତରେ କ୍ରମେ ଝାପ୍ସା ହୋଇ ତା’ପରେ ପୁରାପୁରି ହଜିଗଲା ।

ପ୍ରପାତ ଟପିଯିବା ପାଇଁ କେତେ ସମୟ ଲାଗିଥିଲା, ସେକଥା ରାଜୁ ବୁଝିପାରିଲା ନାହିଁ । ମନେ ହେଉଥିଲା, ପାଦତଳର ମାଟି ଯେପରି ତୀବ୍ର ଗତିରେ ବିପରୀତ ଦିଗକୁ ଅପସରି ଯାଉଛି ଏବଂ ସେଥିପାଇଁ ପ୍ରତି ପଦକ୍ଷେପରେ ସେ ଅତିକ୍ରମ କରୁଛି ଏକ ଯୋଜନ ପଥ । ପ୍ରପାତ ସେପଟେ ବ୍ୟାପି ରହିଥିଲା ଏକ ପାର୍ବତ୍ୟ ମୁଲକ । କନକ ଉପତ୍ୟକାଠୁଁ ତାହା ଭିନ୍ନ ନୁହେଁ- ଅଥଚ ଭିନ୍ନ! ମନେ ହେଲା, ସୂର୍ଯ୍ୟ ଯେପରିକି ସେଠି କେବେ ବି ବିଶେଷ ପ୍ରଖର ହୁଏ ନାହିଁ; ବୃକ୍ଷଲତା ପ୍ରଚୁର, କିନ୍ତୁ ଫୁଲ ଫୁଟେ ନାହିଁ!

ଭଲ ଭାବରେ ଚତୁର୍ଦ୍ଦିଗ ଦେଖିବା ନିମନ୍ତେ ରାଜୁ ଗୋଟିଏ ପାହାଡ ଉପରକୁ ଉଠିଗଲା । ଦେଖିଲା ନଦୀଟିଏ ସେ ମୁଲକକୁ ପ୍ରାୟ ବେଷ୍ଟନ କରି ଦୂର ଦିଗନ୍ତରେ ମିଶି ଯାଇଛି ।

“ଆରେ, ଇଏ କିଏ?”

ରାଜୁ ଏ ବିକୃତ କଣ୍ଠସ୍ୱରରେ ଚମକି ପଡି ହଠାତ୍ ପଛକୁ ଚାହିଁଲା । ଖଣ୍ଡିଏ ଉଚ୍ଚତର ଶିଳା ଉପରୁ ଜଣେ ବକ୍ରକାୟ ବକ୍ର ଦାଢିବନ୍ତ ବ୍ୟକ୍ତି ତା’ ଆଡକୁ ଆସୁଥିଲା ।

ଆଶ୍ଚର୍ଯ୍ୟ ହୋଇ ସେ ବକ୍ର ଦାଢୀବନ୍ତ ପଚାରିଲା “କିଏ ତମେ? କ’ଣ କରୁଛ ଏଠି?”

ରାଜୁ କହିଲା “ମୁଁ ରାଜୁ । କିଛି ବି କରୁନାହିଁ । ତମେ?”

“ତମ କଥାର ଢଙ୍ଗ ବଡ ଉଦ୍ଧତ ମନେ ହୁଏ, ତରୁଣ! ମୁଁ ଏହି ଜ୍ଞାନ-ବିଜ୍ଞାନ ରାଜ୍ୟର ପୁରୋହିତ ତଥା ଏହାର ସୀମାନ୍ତର ପ୍ରଭୁ । ତମର ଉଦ୍ଧେଶ୍ୟ?” ଏହିପରି ବକ୍ର ଦାଢୀବନ୍ତ ଉତ୍କଣ୍ଠିତ ଭାବରେ ପ୍ରଶ୍ନ କଲା ।

ରାଜୁ ସହଜ ଭାବରେ ଉତ୍ତର ଦେଲା “ମୁଁ ଦୂର ପଥର ଯାତ୍ରୀ । ଏ ରାଜ୍ୟ ଅତିକ୍ରମ କରିଯିବା ବ୍ୟତୀତ ମୋର ଅନ୍ୟ ଉଦ୍ଧେଶ୍ୟ କିଛି ବି ନାହିଁ ।”

ବକ୍ର ଦାଢୀବନ୍ତର ତୀବ୍ର ଦୃଷ୍ଟି ଆଗରେ ଗଣ୍ଡାର ବି ଭୟରେ ଶିହରି ଉଠେ, ତେଣୁ ରାଜୁକୁ ଏଭଳି ନିର୍ଭୟ ଦେଖି ସେ ବିସ୍ମିତ ଓ ବିରକ୍ତ ହେଲା । ତେବେ ଉପରକୁ ସେ ଭଦ୍ର ବ୍ୟବହାର କରିବାକୁ ସ୍ଥିର କଲା ।

“ତରୁଣ! ତମକୁ ସ୍ୱାଗତ କରୁଛି । ଏଇ ନଦୀ ସନ୍ତରଣ ଦ୍ୱାରା ପାରି ହେଲେ ହେଲା । ତେଣିକି ଯେଣିକି ମନ ଯାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ